ଭାରତ ବିରୋଧରେ ହେଉଛି ଷଡ଼ଯନ୍ତ୍ର: ଆଇନମନ୍ତ୍ରୀ
ପୁରୀ : ଆର୍ଥିକ କ୍ଷେତ୍ରରେ ଭାରତ ବର୍ଷ ଅଭିବୃଦ୍ଧି ହାସଲ କରି ଉଚ୍ଚ ସ୍ଥାନକୁ ଯିବା ଆରମ୍ଭ କରିଛି । ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ରାଷ୍ଟ୍ର ଭାବେ ଭାରତ ଉଭା ହୋଇଥିବା ବେଳେ ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ଏହାକୁ ସହଜରେ ହଜମ କରିପାରୁନାହାନ୍ତି । ଆଉ ଗୋଟିଏ ବର୍ଷ ପରେ ଭାରତ ବିଶ୍ୱର ତୃତୀୟ ଅର୍ଥନୈତିକ ରାଷ୍ଟ୍ରଭାବେ ପରିଗଣିତ ହେବ । ଏହି କଥା ନିଜକୁ ବିକଶିତ ଦେଶ ଭାବେ ଅଭିହିତ କରୁଥିବା କେତେକ ବିକଶିତ ରାଷ୍ଟ୍ର ହଜମ କରିପାରୁନାହାନ୍ତି । ସେ ଦୃଷ୍ଟିକୋଣରୁ ବିଶ୍ୱସ୍ତରରେ ଭାରତ ବର୍ଷ ବିରୁଦ୍ଧରେ ଗୋଟିଏ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି ବୋଲି ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି । ପୁରୀ ଗସ୍ତ ଅବସରରେ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଣମାଧ୍ୟମ ପ୍ରତିନିଧିମାନଙ୍କର କେତେକ ପ୍ରଶ୍ନର ଉତ୍ତର ଦେଇ ପ୍ରକାଶ କରିଛନ୍ତି ଯେ ଏହି ଷଡ଼ଯନ୍ତ୍ର କିଛି ଦିନ ଧରି ଆରମ୍ଭ ହୋଇଛି । ଭାରତର ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବା ଓ ତାଙ୍କ ବିରୁଦ୍ଧରେ ପୁରୁଣା କଥାକୁ ନେଇ ସମାଲୋଚନା କରିବା ଆରମ୍ଭ ହୋଇଛି । ଆମେରିକାରେ ଦଙ୍ଗା ହେଉଛି । ମହିଳାମାନଙ୍କ ପ୍ରତି ଅତ୍ୟାଚାର ମଧ୍ୟ କମ୍ ନାହିଁ । ଆମେରିକାର ଆଇନଶୃଙ୍ଖଳା ପରିସ୍ଥିତି କିଭଳି ରହିଛି ସେକଥା ମଧ୍ୟ ଟ୍ରମ୍ପ ଜାଣିଛନ୍ତି । ତାକୁ ସମ୍ଭାଳିବାର ଶକ୍ତି ତାଙ୍କ ପାଖରେ ନାହିଁ । ଓଡ଼ିଶା ବା ଭାରତ ବର୍ଷର ୬ଟି ରାଜ୍ୟରେ କ’ଣ ହେଲା ସେ ବାବଦରେ ଅଜଥା ମୁଣ୍ଡ ଖେଳାଉଛନ୍ତି । ଓଡ଼ିଶା ସରକାର କିମ୍ବା ଭାରତ ସରକାର ଯାହା ନିଷ୍ପତ୍ତି ନେଉଛନ୍ତି ତାହା ଯଥୋଚିତ ବୋଲି ମୁଁ ମନେ କରୁଛି । ବାହାରର କୌଣସି ଶକ୍ତି ଏ ବାବଦରେ ମୁଣ୍ଡ ନଖେଳାଇବା ଉଚିତ୍ ହେବ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୂଟନୈତିକ ସ୍ତରରେ ଯାହା ନିଷ୍ପତ୍ତି ନିଆଯିବା କଥା ଉଚିତ ସମୟରେ ସେ ନିଷ୍ପତ୍ତି ନିଆଯିବ । ଓଡ଼ିଶାରେ ୬ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଖୋଲାଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କୌଣସି ମହିଳା ଯେକୌଣସି ପ୍ରକାରର ଅତ୍ୟାଚାରର ଶିକାର ହେବା ବା କୌଣସି ମହିଳାଙ୍କୁ ନେଇ ଅପରାଧିକ ଘଟଣା ଘଟିଲେ ସେ କ୍ଷେତ୍ରରେ ମାସକ ଭିତରେ ମାମଲା ଫଇସଲା କରାଯିବ ଏବଂ ସଂପୃକ୍ତ ମହିଳା ତୁରିତ ନ୍ୟାୟ ପାଇବେ ବୋଲି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି ।