ଭାଲୁକାହୁଡ଼ିରେ କିଡ୍ନୀ ରୋଗ ଅଣାୟତ :ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ
ଯାଜପୁର: ଆଦିବାସି ବସ୍ତିରେ କିଡ୍ନୀ ରୋଗ ଅଣାୟତ ହେଉଛି । ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚôତ ହୋଇ ଅକାଳରେ ଜୀବନ ଝରିପଡୁଛି । ଅଭାବ ଅନାଟନ ମଧ୍ୟରେ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଏକାଧିକ ରୋଗୀ ରୋଗ ଶଯ୍ୟାରେ ସଢୁଥିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ଯାଜପୁର ଜିଲ୍ଲାପାଳଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ରିପୋର୍ଟ ତଲବ କରିଛନ୍ତି ମାନବାଧିକାର କମିଶନ ।
ଯାଜପୁର ଜିଲ୍ଲା କୋରେଇ ବ୍ଲକ ବ୍ୟାସନଗର ତହସିଲ ଅଧିନ ପାଟରଙ୍ଗା ପଞ୍ଚାୟତର ଗୋହିରାଗାଡ଼ିଆ ଗାଁରେ କିଡ୍ନୀ ରୋଗ ବ୍ୟାପି ଅକାଳରେ ଜୀବନ ଚାଲିଯାଉଥିବା ସମ୍ପର୍କରେ ସିଭିଲ ସସାଇଟ ଫୋରମର ସମ୍ପାଦକ ତଥା ମାନବଧିକାର କର୍ମୀ ବିଶ୍ୱନାଥ ପାତ୍ର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ । କିଡ୍ନୀ ରୋଗରେ ଆକ୍ରାନ୍ତଙ୍କୁ ଅବିଳମ୍ବେ ବିନାମୂଲ୍ୟରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ସହ କିଡ଼ନୀ ରୋଗରେ ମୃତୁ୍ୟ ବରଣ କରିଥିବା ରୋଗୀଙ୍କ ପରିବାରକୁ ୨୦ଲକ୍ଷ କ୍ଷତିପୂରଣ ଦେବାକୁ ମାମଲା ରୁଜୁ କରିଛନ୍ତି । ରାଜ୍ୟ ମାନବଧିକାର କମିଶନର ଜଷ୍ଟିସ ଏସ ପୁଜାହାରି ଏହାକୁ ଗମ୍ଭିର ଭାବେ ଗ୍ରହଣ କରି ୩୬୫୯/୨୦୨୪ରେ ମାମଲା ପଞ୍ଜିକୃତ କରିଛନ୍ତି । ଆସନ୍ତା ୨୪ମାର୍ଚ୍ଚ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର ମଙ୍ଗଳ ବିଭାଗକୁ ରିପୋର୍ଟ ତୋଲବ କରିଥିବା ଜଣାପଡିଛି । ଏପଟେ ଭାଲୁକୁହୁଡି ସାନ୍ତାଳି ବସ୍ତିରେ କିଡ଼ନି ରୋଗରେ ଆକ୍ରାନ୍ତ ହୋଇ ଜସ୍ମି ଟୁଡୁ, ସାଲଖୁ ବେସରା, ସୁନାକର ସରେନ, ଉଦୟନାଥ ମୁର୍ମୁ, ଚୈତନ୍ୟ ମୁର୍ମୁ, ପାଙ୍ଗଲା ସାମାଡ଼, ଡୁମୁଣୀ ମୁର୍ମୁ ଓ ତାଙ୍କ ସ୍ୱାମୀ ମୃତୁ୍ୟବରଣ କରିଥିବା ବେଳେ ବର୍ତମାନ ୧୨ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଏକାଧିକ ଲୋକ ଏଯାବତ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଏକ ସୁନିଶ୍ଚିତ ମୃତୁ୍ୟକୁ ଅପେକ୍ଷା କରିଥିବା ଦର୍ଶାଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ସହ ମୃତକ ମାନଙ୍କୁ କ୍ଷତିପୁରଣ ଦାବିରେ ସିଭିଲ ସସାଇଟ ପକ୍ଷରୁ ବିଶ୍ୱନାଥ ପାତ୍ର ଓଏଚ୍ଆର୍ସିରେ ମାମଲା ରୁଜୁ କରି କମିଶନଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।