ବୈରଭାବ ଓ ସାଧନା
ପ୍ରତିହିଂସା ପରାୟଣତା, ଯୌନାତୁରତା, ପ୍ରେମ, ହିଂସା, ପ୍ରକୃତି ଓ ପରିବେଶକୁ ଭଲ ପାଇବା, ଶଠତା ଓ ଠକାମି - ଏସବୁ ପ୍ରବୃତ୍ତି ମଣିଷ ସୃଷ୍ଟି ଠାରୁ ଆଜିଯାଏଁ ବଳବତ୍ତର ହୋଇ ରହିଛି । ସେଥିପାଇଁ କୁହାଯାଇଛି ଯେ ମଣିଷ ହିଁ ମଣିଷର ସବୁଠୁ ବଡ଼ ବନ୍ଧୁ ଏବଂ ମଣିଷ ହିଁ ମଣିଷର ସବୁଠୁ ବଡ଼ ଶତ୍ରୁ । କିନ୍ତୁ ମଣିଷ ଯେ ମଣିଷର ବଡ଼ ଶତ୍ରୁ ତାର ଇତିହାସ ଦୀର୍ଘତର । ଦୁର୍ବଳ ଉପରେ ସବଳର ଅତ୍ୟାଚାର ଏବଂ ସବଳକୁ ପ୍ରତିହତ କରିବା ପାଇଁ ଦୁର୍ବଳର ଜ୍ଞାନ କୌଶଳ ଉଣା ଅଧିକେ ସମସ୍ତଙ୍କୁ ଜଣା । ଏସବୁ ନିଜକୁ ବଞ୍ଚାଇବା ପାଇଁ ଏକ କୌଶଳ ।
ଜୀବନରେ ଶତ୍ରୁତା ଓ ଶଠତା ସମ୍ପର୍କରେ ଆଲୋଚନା କଲାବେଳେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ କଥିତ ଆଧ୍ୟାତ୍ମିକ ପ୍ରସଙ୍ଗର "ଶତ୍ରୁ ଭାବରେ ସାଧନା ହୁଏ କି ନାହିଁ' ପ୍ରସଙ୍ଗଟି ଏଠାରେ ଉଦ୍ଧୃତ କରୁଛି । ଜନୈକ ବ୍ୟକ୍ତି ପଚାରିଲେ- ପୌରାଣିକ ବିଷୟକୁ ନେଇ ଯେଉଁସବୁ ନାଟକ ଦେଖାଯାଏ ତା' ମଧ୍ୟରେ ବେଶୀଭାଗ ବହିରେ ସାଧନାକୁ ଶତ୍ରୁ ଭାବରେ ବଡ଼କରି ଦେଖାଇ ଦିଆଯାଇଛି । ଶତ୍ରୁ ଭାବରେ ଭଗବାନଙ୍କର ଉପାସନାଟା କେଉଁ ପ୍ରକାର?ଏହାର ଉତ୍ତରରେ ପ୍ରେମମୟ ଭଗବାନ ଶ୍ରୀ ଶ୍ରୀଠାକୁର ଅନୁକୂଳଚନ୍ଦ୍ର ଶତ୍ରୁ ଭାବରେ ପୁଣି ସାଧନା କ'ଣ ହୁଏ? ଏହା (ହୀନମନ୍ୟତା)ର କଥା । ଲେଖକ ମାନଙ୍କ ଭିତରେ (ହୀନମନ୍ୟତା)ରହିଲେ, ତାହା କଲମ ମାଧ୍ୟମ ଦେଇ ବାହାରି ଆସେ । କଲ୍ୟାଣକାମୀ ସତ୍ ଓ ଶକ୍ତିମାନ ଯେଉଁମାନେ, ସେମାନେ ଦୁର୍ନୀତି ପରାୟଣ ଦକ୍ଷ ଯେଉଁମାନେ ସେମାନଙ୍କର ଦୁର୍ନୀତିକୁ ନିରୋଧ କରିବାକୁ ନିଶ୍ଚେଷ୍ଟ ରହନ୍ତି ନାହିଁ । ଦୁର୍ନୀତି ପରାୟଣ ଦକ୍ଷ ଓ ରାବଣ ଭଳି ଯେଉଁମାନେ, ସେମାନେ ଯଦି ଠିକ୍ ସେହି ସମୟରେ ନିଜକୁ ସଂଶୋଧନ କରିଦିଅନ୍ତି, ତାହା ହେଲେ ହୁଏତ ବଞ୍ଚô