ବ୍ଲକରେ ୯୮% ଖରିଫ ଧାନ କ୍ରୟ 

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକରେ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ଚଳିତ ଖରିଫ ଧାନକ୍ରୟ ୯୮ ପ୍ରତିଶତ ହୋଇଛି । ଜିଲ୍ଲା ଯୋଗାଣ ବିଭାଗରୁ ପ୍ରାପ୍ତ ସୂଚନା ଅନୁଯାୟୀ ବ୍ଲକ ୧୬ଟି ଅନୁମୋଦିତ ମଣ୍ଡି ପାଇଁ ଧାନକ୍ରୟ ଲକ୍ଷ୍ୟ ୪ଲକ୍ଷ ୮୯ ହଜାର ୫୫୪ କ୍ୱିଣ୍ଟାଲ ଧାର୍ଯ୍ୟ ହୋଇଥିଲା । ସେଥିମଧ୍ୟରୁ ଆଜି ସୁଦ୍ଧା ୯ ହଜାର୫୧୮ ଜଣ ପଞ୍ଜିକୃତ କୃଷକଙ୍କ ଠାରୁ ୪ ଲକ୍ଷ ୭୯ ହଜାର ୪୯୪.୪୯ କ୍ୱିଣ୍ଟାଲ ଧାନକ୍ରୟ ହୋଇସାରିଛି । 
କ୍ରୟ ଧାନ ପରିମାଣ ମଧ୍ୟରୁ ୪ ଲକ୍ଷ ୬୫ ହଜାର ୧୧୮.୩୧କ୍ୱିଣ୍ଟାଲ ଧାନ ମିଲରମାନେ ମଣ୍ଡିରୁ ପରିବହନ କରିସାରିଛନ୍ତି । ଅବଶିଷ୍ଟ ୧୪ହଜାର ୩୭୬.୧୮ କ୍ୱିଣ୍ଟାଲ ଧାନ ମଣ୍ଡିରେ ଗଚ୍ଛିତ ରହିଛି । ବ୍ଳକର ୧୬ଟି ମଣ୍ଡି ମଧ୍ୟରୁ ଜଳମଣ୍ଡୁଆ ପାକ୍ସ ମଣ୍ଡି ସର୍ବାଧିକ ୪୯ ହଜାର ୫୩୯.୬୪ କ୍ୱିଣ୍ଟାଲ ଧାନକ୍ରୟ କରିଛି । ରହଣିଆ ପାକ୍ସ ମଣ୍ଡି ୨ୟ ସର୍ବାଧିକ ୪୬ ହଜାର ୪୩୯.୮୭ କ୍ୱିଣ୍ଟାଲ ଧାନ କ୍ରୟ କରିଥିବା ଜଣାଯାଇଛି । ନାଆମୀ ପାକ୍ସ ମଣ୍ଡି ୪୨ ହଜାର ୮୧୪.୫୯କ୍ୱିଣ୍ଟାଲ ଧାନକ୍ରୟ କରି ୩ୟ ସ୍ଥାନରେ ରହିଛି । ୮ଟି ଏସ.ଏସ.ଜି. ମଣ୍ଡି ମଧ୍ୟରୁ ସିରିଡି ସାଈ ମଣ୍ଡି ସର୍ବାଧିକ ୩୪ ହଜାର ୩୦.୨୪କ୍ୱିଣ୍ଟାଲ ଧାନ କ୍ରୟ କରିଥିବା ଜଣାଯାଇଛି । ପଡିଆ ଓ ଅଣଚାଷ ଜମି, ଅଣଚାଷୀ ପଞ୍ଜିକରଣ ଆଦି ଗଳାବାଟର ସୁଯୋଗ ନେଇ ହାତଗଣତି କେତେକ ବେପାରୀ ଚଳିତ ବର୍ଷ ବିପୁଳ ମୁନାଫା ଉଠାଇଥିବା ଚର୍ଚ୍ଚା ହେଉଛି । ଚାଷୀମାନେ ଧାନ ବିକ୍ରୟ ସାରିଦେଇଥିବାରୁ ଏବେ ଅବଶିଷ୍ଟ ଧାନକ୍ରୟ ବେପାରୀମାନଙ୍କ ଦ୍ୱାରା ହେବା ଥୟ ।