ଭାରତରେ କ୍ୟାମ୍ପସ୍ କରିବ ଲିଭରପୁଲ୍ ବିଶ୍ୱବିଦ୍ୟାଳୟ

 ନୂଆଦିଲ୍ଲୀ : ଭାରତରେ ନିଜର ଏକ କ୍ୟାମ୍ପସ ସ୍ଥାପନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ୟୁକେର ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ ଲିଭରପୁଲ ବିଶ୍ୱବିଦ୍ୟାଳୟକୁ ଲେଟର ଅଫ୍ ଇଣ୍ଟେଣ୍ଟ (ଏଲ୍ଓଆଇ) ପତ୍ର ହସ୍ତାନ୍ତର କରିଛନ୍ତି । ୟୁଜିସି ନିୟମାବଳୀ, ୨୦୨୩ ଅଧୀନରେ ଦ୍ୱିତୀୟ ବିଦେଶୀ ବିଶ୍ୱବିଦ୍ୟାଳୟ ଭାବରେ ଏହାକୁ ଏଲଓଆଇ ଜାରି କରାଯାଯାଇଛି । ଏହାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ୱାଗତ କରିବା ସହ ବିଶ୍ୱସ୍ତରୀୟ ଉଚ୍ଚ ଶିକ୍ଷାରେ ଭାରତ ବିଶ୍ୱସ୍ତ ଅଂଶୀଦାର ଭାବରେ ଉଭା ହୋଇଛି । ଆଜିର ଏଲଓଆଇ ତାହାର ଏକ ପ୍ରତିଫଳନ ବୋଲି କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଗବେଷଣା, ବିକାଶ ଏବଂ ନବସୃଜନ ଭଳି କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଥିଲେ । ଲିଭରପୁଲ ବିଶ୍ୱବିଦ୍ୟାଳୟ ନବସୃଜନ ସହ ଷ୍ଟେମ ସମ୍ବନ୍ଧୀୟ ଗବେଷଣା ଉପରେ ଧ୍ୟାନ ଦେବା ଉପରେ ପ୍ରାଥମିକତା ଦେଉଥିବାରୁ ଖୁସିପ୍ରକାଶ କରିଥିଲେ । ଲିଭରପୁଲ ବିଶ୍ୱବିଦ୍ୟାଳୟ ହେଉଛି ଭାରତରେ ନିଜର ଉପସ୍ଥିତି ଘୋଷଣା କରିବାରେ ୪ର୍ଥ ବିଦେଶୀ ବିଶ୍ୱବିଦ୍ୟାଳୟ । ଚଳିତ ଶିକ୍ଷା ବର୍ଷ ସୁଦ୍ଧା ବିଶେଷକରି ଷ୍ଟେମ୍(ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ, ମେଡିସିନ୍ ଏବଂ ବିଜନେସ) ଶିକ୍ଷାରେ ୧୫ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତକୁ ଆସିବେ । ଏ ସମାରୋହ ଅବସରରେ ରୟାଲ୍ କଲେଜ୍ ଅଫ୍ ଅବେଷ୍ଟ୍ରରିସିଆନ୍ସ ଆଣ୍ଜ ଗାଇନାକୋଲୋଜିଷ୍ଟସ୍ (ଆରସିଓଜି), ଆଷ୍ଟ୍ରାଜେନେକା ଫାର୍ମା ଇଣ୍ଡିଆ ଲିମିଟେଡ୍, ୟୁ ୱି କ୍ୟାନ୍ ଏବଂ ଡ୍ରିମ୍ ଇଲେଭେନ ସମେତ କମ୍ପାନୀ ଏବଂ ସଂଗଠନ ସହିତ ଭବିଷ୍ୟତର ସହଯୋଗୀ ସୁଯୋଗ ଅନୁସନ୍ଧାନ କରିବା ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।