ଯାଇପାରନ୍ତି, କିନ୍ତୁ ତାହା ଯଦି ନ କରନ୍ତି, ତେବେ ସତ୍ ଓ ଶୁଭ ଶକ୍ତିର ନିକଟରେ ସେମାନେ ପରାଭୂତ ହେବେ ହିଁ, ଯେପରି ହୋଇଥିଲା ଦକ୍ଷରାଜାର ପତନ, ରାବଣର ପତନ ଓ କଂସଙ୍କର ପତନ । ଏହିଟା ହେଲା ବିଧିର ବିଧାନ । ଏହାରି ମଧ୍ୟରେ ଭକ୍ତ-ଭଗବାନଙ୍କର କଥା ଆସେ କିପରି ? ଏହି ଧରଣର ପରିବେଷଣ ମଣିଷର ପ୍ରବୃତ୍ତିକୁ ହିଁ ପୁଷ୍ଟ କରି ତୋଳେ । ଆପଣମାନେ ନୂଆ ଧରଣର ବହି ଲେଖି ଏହିସବୁ ଭୁଲକୁ ଭାଙ୍ଗିଦେବେ । ଅସତ୍ ଯିଏ ତାକୁ ଅସତ୍ ବୋଲି ଜ୍ଞାତ କରାଇବା ଯୁକ୍ତିଯୁକ୍ତ ଅଟେ । ମାତ୍ର ଏହି ଧାରଣା ଉପରେ ରଙ୍ଗ ଚଢ଼ାଇ ଅବାନ୍ତର ତାତ୍ତ୍ୱିକତାର ଅବତାରଣା କରାଇବାରେ କିଛି ମାନେ ହୁଏ ନାହିଁ । ମଣିଷ ସେହିପ୍ରକାର ଅବତାରଣାରେ ବିଭ୍ରାନ୍ତ ହୁଏ, ଅପକର୍ମ କରି ପୁଣି ମୁହଁରେ କହିଉଠେ-ଏହା ତ ଈଶ୍ୱରଙ୍କର ଇଚ୍ଛା । ମଙ୍ଗଳ-ସ୍ୱରୂପ ଯିଏ, ସ୍ୱେଚ୍ଛାରେ ଅମଙ୍ଗଳର ପଥରେ ଚାଲି ତାଙ୍କ ଦିଗରେ ଆଗେଇ ହୁଏ ନାହିଁ । ତେବେ ପରମପିତାଙ୍କର ରାଜ୍ୟରେ ଏକ ସୁବିଧା ଅଛି । ଯିଏ ଯେତେ ହିଁ ଅପକର୍ମ କରୁ, ସତ୍ତାର ଅବଲୁପ୍ତି କେହି ଚାହାଁନ୍ତି ନାହିଁ । ତେଣୁ ଅପକର୍ମ ଯେତେବେଳେ ନିଧନ ଡାକି ଆଣିବାକୁ ଚାହେଁ ସେତେବେଳେ ସତ୍ତା ତାହାର ଆତ୍ମରକ୍ଷାର ତାଗିଦରେ ଅପକର୍ମଠାରୁ ନିବୃତ୍ତ ହେବାର ପ୍ରେରଣା ମନୁଷ୍ୟକୁ ଯୋଗାଏ । ସେହି ସମୟରେ ଯଦି ମଣିଷ ଫେରେ, ତାହା ହେଲେ ବି ପଥ ଥାଏ ।
ଅନ୍ୟ ଜଣେ ପଚାରିିଲେ- ଲୋକମାନେ କହନ୍ତି – ଶତ୍ରୁ ଭାବରେ ଡାକିଲେ ଶତ୍ରୁର ଧ୍ୟାନ ସର୍ବଦା ରହିଥାଏ, ତେଣୁ ସହଜରେ ଭଗବାନଙ୍କୁ ପାଏ । ଏହାର ଉତ୍ତରରେ ପ୍ରେମମୟ ଭଗବାନ ଶ୍ରୀ ଶ୍ରୀଠାକୁର ଅନୁକୂଳଚନ୍ଦ୍ର ଅପକର୍ମ ଯେ କରିଥାଏ, ପୋଲିସର ଧ୍ୟାନ ତ ତା'ର ଲାଗି ହିଁ ରହିଥାଏ । ସେ ଅବସ୍ଥାରେ ସେ ପୋଲିସ୍ ନିକଟକୁ ଆଗେଇବାକୁ ଚାହେଁ ନା ପୋଲିସ ଠାରୁ ଦୂରରେ ରହିବାକୁ ଚାହେଁ?
