କାଶ୍ମୀର ରାଜନେତା ଓ କେନ୍ଦ୍ରୀୟ ରାଜନୀତି

ଗୋପାଳ ମହାପାତ୍ର : ଜାମ୍ମୁ-କାଶ୍ମୀରରେ ବିଧାନ ସଭା ନିର୍ବାଚନ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୋଡାଠାରେ ଏକ ନିର୍ବାଚନୀ ସଭାରେ ରାଜ୍ୟର ୩ ଶାହୀ ପରିବାର ଶେଖ ଅବଦୁଲ୍ଲାଙ୍କ ପରିବାର, ମେହେବୁବା ମୁଫତିଙ୍କ ପରିବାର ଏବଂ କଂଗ୍ରେସ ପରିବାରକୁ ଟାର୍ଗେଟ କରିଥିଲେ । ଏ ଦୃଷ୍ଟିରୁ ଜାମ୍ମୁ-କାଶ୍ମୀରର ପ୍ରମୁଖ ପରିବାର ଉପରେ ଏକ ଅବତାରଣାର ଆବଶ୍ୟକତା ରହିଛି । ଶେଖ ଅବଦୁଲ୍ଲା ପରିବାରର କାହାଣୀର ଆରମ୍ଭ ଝେଲମ ନଦୀ କୂଳରେ ଅବସ୍ଥିତ ଶ୍ରୀନଗରର ସୌରାଅଞ୍ଚଳରେ ହୋଇଥିଲା । ଫାରୁକଙ୍କ ପିତା ଶେଖ ଅବଦୁଲ୍ଲା ତାଙ୍କ ଆତ୍ମକଥା “ଆତିଶ-ଏ-ଚିନାର”ରେ ଲେଖିଛନ୍ତି ଯେ ତାଙ୍କ ପୂର୍ବଜ ସପ୍ରୁଗୋତ୍ରୀୟ କାଶ୍ମୀର ପଣ୍ଡିତ ଥିଲେ । ତାଙ୍କ ଜେଜେବାପାଙ୍କ ନାମ ଥିଲା ବାଳମୁକୁନ୍ଦ କୌଲ । ସୁଫି ମୀର ଅବଦୁଲ ରଶିଦଙ୍କ ଦ୍ୱାରା ପ୍ରଭାବିତ ହୋଇ ତାଙ୍କ ଜେଜେବାପା ଇସଲାମ ଧର୍ମ ଗ୍ରହଣ କରିଥିଳେ । ୧୯୦୫ରେ ଶେଖ ଅବଦୁଲାଙ୍କ ଜନ୍ମର ଦୁଇ ସପ୍ତାହ ପୂର୍ବରୁ ତାଙ୍କ ପିତା ଶେଖ ମୋହମ୍ମଦ ଇବ୍ରାହିମଙ୍କର ଦେହାନ୍ତ ହୋଇଥିଲା । ୯ ଭାଇ ଭଉଣୀଙ୍କ ମଧ୍ୟରେ ସାନଥିଲେ ଶେଖ ଅବଦୁଲ୍ଲା । ପିଲାଦିନେ ତାଙ୍କ ପିତାଙ୍କର ଥିବା ଶାଲ ଦୋକାନରେ କାମ କରିବା ସହ ପାଠ ପଢ଼ିଥିଲେ । ଉଚ୍ଚଶିକ୍ଷା ପାଇଁ ଶେଖ ଆଲିଗତ ମୁସଲିମ ବିଶ୍ୱବିଦ୍ୟାଳୟ ଯାଇଥିଲେ ଓ ୨୫ ବର୍ଷ ବୟସରେ ସ୍ମାତକୋତ୍ତର ହାସଲ ପରେ କାଶ୍ମୀର ଫେରି ଆସିଥିଲେ । କାଶ୍ମୀରରେ ସେତେବେଳେ ଡୋଗ୍ରା ରାଜାଙ୍କ ଶାସନ ଥିଲା । ଶେଖ କାଶ୍ମୀର ମୁସଲମାନଙ୍କ ହକ୍ ପାଇଁ ସକ୍ରିୟ ହୋଇଥିଲେ । ୧୯୩୨ରେ ଆରମ୍ଭ ହୋଇଥିବା ମୁସଲିମ୍ କନଫରେନ୍ସ ନାମକ ରାଜନୈତିକ ଦଳରେ ସାମିଲ ହୋଇଥିଲେ ଓ ଧୀରେ ଧୀରେ ରାଜନେତା ପାଲଟି ଯାଇଥିଲେ । ୧୯୩୭ ମସିହାରେ ଖାନ୍ ଅବଦୁଲ ଗଫୁର ଖାଁ ଶେଖ ଅବଦୁଲ୍ଲାଙ୍କୁ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସହ ପରିଚୟ କରାଇଥିଲେ । ଶେଖ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଧର୍ମକୁ ନେଇ ଥିବା ତାଙ୍କ ବିଚାର ଧାରା ନେହେରୁଙ୍କୁ ଭେଟିବା ପରେ ବଦଳି ଯାଇଥିଲା । ୧୯୩୮ ମସିହା ଜୁନ ୨୪ ତାରିଖରେ ଶେଖ ତାଙ୍କ ମୁସଲିମ କନଫରେନ୍ସ ଦଳର ନାମ ପରିବର୍ତ୍ତନ କରି ନ୍ୟାସନାଲ କନଫରେନ୍ସ ରଖିଥିଲେ ।
