ଭତ୍ତା ମିଳିନଥିବା ଅଭିଯୋଗ
ନାଉଗାଁ : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ବ୍ଲକର ଆକାଉଣ୍ଟଧାରୀ ଭତ୍ତା ହିତାଧିକାରୀ ମାନେ ଚଳିତ ଜୁନ ମାସରେ ଭତ୍ତା ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହାଦ୍ୱାରା ଭତ୍ତା ଉପରେ ନିର୍ଭର କରି ଚାଲୁଥିବା ବୃଦ୍ଧବୃଦ୍ଧା, ବିଧବା ମହିଳା ଓ ଦିବ୍ୟାଙ୍ଗ ବ୍ୟକ୍ତି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସୂଚନା ମୁତାବକ ନାଉଗାଁ ବ୍ଲକରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୪୫୦୦ ସଂଖ୍ୟକ ହତାଧିକାରୀ ମାନେ ଭତ୍ତା ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ପ୍ରତି ମାସରେ ଭତ୍ତା ପାଇଥାନ୍ତି । କିନ୍ତୁ କୌଣସି କାରଣ ବଶତ ଚଳିତ ମାସ ଭତ୍ତା ଅର୍ଥ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ନାଉଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୌରଜିତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଚଳିତ ଜୁନ ମାସରେ ଆକାଉଣ୍ଟଧାରୀ ବିଭିନ୍ନ ଭତ୍ତା ହିତାଧିକାରୀ ମାନଙ୍କୁ ଭତ୍ତା ବାଙ୍କିଂ ସମସ୍ୟା ଯୋଗୁ ସଠିକ ସମୟରେ ହିତାଧିକାରୀ ମାନଙ୍କୁ ମିଳିପାରିନାହିଁ । ଖୁବ ଶୀଘ୍ର ଉକ୍ତ ହତାଧିକାରୀ ମାନଙ୍କୁ ଭତ୍ତା ଅର୍ଥ ମିଳିବ ନେଇ ସେ ଉଦ୍ୟମ କରିବେ ବୋଲି କହିଥିଲେ ।