ଆମେ ଯାହାକୁ କୌଶଳ ବୋଲି କହୁଛେ, ତାହା ପ୍ରକୃତରେ ଶଠତା ବା ଠକାମି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ମହାଭାରତରେ ଅର୍ଜୁନକୁ ଧନୁର୍ବିଦ୍ୟାରେ ଶ୍ରେଷ୍ଠତା ହେବା ପାଇଁ ଗୁରୁ ଦ୍ରୋଣାଚାର୍ଯ୍ୟ ମହାବିକ୍ରମୀ ଶୂଦ୍ରପୁତ୍ର ଏକଲବ୍ୟର ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳିକୁ ଗୁରୁ ଦକ୍ଷିଣା ଭାବେ ମାଗି ନେଇଥିଲେ । ଉଦେ୍ଦଶ୍ୟ ଥିଲା ରାଜାଙ୍କ ଦ୍ୱାରା ଧନସମ୍ପତ୍ତି ପାଇଁ ଅନୁଗୃହୀତ ହେବା । ଏପରିକି ଅର୍ଜୁନଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ଲାଗି ନିଜ ପୁତ୍ର ଅଶ୍ୱତ୍ଥାମାଙ୍କ ନାମ ଅର୍ଜୁନଙ୍କ ତଳେ ରଖିଦେଇଥିଲେ । ଅନୁରୂପ ଭାବରେ ଶଠତା ଆଚରଣ ପୂର୍ବକ ଦଶରଥଙ୍କୁ ପ୍ରଭାବିତ କରି କୈକେୟୀ ରାମଚନ୍ଦ୍ରଙ୍କୁ ୧୪ ବର୍ଷ ବନବାସ ପଠାଇଥିଲେ । ରୋମ ସାମ୍ରାଜ୍ୟରେ ଜୁଲିୟସ୍ ସିଜରଙ୍କ ପ୍ରତି ତାଙ୍କ ବିଶ୍ୱସ୍ତ ବନ୍ଧୁ ବ୍ରୁଟସ୍ଙ୍କ ବିଶ୍ୱାସଘାତକତା ପୃଥିବୀ ଇତିହାସରୁ କେବେ ଲିଭିବାରେ ନୁହେଁ । ଆମେ ସମସ୍ତେ ଲୋକକଥାରୁ ଜାଣୁ ବିଲୁଆ ଓ କୁମ୍ଭୀରର ବନ୍ଧୁତା ଓ ବିଲୁଆର ଘୋର ହିଂସ୍ର ପ୍ରତାରଣାର କଥା । ଅଙ୍ଗରକ୍ଷୀ, ଭୃତ୍ୟ ଓ ପାଚକ ମାନଙ୍କ ଦ୍ୱାରା ପ୍ରତାରିତ ହୋଇ ଅନେକ ରାଜା, ମହାରାଜା ଓ ରାଜନୈତିକ ନେତା ମୃତୁ୍ୟବରଣ କରିବା ଭଳି ଘଟଣା ଜନମାନସକୁ ଚକିତ କରିଆସିଛି । କିନ୍ତୁ ସାମ୍ପ୍ରତିକ ସମୟରେ ଏହି ଶଠତା ଓ ଠକାମି ନିତିଦିନିଆ ଘଟଣାରେ ପରିଣତ ହେଲାଣି । ଏହି ଠକାମି ଗୁଣଟି ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ତାହାକୁ ମଧୁମେହ ଓ କର୍କଟ ଭଳି ଜୀବନ ନାଶକୀୟ ବ୍ୟାଧି ସହ ମଧ୍ୟ ତୁଳନା କରାଯାଇପାରେ । ରାଜନେତାମାନେ ଠକୁଛନ୍ତି ସାଧାରଣ ଜନତାଙ୍କୁ, ବେପାରୀ ଠକୁଛି ଗ୍ରାହକଙ୍କୁ, ପ୍ରେମିକ ଠକୁଛି ପ୍ରେମିକାକୁ, ସ୍ୱାମୀସ୍ତ୍ରୀ ଠକୁଛନ୍ତି ପରସ୍ପରକୁ, ଶିକ୍ଷକ ଠକୁଛି ଛାତ୍ରକୁ, ଓକିଲ ଠକୁଛି ମହକିଲକୁ, ଆୟକରଦାତା ଠକୁଛି ସରକାରଙ୍କୁ ।
ତେବେ ଏ ଠକାମି କାହିଁକି ? ଏହା ପଛରେ ମଣିଷ ମନରେ ଥିବା ଏକ ଅସୁରକ୍ଷିତ ଭାବନା ରୂପୀ ଅଜଣା ଭୟ ହିଁ କାରର ଭାବେ ଛପି ରହିଛି । କିନ୍ତୁ ଜାଣିରଖିବାକୁ ପଡ଼ିବ ଯେ ମଣିଷ ଜୀବନରେ ଏମିତି ଏକ ଖେଳ ଅଛି ଯେଉଁଠି ଉଭୟ ପକ୍ଷ ବିଜୟୀ ହୁଅନ୍ତି । ଯିଏ ସେହି ବିଜୟର ସୂତ୍ରଟି ଜାଣିପାରିଛି ସିଏ ଏକ ଉନ୍ନତତର ଜୀବନଯାପନର ବାଟ ପାଇପାରିଛି । କାରଣ ଏ ପୃଥିବୀରେ ଥରେ ଜନ୍ମ ନେଲେ ଖସି ଯିବାର ବାଟ ନାହିଁ । କେଉଁଠି ନା କେଉଁଠି ଦିନେନା ଦିନେ ଠକାମିରେ ଲିପ୍ତ ଥିବା ମଣିଷ ନିଶ୍ଚୟ ଝୁଣ୍ଟିବ ଏବଂ ତାହା ଶେଷରେ ଅପକ୍ଷାତିର ଗ୍ଲାନିପୂର୍ଣ୍ଣ କରୁଣ ପରିଣତି ହିଁ ତାର ଭାଗ୍ୟଲିପି ହେବ ।
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ : ୯୪୩୭୦୫୧୯୫୭