ମୁସଲିମ କନଫରେନ୍ସ ଦଳର ନାମକୁ ନ୍ୟାସନାଲ କନଫରେନ୍ସ କରିବା କାରଣରୁ ଦଳର ସ୍ରଷ୍ଟା ଚୌଧୁରୀ ଗୁଲାମ ଆବାସ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ । ଅପର ପକ୍ଷେ ଦଳର ନାମ ପରିବର୍ତ୍ତନ କାରଣରୁ ଶେଖଙ୍କ ଦଳରେ ଅନ୍ୟ ଧର୍ମର ନେତାମାନେ ଯୋଡି ହୋଇଥିଲେ । ୧୯୪୭ରେ ଯେତେବେଳେ ଭାରତର ବିଭାଜନ ସ୍ଥିତି ଉପୁଜିଲା ସେତେବେଳେ କାଶ୍ମୀର ଭାରତ ସହ ମିଶିବ ନା ପାକିସ୍ଥାନ ସହ ମିଶିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିଲା । ଭାରତ ସହ ମିଶ୍ରଣ ପାଇଁ କାଶ୍ମୀରର ଡୋଗ୍ରା ରାଜା ହରିସିଂହ ଏବଂ ଶେଖ ଅବଦୁଲ୍ଲା ଦିଲ୍ଳୀ ସରକାରଙ୍କୁ କିଛି ସମୟ ମାଗିଥିଲେ । ଶେଖ ଅବଦୁଲ୍ଲା ଳେଖିଛନ୍ତି ଯେ ସେ ଦ୍ୱିରାଷ୍ଟ୍ର ସିଦ୍ଧାନ୍ତକୁ ବିରୋଧ କରୁଥିଲେ ଯେଉଁଥିପାଇଁ କଠୋର ମୁସଲିମ୍ ନେତାମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଭାରତରେ ମିଶ୍ରଣ ପାଇଁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା କଥାକୁ ସମର୍ଥନ କରିଥିଲେ ଶେଖ । ପାକିସ୍ଥାନ ସହ କାଶ୍ମୀରର ମିଶ୍ରଣକୁ ଶେଖ ଅବଦୁଲ୍ଲା ବିରୋଧ କରିବାର ଦୁଇଟି କାରଣ ଥିଲା ବୋଲି ଅନେକ ଐତିହାସିକଙ୍କ ମତ । ପ୍ରଥମ କାରଣ ହେଉଛି ଶେଖ ଓ ପଣ୍ଡିତ ନେହେରୁଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା ଓ ଶେଖ ଜିନ୍ନାଙ୍କ ରାଜନୀତିକୁ ପସନ୍ଦ କରୁନଥିଲେ । ଦ୍ୱିତୀୟ କାରଣ ହେଉଛି କାଶ୍ମୀରରେ ପଞ୍ଜାବି ମୁସଲମାନଙ୍କ ପ୍ରଭୁତ୍ୱକୁ ଡରୁଥିଲେ ଶେଖ ।
୧୯୪୭ ମସିହା ଅକ୍ଟୋବର ମାସର କଥା । କାଶ୍ମୀର ଭାରତରେ ମିଶିବ ବା ପାକିସ୍ଥାନରେ ମିଶିବ ଏ ନେଇ ରାଜା ହରିସିଂହ କୌଣସି ନିଷ୍ପତ୍ତି ନେଇନଥିଲେ । ଏଥି ସମୟରେ ପାକିସ୍ଥାନୀ ସେନା ପ୍ରୋସôାହନରେ ଆତଙ୍କବାଦୀମାନେ କାଶ୍ମୀର ଘାଟିକୁ ପଶିଆସିଲେ । ଏଣୁ ରାଜ ହରିସିଂହ ତାଙ୍କ ରାଜ୍ୟକୁ ଭାରତରେ ମିଶ୍ରଣ ପାଇଁ ନିଷ୍ପତ୍ତି ନେଲେ ଓ ନେହେରୁଙ୍କ ବଂଧୁ ଶେଖ ଅବଦୁଲ୍ଲା ମଧ୍ୟ ଏହି ନିଷ୍ପତ୍ତିରେ ରାଜିହୋଇଥିଲେ । ଶେଖ ଅବଦୁଲ୍ଲା ନେହେରୁ ଓ ହରିସିଂହଙ୍କ ମଧ୍ୟରେ ବୁଝାମଣା କରାଇଥିଲେ । ଏହି କାରଣରୁ ପଣ୍ଡିତ ନେହେରୁ ରାଜା ହରିସିଂହଙ୍କ ଉପରେ ଚାପ ପକାଇ ଶେଖଙ୍କୁ ଜାମ୍ମୁ –କାଶ୍ମୀରର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ । କିନ୍ତୁ ପରିସ୍ଥିତି ବଦଳିଯାଇଥିଲା । 
