ବୈତରଣୀ ନଦୀ ଓଗାଳିଛି ବାଟ : ନଈ ପାର ହୋଇ ଯିବାକୁ ପଡୁଛି ବ୍ଲକ ମୁଖ୍ୟାଳୟ

କେନ୍ଦୁଝରରୁ ଜୟକୃଷ୍ଣ ପଣ୍ଡା :  ବଦଳୁଛି ସହରର ମାନଚିତଥ କିନ୍ତୁ ଗାଁ କୁ ପଚାରେ କିଏ । ଆମେ କହୁଛୁ କେନ୍ଦୁଝର ଏକ ବଣ ପାହାଡ ଘେରା ସାପକଣ୍ଟା ଗାଁ କଥା । ଜିଲ୍ଲାର ଅନେକ ଗ୍ରାମକୁ ବୈତରଣୀ ନଈ ଘେରି ରହିଛି । ଗାଁଟିର ଅଧାରୁ ଅଧିକ ଲୋକ ଅନୁସୂଚିତ ଜନଜାତି ଓ ବିପିଏଲ ବର୍ଗର । ଏଠାକାର ଜନସଂଖ୍ୟା ହଜାର ପାଖାପାଖି । ଗାଁରେ ଭୂୟାଁ ସାହି, ମୁଣ୍ଡା ସାହି, ନୁଣଘର ସାହି, ଗୌଡ ସାହି ଓ ଡଙ୍ଗାଘାଟ ସାହି ପ୍ରଭୃତିରେ ବିଭିନ୍ନ ବର୍ଗର ଲୋକ ବସବାସ କରନ୍ତି । ସାପକଣ୍ଟାରୁ ବାଂଶପାଳ ପଞ୍ଚାୟତ ମୁଖ୍ୟାଳୟର ଦୂରତା ମାତ୍ର ୫ କିମି ପାଖାପାଖି । ଗାଁର ନୁଣଘର ସାହି, ଡଙ୍ଗାଘାଟ ସାହି ଓ ସାପାକଣ୍ଟା ପ୍ରଭୃତି ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ରହିଛି । ସାପକଣ୍ଟା ସରକାରୀ ପ୍ରାଥମିକ ବିଦ୍ୟାଳୟ ନାମରେ ସେଠାରେ ସ୍କୁଲ ମଧ୍ୟ ରହିଛି । ଗାଁକୁ ବିଜାଗୋଠ ଆଡୁ ରାସ୍ତା ମଧ୍ୟ ହୋଇଛି ।  ମୋଟାମୋଟି ଭାବେ ରାଜ୍ୟ ସରକାରଙ୍କର ବିକାଶ ଏଠାରେ ପହଞ୍ଚିଛି, ହେଲେ ଲୋକେ ରାସନ ଗଣ୍ଡାଏ ପାଇବା, ବ୍ଲକ ମୁଖ୍ୟାଳୟକୁ ନଦୀ ପାରି ହୋଇ ଯିବା ଆସିବା ପାଇଁ ଅନେକ ହିନସ୍ତା ହେଉଛନ୍ତି । ଗାଁରୁ ଦୁଇ କିମି ଦୂରତାରେ ଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ବର୍ଷାଦିନେ ୧୫ କିମି ବୁଲି ଯିବାକୁ ପଡୁଛି । ଖରାଦିନେ ବୈତରଣୀ ନଦୀରେ ଆଣ୍ଠୁଏରୁ ଅଧିକ ପାଣିରେ ପାର ହେବାକୁ ପଡିଥାଏ ସେଠାକାରେ ଲୋକଙ୍କୁ । ବର୍ଷା ଦିନେ ଅବସ୍ଥା ସାଂଘାତିକ । ବେଳେବେଳେ ଖରାଦିନେ ମଧ୍ୟ ଅଣ୍ଟାଏ ପାଣିରେ ପାର ହୋଇ ରାସନ ଆଣିଥାନ୍ତି ଲୋକେ । ଯାହାକି ସାପକଣ୍ଟା ଗାଁର ଲୋକଙ୍କ ପାଇଁ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ପଞ୍ଚାୟତ କାର୍ଯ୍ୟାଳୟରୁ ବାଂଶପାଳ ସାହି ଦେଇ ବିଲ ହୁଡାରେ ଯାଇଥିବା ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ମହିଳା, ଛୋଟ ପିଲା, ଗର୍ଭବତୀ, ବୃଦ୍ଧ, ବୃଦ୍ଧାମାନେ ଭତ୍ତା ଓ ରାସନ ଗଣ୍ଡାଏ ପାଇବାକୁ ନଈ ପାର ହୋଇ ଯାଉଛନ୍ତି । ବର୍ଷାଦିନେ ଉଛୁଳା ବୈତରଣୀ ନଦୀରେ ପାର ହୋଇ ରାସନ ସଂଗ୍ରହ କରିବା କଷ୍ଟକର ବ୍ୟାପାର । ତେଣୁ ବାଧ୍ୟ ହୋଇ ବିଜାଗୋଠ ଦେଇ ୧୫ କିମି ବୁଲି, ସମୟ ଓ ଅର୍ଥ ଅପଚୟ କରି ଟଙ୍କିକିଆ ରାସନ ସାମଗ୍ରୀ ସଂଗ୍ରହ ସହିତ ବ୍ଲକ ମୁଖୟାଳୟକୁ ଯାଉଛନ୍ତି ଲୋକେ । ସେଠାରେ ବୈତରଣୀ ନଦୀରେ ଏକ ପୋଲ କରାଗଲେ ସାପକଣ୍ଟା ଅଞ୍ଚଳର ଲୋକଙ୍କୁ ଅଯଥାରେ ଦୂରବାଟ ଦେଇ ଆସିବାକୁ ପଡନ୍ତା ନାହିଁ । ପୋଲ କରିବା ନିମନ୍ତେ ଲୋକେ ଅନେକ ଦାବି କରିଛନ୍ତି । ହେଲେ ଶୁଣିବାକୁ କେହି ନଥିଲା ଭଳି ପରିସ୍ଥିତି । ପଛୁଆ ଅଞ୍ଚଳର ବିକାଶ ନିମନ୍ତେ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ସାପକଣ୍ଟା ଗାଁର ଲୋକଙ୍କ ପାଇଁ ବୈତରଣୀରେ ପୋଲଟିଏ ହୋଇପାରିନି । ସରକାର ଏହି ସମସ୍ୟାର ସମାଧାନ କଲେ ସେଠାକାର ଲୋକ ଉପକୃତ ହୋଇପାରନ୍ତେ ।