ଶ୍ରମିକଙ୍କ ସୁରକ୍ଷା ପାଇଁ କାମ କରୁନି ଶ୍ରମ ବିଭାଗ  

 କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ବହୁ ଶ୍ରମିକ କାମ କରୁଥିଲେ ମଧ୍ୟ ସେମାନଙ୍କୁ ସର୍ବନିମ୍ନ ମଜୁରୀ ମିଳୁନାହିଁ । ଶ୍ରମ ବିଭାଗ ଅଣକୁଶଳୀ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୪୫୨ଟଙ୍କା ଧାର୍ଯ୍ୟ କରିଛନ୍ତି । ତେବେ ଶ୍ରମ ବିଭାଗର ସଠିକ୍ ତଦାରଖ ଅଭାବରୁ ଅନେକ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ସର୍ବନିମ୍ନ ମଜୁରୀ ପାଇ ପାରୁନାହାଁନ୍ତି । ବିଶେଷ କରି କଳକାରଖାନା,ପେଟ୍ରୋଲ ପମ୍ପ,ମଲ,ଦୋକାନ ବଜାର,ହୋଟେଲ,ଠିକାଦାରଙ୍କ ଅଧିନରେ କାମ କରୁଥିବା ଶ୍ରମଜୀବୀମାନେ ସର୍ବନିମ୍ନ ମଜୁରୀ ପାଇବାରୁ ବଂଚିତ ହେଉଛନ୍ତି । ସର୍ବନିମ୍ନ ମଜୁରୀ ପାଉନଥିବା ଶ୍ରମିକମାନେ ପ୍ରତିବାଦ କଲେ କାମ ନ ମିଳିବାର ଭୟ ଥିବାରୁ ଚୁପ ରହୁଛନ୍ତି । ବ୍ଲକସ୍ତରରେ କାମ କରୁଥିବା ସହକାରୀ ଶ୍ରମ ଅଧିକାରୀ ଏହାର ତଦାରଖ କରୁନଥିବା ଅଭିଯୋଗ ହୋଇଛି । ସେହିପରି ଖୋଦ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି । ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି ହୋଟେଲ,ଲଜ ଏବଂ ମଲରେ କାମ କରୁଥିବା କର୍ମଚାରୀ ସର୍ବନିମ୍ନ ମଜୁରୀ ପାଇବାରୁ ବଂଚିତ ହେଉଛନ୍ତି । ଅଭିଯୋଗ ହେଲେ ଶ୍ରମ ବିଭାଗ ପକ୍ଷରୁ କାଁ ଭାଁ ଯାଂଚ କରୁଛି କିନ୍ତୁ ଖିଲାପକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଶ୍ରମ ବିଭାଗ ଶ୍ରମିକ ସମସ୍ୟାର ସମାଧାନ ଓ ଶିଶୁ ଶ୍ରମିକ ଉଚ୍ଛେଦ ଉପରେ ଗୁରୁତ୍ୱ ଦେବା ବଦଳରେ କେବଳ ଶ୍ରମିକ କାର୍ଡ ବଂଟନ କରି ନିଜ କାର୍ଯ୍ୟ ସାରି ଦେଉଥିବା ଅଭିଯୋଗ ହେଉଛି । ପ୍ରକାଶ ଯେ, ପରିବାରର ଆର୍ଥିକ ସଂକଟ ଯୋଗୁଁ ଅନେକ ଶିଶୁ ପାଠପଢା ଛାଡୁଥିବା ବେଳେ ହୋଟେଲ, ରେଷ୍ଟୁରାଣ୍ଟରେ ସେମାନଙ୍କୁ ପ୍ରଲୋଭନ ଦେଖାଇ କାମ କରାଯାଉଛି । ବିଭାଗୀୟ ଅଧିକାରୀମାନେ କେବଳ ସହରରେ କାଁଭାଁ ଚଢାଉ କରି ନିଜ ଦାୟିତ୍ୱ ଶେଷ କରୁଛି । ଯେଉଁ କେତେକ ସ୍ଥାନରେ ଯାଂଚ ପରେ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ଥଇଥାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକଙ୍କ ଶିକ୍ଷା ବ୍ୟବସ୍ଥା, ପରିବାରର ଆର୍ଥିକ ଅବସ୍ଥା, ଶିଶୁ ଶ୍ରମିକଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ଶ୍ରମ ବିଭାଗ ପକ୍ଷରୁ ପ୍ରଶାସନ ଓ ବିଭିନ୍ନ ବିଭାଗ ସହ ଯୋଗାଯୋଗ କରି ଥଇଥାନ କରିବା କଥା । ଏ ଦିଗରେ ବିଭାଗ କିଛି କରୁ ନଥିବାରୁ ଶିଶୁ ଶ୍ରମିକ ପ୍ରଥାରେ ଅଙ୍କୁଶ ଲାଗୁ ନଥିବା ଅଭିଯୋଗ ହେଉଛି । ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରୁଥିବା ହୋଟେଲ, ଢାବା ଏବଂ ବିଭିନ୍ନ ଘରୋଇ ଅନୁଷ୍ଠାନ ବିରୁଦ୍ଧରେ ଶ୍ରମ ବିଭାଗ ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ସେମାନେ ଶିଶୁ ଶ୍ରମିକଙ୍କୁ ନିର୍ଭୟରେ କାମରେ ଲଗାଉଛନ୍ତି । 