ରାଜ ହରିସିଂହଙ୍କ ପୁତ୍ର କର୍ଣ୍ଣସିଂହ “ଆତ୍ମକଥା” ନାମକ ପୁସ୍ତକରେ ଲେଖିଛନ୍ତି ଯେ ଯେତେବେଳେ ଶେଖଙ୍କୁ ଗିରଫ କରିବା ପାଇଁ କୁହାଯାଇଥିଲା ସେତେବେଳେ ସେ ନମାଜ ପଢ଼ିବା ପାଇଁ କିଛି ସମୟ ମାଗିଥିଲେ । କିନ୍ତୁ ସେଇ ସମୟ ଭିତରେ ତାଙ୍କ ରୁମ୍ରେ ଥିବା କେତେକ ଦସ୍ତାବିଜ୍ ଜାଳି ଦେଇଥିଲେ । ୧୧ ବର୍ଷ ଜେଲରେ ରହିବା ପରେ ୧୯୬୪ ମସିହା ଏପ୍ରିଲ ମାସରେ ଶେଖ ଜେଲରୁ ମୁକୁଳିଥିଲେ । ଶେଖ କିନ୍ତୁ ତା ପରଠାରୁ କାଶ୍ମୀରର ସ୍ୱାଧୀନତା କଥା ଭୁଲିଯାଇଥିଲେ । ଶେଖ ଅବଦୁଲ୍ଲା ତାଙ୍କ କନ୍ୟାକୁ ଭଲପାଉଥ୍ôଲେ ମଧ୍ୟ ଫାରୁକଙ୍କୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ବାଛିଥିଲେ । ଡାକ୍ତରୀ ପଢ଼ିବାପରେ ୧୯୬୫ ମସିହାରେ ଫାରୁକ ଲଣ୍ଡନ ଚାଲିଯାଇଥିଲେ । ସେ ଜଣେ ବ୍ରିଟିଶ ମହିଳାଙ୍କୁ ବିବାହ କରି ଲଣ୍ଡନରେ ନାଗରିକତା ମଧ୍ୟ ଗ୍ରହଣ କରିସାରିଥିଲେ । ୧୯୭୫ରେ ପାରିବାରିକ କାରଣରୁ ସେ ଭାରତ ଫେରିଥିଲେ । 
୧୯୮୨ ମସିହା ସେପ୍ଟେମ୍ବର ମାସରେ ଶେଖ ଅବଦୁଲାଙ୍କର ନିଧନ ହୋଇଥିଲା ଓ ଫାରୁକ ମୁଖ୍ୟମନ୍ତ୍ରୀ ହେବାପାଇଁ ଚାହୁଁଥିଲେ । କିନ୍ତୁ ଫାରୁକଙ୍କ ଭିଣୋଇ ଗୁଲାମ ମହମ୍ମଦ ଶାହା ଦଳର ୧୨ ଜଣ ବିଧାୟକଙ୍କ ସହ ନ୍ୟାସନାଲ କନଫରେନ୍ସରୁ ଅଲଗା ହୋଇ କଂଗ୍ରେସ ସହ ମିଶି ସରକାର ଗଠନ କରିଥିଲେ । ମହମ୍ମଦ ଶାହା ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୬ରେ ନ୍ୟାସନାଲ କନଫରେନ୍ସ ପ୍ରଚଣ୍ଡ ବହୁମତରେ ଜାମ୍ମୁ-କାଶ୍ମୀର ଶାସନଗାଦିକୁ ଆସିବାପରେ ଉମର ଅବଦୁଲ୍ଲା ରାଜନୀତିରେ ସାମିଲ ହୋଇଥିଲେ । ୧୯୯୮ରେ ଫାରୁକ ଉମରଙ୍କୁ ଲୋକସଭା ନିର୍ବାଚନରେ ଜିତାଇ ଥିଲେ । ନିର୍ବାଚନରେ ଜିତିବାପରେ ଉମର କେନ୍ଦ୍ର ସରକାରରେ ମନ୍ତ୍ରୀ ହୋଇଥିଲେ । ୨୦୦୧ ରେ କେନ୍ଦ୍ରରେ ଏନ୍ଡିଏ ସରକାରରେ ଉମର ବୈଦେଶିକ ବ୍ୟାପାର ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ । କିନ୍ତୁ ୧୭ ମାସ ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ନଭେମ୍ବର ୨୦୦୮ର ଘଟଣା । ଗୋଟିଏ ପଟେ ମୁମ୍ବାଇରେ ଆତଙ୍କବାଦୀ ଘଟଣା ଘଟିବା ପରେ ଭାରତ- ପାକିସ୍ଥାନ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଅନ୍ୟ ପରେ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେଉଥିଲା । ଫାରୁକ ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ ଏବଂ କଗ୍ରେସ ମିଳିତଭାବେ ନିର୍ବାଚନ ଲଢ଼ୁଥିଲେ । ଡିସେମ୍ବର ୨୯ରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣାପଡିଥିଲା ଯେ ୮୭ ଟି ଆସନ ବିଶିଷ୍ଟ ଜାମ୍ମୁ- କାଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସକୁ ୨୮ଟି ଆସନ ଓ କଂଗ୍ରେସକୁ ୧୭ ଆସନ ମିଳିଥିଲା । ଫାରୁକ ଅବଦୁଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା କରାଯାଉଥିଲା କିନ୍ତୁ ଦଳ ପକ୍ଷରୁ ଫାରୁକଙ୍କ ପୁତ୍ର ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଦାବି ଉଠିଥିଲା । ଫାରୁକଙ୍କ କନ୍ୟା ଫାରୁକ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଥିବା ବେଳେ ତାଙ୍କ ପତ୍ନୀ କିନ୍ତୁ ଉମର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁ ଥିଲେ । ବହୁ ଆଲୋଚନା ପରେ ଉମର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସହମତି ପ୍ରକାଶ ପାଇଥିଲା ଓ କଂଗ୍ରେସ ମଧ୍ୟ ଏଥିରେ ରାଜି ହୋଇଥିଲା । ଜାନୁୟାରୀ ୫, ୨୦୦୯ରେ ଉମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଉମରଙ୍କ ଶପଥ ଉସôବରେ ଅବଦୁଲ୍ଲା ପରିବାର ଯୋଗ ଦେଇଥିଲେ ।
୨୦୦୨ ମସିହାରେ ଉମର ଅବଦୁଲ୍ଲା ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ହୋଇଥିଲେ । ୨୦୦୨ରେ ଉମର ଚାନ୍ଦ ରବଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ନିର୍ବାଚନରେ ହାରି ଯାଇଥିଲେ । ଯଦିଓ ସେଇ ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ୨୮ଟି ଶାସନରେ ଜିତିଥିଲା ତେବେ ବି ସେ ସରକାରରେ ଭାଗନେବେ ନାହିଁ ବୋଲି ଘୋଷଣା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଉମର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ବିଜେପି ଯେଉଁ ଶିଖ ପରିବାର ଓ ମେହେବୁବା ମୁଫତିଙ୍କ ପରିବାର କଥା କହୁଛି ସେ କଥା କହିବା ପୁର୍ବରୁ ଇତିହାସକୁ ନିରିଖେଇ ଦେଖିବା ଉଚିତ୍ । ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ନ୍ୟାସନାଲ କନଫରେନ୍ସର ଉମର ଅବଦୁଲ୍ଲା ମନ୍ତ୍ରୀ ହୋଇଥିଲେ । ସେତେବେଳେ ଉମର ଓ ତାଙ୍କ ଦଳରୁ ଏନ୍ଡିଏ ଆପଣେଇଥିଲା । ଏପରିକି ବିଜେପି ମେହେବୁବା ମୁଫତିଙ୍କ ସହ ମିଶି ଜାମ୍ମୁ-କାଶ୍ମୀରରେ ସରକାର ଗଠନ କରିଥିଲେ । ଏଣୁ ରାଜନୀତିରେ ସବୁ କିଛି ସମ୍ଭବ ବୋଲି ଯାହା କୁହାଯାଏ ତାହା ଠିକ୍ ପ୍ରମାଣିତ ହେଉଛି । ଶାସନ ଗାଦି ଅକ୍ତିଆର କରିବା ପାଇଁ କିଏ କେତେ ବେଳେ କାହା ସହ ମେଣ୍ଟ କରୁଛି ତ ପୁଣି କେତେବେଳେ ତାକୁ ସମାଲୋଚନା କରୁଛି ସେ କଥା କହିବା ମୁସ୍କିଲ୍ ।
ରାମଚନ୍ଦ୍ରପୁର, ରଣପୁର
ମୋ -୯୪୩୮୪୮୫୦୯୪