୨୭୫ ଏଆଇ କ୍ୟାମେରା ଲେନ୍ସରେ ରହିବ ପୁରୀ : ୬୯ଟି ଫାଷ୍ଟଏଡ୍ ସେଣ୍ଟର ଓ ୬୪ଟି ଆମ୍ବୁଲାନ୍ସ ମୁତୟନ
ପୁରୀ : ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥି ପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ପୁରୀ । ପ୍ରଶାସନ ପକ୍ଷରୁ ଏନେଇ ଘନଘନ ବୈଠକ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥଯାତ୍ରାରେ ଏଆଇ ଲେନ୍ସରେ ରହିବ ଶ୍ରୀକ୍ଷେତ୍ର । ସେବାୟତଙ୍କ ସହ ନୀତିକାନ୍ତି ସଂପର୍ଣ୍ଣ ନେଇ ଆଲୋଚନା ହୋଇଛି । ପୌରସଦନ ଠାରେ ରଥଯାତ୍ରା ଉପଲକ୍ଷେ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପସ୍ଥିତ ରହି ସୁରକ୍ଷା ସଂପର୍କରେ ସୂଚନା ଦେଇ ପୁଲିସ ମହାନିଦେ୍ର୍ଦଶକ ୱାଇ.ବି . ଖୁରାନିଆ କହିଥିଲେ ଯେ ରଥଯାତ୍ରା, ବାହୁଡ଼ାଯାତ୍ରା ଓ ସୁନାବେଶରେ ଲକ୍ଷାଧିକ ଭକ୍ତ, ଭିଆଇପି, ଭିଭିଆଇପିଙ୍କ ଆଗମନର ସମ୍ଭାବନା ରହିଛି । ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୭୫ଟି ଏ.ଆଇ କ୍ୟାମେରା ଉତ୍ତରା ଠାରୁ ପୁରୀ ଏବଂ ସହରର ବିଭିନ୍ନ ସ୍ଥାନରେ ଖଞ୍ଜା ଯିବ । ତୁ୍ରଟିଶୂନ୍ୟ ରଥଯାତ୍ରା ପାଇଁ ଓଡ଼ିଶା ପୁଲିସ ଜାଗ୍ରତ ରହିଛି । ଦୁଇ ଚକିଆ, ଚାରି ଚକିଆ ଭାରିଯାନ ପାର୍କିଂ ପାଇଁ ୩୬ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି । କୁଇକ୍ ରିଆକ୍ସନ ଟିମ୍ ଓ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ଼ ମୁତୟନ ହେବେ । ସମୁଦ୍ର ଓ ଆକାଶ ମାର୍ଗରେ ସୁରକ୍ଷା ବ୍ୟବସ୍ଥା ରହିବ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରକାଶ କରିଥିଲେ ଯେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶେଷ କରି ସହର ଭିତରେ ୬୯ଟି ଫାଷ୍ଟଏଡ଼୍ ସେଣ୍ଟର ହେବ ଓ ୬୪ଟି ଆମ୍ବୁଲାନ୍ସ ମୁତୟନ ରହିବ । ୩୭୮ଟି ସ୍ୱତନ୍ତ୍ର ଡ଼କ୍ଟର ଓ ଷ୍ଟାପ ନର୍ସ ଟିମ୍ ରହିବ । ଏମ୍ସରୁ ଚିକିସôା ବିଶେଷଜ୍ଞମାନେ ରଥଯାତ୍ରା ସମୟରେ କର୍ତ୍ତବ୍ୟ ନିର୍ବାହ କରିବେ । ୨୬୮ଟି ଜରୁରୀକାଳୀନ ଶଯ୍ୟା ସହ ବର୍ଣ୍ଣ ୱାର୍ଡ଼ ଓ ଡ଼ାଇରିଆ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେବାୟତମାନଙ୍କର ପ୍ରସ୍ତାବର ଉତ୍ତର ରଖି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ରଥଯାତ୍ରା ସୁରୁଖୁରୁରେ ସଂପାଦନ କରାଯିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ପରିଚାଳନା କମିଟି ଗଠନକୁ ନେଇ ଆଇନ ଅଦାଲତରେ ସମସ୍ୟା ଥିବାରୁ ତାହା ଗଠନ ହୋଇପାରିନାହିଁ । ରଥଯାତ୍ରା ପରେ ତାହା ଉପରେ ତର୍ଜମା କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ । ଆଗକୁ ରଥ କାଠ ଉପଲବ୍ଧ ହେବାରେ କୌଣସି ଅସୁବିଧା ନାହିଁ । ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକବର୍ଦ୍ଧନ ସିଂ ଦେଓ, ଗୃହ ନିର୍ମାଣ ଓ ନଗର ଉନ୍ନୟନମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଡ଼. ସମ୍ବିତ ପାତ୍ର, ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର, ଗୃହବିଭାଗର ଅତିରିକ୍ତ ଶାସନ ସଚିବ, ପୁରୀ ବିଧାୟକ ସୁନୀଲ ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଗଣ, ସେବାୟତ ମଠାଧୀଶ ଗଣ ଯୋଗଦାନ କରିଥିଲେ ।