ଭଙ୍ଗାହେବ ବୈକୁଣ୍ଠଧାମ ଆଶ୍ରମ

ଭଙ୍ଗାହେବ ବୈକୁଣ୍ଠଧାମ ଆଶ୍ରମ


ଭୁବନେଶ୍ୱର : ଆସନ୍ତାକାଲି ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ । ଦୀର୍ଘ ଦିନର ମାଲିମକଦ୍ଦମା ପରେ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବାକୁ କରାଯାଇଛି ଘୋଷଣା । ଆଶ୍ରମ ଭାଙ୍ଗିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରିଛି ବିଡିଏ । ଆସନ୍ତା କାଲି ଦିନ ୧୨ ଟା ସୁଦ୍ଧା ଆଶ୍ରମରୁ ଜିନିଷପତ୍ର ଖାଲି କରିବାକୁ ବିଡିଏ ଘୋଷଣା କରିଛି ।

ସୂଚନା ଅନୁଯାୟୀ ନିଜକୁ କଳ୍କୀ ଅବତାର କହି ବିବାଦକୁ ଆସିଥିଲା ବୈକୁଣ୍ଠ ଆଶ୍ରମ । ଖଣ୍ଡଗିରିରେ ୧୪୦ ଡିସିମିଲ୍‌ ସରକାରୀ ଜମିରେ ନିର୍ମାଣ ହୋଇଛି ଏହି ବୈକୁଣ୍ଠଧାମ ଆଶ୍ରମ । ଶ୍ରୀ ସତ୍ୟ ଅନନ୍ତ ମାଧବ ଏଠାରେ ଲୀଳାଖେଳା କରୁଥିଲେ । ସେ ପ୍ରତିଦିନ ଭକ୍ତଙ୍କୁ ଭେଟୁଥିଲେ ଓ ପ୍ରବଚନ ଦେଉଥିଲେ । ବାବାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ସରକାରୀ ଜମିରେ ନିର୍ମିତ ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲା ସାଧାରଣ ପ୍ରଶାସନ ବିଭାଗ । ଆଉ ଏହାପରେ  ନଭେମ୍ବର ୨୦ରେ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଆଶ୍ରମ ନ ଭାଙ୍ଗିବା ପାଇଁ କୋର୍ଟରୁ ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ  । ଯାହାଦ୍ୱାରା ସ୍ଥଗିତ ରହିଥିଲା ଆଶ୍ରମ ଉଚ୍ଛେଦ କାମ । ହେଲେ ଜାଲ କାଗଜପତ୍ର ଦାଖଲ କରି ରହିତାଦେଶ ଆଣିଥିବା କଥା ଜଣାପଡିବା ପରେ ହାଇକୋର୍ଟ ରହିତାଦେଶ ହଟାଇ ଦେଇଥିଲେ ।