ବାହାର ରାଜ୍ୟକୁ ଧାନ ଚାଲାଣ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଯୋଗାଣ ବିଭାଗ ସରକାର ଓ ରିଜୋନାଲ ମାର୍କେଟକୁ ବେଖାତିରି କରି ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଶହ ଶହ ଟ୍ରକ୍ ଧାନ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଥିବା ବହୁ ମଣ୍ଡିରେ ଚାଷୀ ଅନ୍ଲାଇନ ନକରିପାରି ଓ ଯେଉଁମାନଙ୍କର ଅନ୍ ହୋଇଛି ସେମାନଙ୍କଠାରୁ ମଣ୍ଡି ଧାନ କିଣୁନଥିବାରୁ ଚାଷୀ ଧାନ ଶାଗ ମାଛ ଦରରେ ବେପାରୀକୁ ସରକାରଙ୍କର ନିଧାର୍ଯ୍ୟ ଦରଠାରୁ ବହୁ କମ୍ ଦାମ୍ରେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି । କିଛି ଦିନ ହେଲାଣି ସରକାର ନିଶ୍ଚିନ୍ତକୋଇଲି ବ୍ଲକର ୧୫ଟି ସମବାୟ ସମିତିରେ ଧାନ କ୍ରୟ କରିବା ପାଇଁ ଅନ୍ଲାଇନ ମାଧ୍ୟମରେ ଦିନ ତାରିଖ ମୋବାଇଲ ମେସେଜ୍ ଆସିଥିଲା ପରେ ମଧ୍ୟ ଉପଯୁକ୍ତ ସମୟରେ ସମବାୟ ସମିତି ମୁହଁ ଦେଖା କାରବାର କରି ଧାନ କ୍ରୟ କରୁନଥିବାରୁ ଚାଷୀ ବାଧ୍ୟ ହୋଇ ବାହାରେ ବିକୁଥିବା ଦେଖିବାକୁ ମିଳୁଛି । ଅଭାବ ଅସୁବିଧାରେ ପଡି ହାତ ଉଦ୍ଧାର କରି ଓ କରଜ କରି ଚାଷୀଟିଏ ଧାନ ଚାଷ କରିଛି । ଉପଯୁକ୍ତ ସମୟରେ ଛୋଟ ଛୋଟ ଚାଷୀଙ୍କଠାରୁ ସମବାୟ ସମିତି ଧାନ କ୍ରୟ ନକରିବାରୁ ବାଧ୍ୟ ହୋଇ ଚାଷୀଟିଏ ବାହାରେ ଧାନ ବିକୁଥିବା ମଧ୍ୟ ଦେଖିବାକୁ ମିଳୁଛି । ସରକାର ଏହା ଉପରେ ଗୁରତ୍ୱ ଦେଉନଥିବାରୁ ଚାଷୀଟିଏ ସରକାରଙ୍କ ନିଧାର୍ଯ୍ୟ ଦର ଓ ବୋନସ ପାଇବାରୁ ବଞ୍ଚôତ ହୋଇ ରହୁଛି । ସରକାର ଚାଷୀର ଆର୍ଥିକ ସମ୍ବଳ ବିକାଶ କରିବା ପାଇଁ ଯେଉଁ ଯୋଜନା ପ୍ରଣୟନ କରୁଛନ୍ତି ତାହା ତଳ ସ୍ତରରେ ଠିକ୍ କାର୍ଯ୍ୟକାରୀ ହେଉନଥିବାର ଦେଖିବାକୁ ମିଳୁଛି । ସେହିପରି ଲୁଣା-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ବନ୍ଧକାଟିଆ, ନଇଗୁଆଁ, କଳମିଶ୍ରି, ଜମରା, ପ୍ରଭୃତି ଅଞ୍ଚଳରୁ ବହୁ ବେପାରୀ ଧାନ କ୍ରୟ କରି ବାହାର ରାଜ୍ୟକୁ ପଠାଉଥିବାର ଦେଖିବାକୁ ମିଳିଛି । ଏଥିରେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବହୁ ବିଭାଗୀୟ ସରକାରୀ ଅଧିକାରୀ ସଂପୃକ୍ତ ରହୁଥିବାର ଜଣାଯାଇଛି । ବେପାରୀମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ସରକାରୀ କର୍ମଚାରୀ ସହଯୋଗରେ ବାହାରକୁ ଧାନ ବିକ୍ରି କରୁଥିବାର ଦେଖିବାକୁ ମିଳୁଛି ।