ବ୍ୟାସ ପ୍ରିଣ୍ଟ ମିଡିଆ ସଂଘର ସପ୍ତମ ବାର୍ଷିକ ଉତ୍ସବ: ସାମ୍ବାଦିକ ସମାଜର ଦର୍ପଣ: ସମବାୟ ମନ୍ତ୍ରୀ

 ବ୍ୟାସନଗର:  ସତ୍ୟର ସନ୍ଧାନକରି ଲୋକଙ୍କ ନିକଟରେ ଖବର ପହଁଚାଉଥିବା ସାମ୍ବାଦିକ ହେଉଛନ୍ତି ସମାଜର ଦର୍ପଣ । ସେଥିପାଇଁ ସାମ୍ବାଦିକଙ୍କୁ ଜାଗ୍ରତ ପ୍ରହରୀ ବୋଲି କୁହାଯାଉଛି । ସମାଜର ପ୍ରତ୍ୟେକ ବର୍ଗଙ୍କ ଖବର ପରିବେଷଣ କରୁଥିବା ସାମ୍ବାଦିକଙ୍କ ବିଭିନ୍ନ ଦାବି ରାଜ୍ୟ ସରକାର ପୂରଣ କରିବା ଦିଗରେ ଉଦ୍ୟମ ରତ ବୋଲି ସମବାୟ, ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ ବ୍ୟାସ ପ୍ରିଂଟ ମିଡିଆ ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବରେ ମତବ୍ୟକ୍ତ କରିଛନ୍ତି । ରବିବାର ଏଠାକାର ବ୍ୟାସଦେବ ଟାଉନ ହଲ୍ରେ ଅନୁଷ୍ଠିତ ଉତ୍ସବ ସଭାପତି ଶରତ ପଥାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ବଳସାମନ୍ତ କହିଥିଲେ କି ସାମ୍ବାଦିକତା ଏକ ବୃତି ନୁହେଁ ଏହା ଏକ ବ୍ରତ, ଯାଜପୁରକୁ ଏକ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ମୁଁ ସମ୍ପୂର୍ଣ୍ଣ ଚେଷ୍ଟିତ । ବିଶିଷ୍ଟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ ସାମ୍ବାଦିକଙ୍କ ଗୋଟିଏ ଲେଖା ଓ ଫଟୋ ଭିଏତନାମା ଆମେରିକା ଯୁଦ୍ଧ ବନ୍ଦ କରିଦେଇଥିବାର ଉଦାହରଣ ରଖି ସାମ୍ବାଦିକଙ୍କ କଲମମୁନର ଶକ୍ତି କେତେ ତାହାର ସୂଚନା ରଖିଥିଲେ । ମୁଖ୍ୟବକ୍ତା ଭାବେ ବଡଖବର ଓ ସମାଲୋଚନା ଖବରକାଗଜର ସମ୍ପାଦକ ଅଦେ୍ର୍ଧନ୍ଦୁ ଦାସ ଯୋଗଦେଇ ସାମ୍ବାଦିକମାନେ କୌଣସି ପରିସ୍ଥିତରେ ନିଜ କଲମକୁ ବିକ୍ରି କରିବା ବା ସରକାରଙ୍କ ସହିତ ସାଲିସ କରି ଅନୁଗୃହିତ ହେବା ସାମ୍ବାଦିକତା ବୃତି ପାଇଁ କଳଙ୍କ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଯୋଗଦେଇ ସମ୍ବିଧାନର ଚତୁର୍ଥ ସ୍ତମ୍ବ ପାଇଁ ଆମେ ବଂଚିଛୁ ଓ ପ୍ରକୃତ ସାମ୍ବାଦିକତା ମଣିଷ ଜୀବନରେ ପ୍ରାଣ ପ୍ରତିଷ୍ଠା କରେ ବୋଲି କହିଥିଲେ ।  ଅନ୍ୟତମ ସମ୍ମାନିତ ଅତିଥି ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ସୁବାସ ବଳ ଯୋଗଦେଇ ସହରରେ ସାମ୍ବାଦିକମାନେ ଆମ ଭାଇଚାରାକୁ ବଂଚାଇ ରଖିଛନ୍ତି ବୋଲି କହିଥିଲେ । ବରିଷ୍ଠ ଉପଦେଷ୍ଟା ହାରଧନ ବାନାର୍ଜୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଡ଼.ଚିନ୍ତାମଣି ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଖବର କାଗଜ ବିକ୍ରେତା ପଦ୍ମନାଭ ବେହେରା, ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ସୁଜିତ କୁମାର ମଲ୍ଲିକ,ଶିକ୍ଷାବିତ୍ ଶ୍ୟାମସୁନ୍ଦର ପଣ୍ଡା, ନାରୀନେତ୍ରୀ ଅରୁନ୍ଧତୀ ପରିଡା, ପୃଷ୍ଟି ଅଳଙ୍କାର ଜୁଏଲର୍ସ ବ୍ୟବସାୟ ପ୍ରତିଷ୍ଠାନ, ଶିଳ୍ପଦ୍ୟୋଗୀ ଦୈତାରୀ ଧଳ, କ୍ରୀଡ଼ାବିତ ସମ୍ବିତ ମହାନ୍ତି, ଯୁବ ସମାଜସେବୀ ଅଭିଳାଷ ବୋଇତାଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କବୟିତ୍ରୀ ଜାନକୀ ପଣ୍ଡାଙ୍କ ବଣ ମଲ୍ଲୀର ମହକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ସଂଘର ବରିଷ୍ଠ ଉପଦେଷ୍ଟା ବାବୁରାମ ଜେନା,ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ,ଉପସଭାପତି ପ୍ରଦ୍ୟୁମ୍ନ ବୋଇତାଇ,ଯଜ୍ଞଦତ ତ୍ରିପାଠୀ, ସହ ସମ୍ପାଦକ ଭାରତ ରାଉତ, କୈଳାସ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, ବିଜୟ କୁମାର ସାହୁ,ଦୁଷ୍ମନ୍ତ କୁମାର ରାଉତ,ପ୍ରଶାନ୍ତ କୁମାର ପାତ୍ର,ସୁଦୀପ ମିଶ୍ର,ଜ୍ଞାନରଞ୍ଜନ ରାଉତ, ଶ୍ରୀକାନ୍ତ ବ୍ରହ୍ମ, ବିଶ୍ୱରଂଜନ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପବିତ୍ର ରଂଜନ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ସାମ୍ବାଦିକ, ବୁଦ୍ଧିଜୀବୀ, ଆଇନଜୀବୀ, ସାହିତି୍ୟକ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଯୋଗ ଦେଇଥିଲେ ।