୨୦୨୪-୨୫ ଚାଇଲ୍ଡ ଟ୍ରାକିଂ ସର୍ଭେ ରିପୋର୍ଟ ଅନୁସାରେ ଜିଲ୍ଲାରେ ୧୦ ହଜାର ୪୦୫ ଜଣ ଶିଶୁ ଅଧାରୁ ପାଠ ଛାଡିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି । ଏଭଳି ସ୍ଥିତିରେ କେନ୍ଦୁଝର ଜିଲ୍ଲା ଶିଶୁ ଶ୍ରମିକ ମୁକ୍ତ ହେବା ନେଇ ସନେ୍ଦହ ପ୍ରକାଶ ପାଇଛି । ଏଥିସହ ଶ୍ରମ ବିଭାଗ ନିୟମିତ ଯାଂଚ କରୁଥିବାରୁ ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କେନ୍ଦୁଝର ଜିଲ୍ଲାରେ ଶ୍ରମିକମାନଙ୍କ ସମସ୍ୟା ବଢି ବଢି ଚାଲିଛି । ବିଭିନ୍ନ କଳକାରଖାନାରେ ଠିକାଦାରମାନେ ବାହାର ରାଜ୍ୟର ଶ୍ରମିକମାନଙ୍କୁ ଆଣି କାମ କରାଉଛନ୍ତି । ଫଳରେ ସ୍ଥାନୀୟ ଶ୍ରମିକ କାମ ନ ପାଇ ବାହାର ରାଜ୍ୟକୁ ଯାଉଛନ୍ତି । ସେମାନଙ୍କୁ କେତେକ ଶ୍ରମିକ ଦଲାଲ ଲାଇସେନ୍ସ ନ କରି ବାହାର ରାଜ୍ୟକୁ କାମ କରିବାକୁ ନେଉଛନ୍ତି । ତେବେ ଶ୍ରମ ବିଭାଗ ନିକଟରେ ଏହାର କୌଣସି ସୂଚନା ରହୁନଥିବାବେଳେ କେବଳ ଦୂର୍ଘଟଣା ହୋଇ ମୃତାହତ ହେଲେ ସରକାରଙ୍କ ଦୃଷ୍ଟିକୁ ଆସୁଛି । ଏଥିସହ ସ୍ଥାନୀୟ ଶ୍ରମିକମାନେ କାମ ପାଉ ନଥିବାବେଳେ ଠିକାଦାରମାନେ ପଶ୍ଚିମବଙ୍ଗରୁ ମିସ୍ତ୍ରୀ ଓ ଶ୍ରମିକ ଆଣି କାମ କରାଉଛନ୍ତି ତାହାର ହିସାବ ମଧ୍ୟ ଶ୍ରମ ବିଭାଗ ନିକଟରେ ରହୁନାହିଁ । ବାହାର ରାଜ୍ୟର ଠିକାଦାରମାନେ ଜିଲ୍ଲା ଶ୍ରମ ବିଭାଗରେ ପଞ୍ଜିକରଣ କରୁ ନଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ । ଶ୍ରମ ବିଭାଗ ଏହାର ତଦାରଖ କରି ଅର୍ଥ ଆଦାୟ କରିବା କଥା । ଶ୍ରମ ବିଭାଗର ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ସହର ଏବଂ ଆଖପାଖ ଅଞ୍ଚଳରେ ଗଢି ଉଠିଥିବା ବଡ ବଡ ଅଟାଳିକାରୁ ଲେବର ସେସ୍ ଆଦାୟ କରୁନଥିବାରୁ ଏ ବାବଦରେ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହେଉଛି । ଶ୍ରମ ବିଭାଗର ଅବହେଳାରୁ ବର୍ଷକୁ ଅନୁ୍ୟନ ୫ କୋଟିରୁ ଅଧିକ ଲେବର ସେସ ବାବଦ ରାଜସ୍ୱ ହରାଉଛି । କେନ୍ଦୁଝରରେ ଶ୍ରମ ବିଭାଗ ସ୍ଥାଣୁ ପାଲଟିଥିବା ଅଭିଯୋଗ ହୋଇଛି । ବ୍ଲକସ୍ତରର ସହକାରୀ ଶ୍ରମ ଅଧିକାରୀମାନେ କାମ କରୁନାହାଁନ୍ତି । ଲୋକମାନେ ବ୍ଲକ କାର୍ଯ୍ୟାଳୟକୁ ଯାଇ ସହକାରୀ ଶ୍ରମ ଅଧିକାରୀଙ୍କୁ ନ ପାଇ ନିରାଶରେ ଘରକୁ ଫେରୁଛନ୍ତି । ବାଂଶପାଳ ସହକାରୀ ଶ୍ରମ ଅଧିକାରୀ ବାଂଶପାଳ ବ୍ଲକ କାର୍ଯ୍ୟାଳୟକୁ ଯାଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।