ସପ୍ତଶମ୍ଭୁ ମିଳନ କାର୍ଯ୍ୟକ୍ରମ
ଭବାନୀପାଟଣା: ଭାବ ଓ ଭକ୍ତି ର ଅନନ୍ୟ ଧର୍ମୀୟ ବିଶ୍ୱାସ ର କାର୍ଯ୍ୟକ୍ରମ ପରିକଳ୍ପନା ହେଉଛି କାମନା ଦଣ୍ଡ । ଶହେ ବର୍ଷରୁ ଅଧିକ ସମୟ ଧରି ପରମ୍ପରା ଭାବେ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପରିଗଣିତ ହେଉଛି । ଏହି କାମନା ଦଣ୍ଡର ଶମ୍ଭୁ ମିଳନ କାର୍ଯ୍ୟକ୍ରମ ଅଞ୍ଚଳରେ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଆଞ୍ଚଳିକ କାମନା ଦଣ୍ଡ ପରିଷଦ ପକ୍ଷରୁ ସପ୍ତ ଶମ୍ଭୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତଳସାଗର ପଡା,ଶୁଢୀ ପଡା,ବମକ,ପଣ୍ଡକାମାଲ୍ (କଲୋନୀ ପଡା), ଆମ୍ବ ଗାଁ(ବାବୁ ପଡା), ଅଇଁଲାପାଲି,ମୋହନ ଗିରୀ (ଧରୁଆ ପଡ଼ା) କାମନା ଦଣ୍ଡ ପୀଠ ଯୋଗ ଦେଇଥିଲେ । ସକାଳୁ ବନ୍ଦନା ଗାନ ପରେ ଧୂଳି ଦଣ୍ଡ, ପାଣି ଦଣ୍ଡ, ଶମ୍ଭୁ ମିଳନ, ଅଗ୍ନୀ ଦଣ୍ଡ ଓ ପରେ କାମନା ଦଣ୍ଡ ନୃତ୍ୟ ପରିବେଷିତ ହୋଇଥିଲା । ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ବିଷ୍ଣୁ ପ୍ରସାଦ ମହାପାତ୍ର ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।