ଭୁବନେଶ୍ୱରର ନନ୍ଦନକାନନରେ ନୂଆ ଅତିଥି
ଭୁବନେଶ୍ୱର : ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ପର୍ୟ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଆସୁଛି ନୂଆବର୍ଷ । ପର୍ୟ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କର୍ତ୍ତୃପକ୍ଷ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ଜନ୍ତୁ ଆଣିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ସୁରଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜୁଲୋଜିକାଲ ଗାର୍ଡେନ ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସହିତ ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଦଳ ବଦଳ ପ୍ରକ୍ରିୟାରେ ଆସିଲେ ୪ ପ୍ରଜାତିର ୧୯ ଜୀବଜନ୍ତୁ । ୨୦ ରୁ ୩୦ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ପର୍ୟ୍ୟଟକ ଦେଖିବେ ନୂଆ ଜୀବଜନ୍ତୁ । ଶ୍ୟାମାପ୍ରସାଦ ମୁଖାର୍ଜୀ ଜୁଲୋଜିକାଲ ଗାର୍ଡେନରୁ ୪ ପ୍ରଜାତିର ୧୯ ଜୀବଜନ୍ତୁ ଆସିଥିବା ବେଳେ ଏହାର ପ୍ରତି ବଦଳରେ ନନ୍ଦନକାନନ ୫ ପ୍ରଜାତିର ୧୪ ଜୀବଜନ୍ତୁ ଦେବ।
ଆସିଥିବା ଜୀବଜନ୍ତୁ ମଧ୍ୟରେ ଅଛନ୍ତି ତିନୋଟି ଅଣ୍ଡିରା ଓ ଦୁଇଟି ମାଈ ପାଣି ଓଧ, ଦୁଇଟି ଅଣ୍ଡିରା ଧୂସର ଗଧିଆ, ପାଞ୍ଚଟି ଅଣ୍ଡିରା ଏବଂ ପାଞ୍ଚଟି ମାଈ ଭାରତୀୟ ପଥର କଇଁଛ, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରୁପେଲି କୁକୁଟ ଆସିଛନ୍ତି । ସେହିପରି ନନ୍ଦନକାନନରୁ ୫ ପ୍ରଜାତିର ୧୪ ଜୀବଜନ୍ତୁ ଯିବେ । ସେଥି ମଧ୍ୟରେ ଦୁଇଟି ମହାବଳ ବାଘ, ଦୁଇଟି ମାଈ ଧୂସର ଗଧିଆ, ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ଚଉସିଂଙ୍ଗା, ଦୁଇଟି ମାଈ ଓ ଦୁଇଟି ଅଣ୍ଡିରା କୁଟୁରା, ତିନୋଟି ମାଈ ଭାରତୀୟ ବିଲୁଆ ଦେବ । ଏହି ନୂଆ ଜନ୍ତୁ ଆସିବା ଦ୍ୱାରା ପର୍ୟ୍ୟଟକ ସଂଖ୍ୟା ବଢିବା ସହିତ ଜନ୍ତୁ ରକ୍ତ ସମ୍ପର୍କ ବଦଳି ପାରିବ । ରକ୍ତ ସମ୍ପର୍କ ବଦଳିବା ଫଳରେ ଜନ୍ତୁ ମୃତ୍ୟୁ ସଂଖ୍ୟା କମିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ମିଳିଛି ।