ମଧ୍ୟାହ୍ନ ଭୋଜନ ବନ୍ଦ; ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ପାଟିତୁଣ୍ଡ ହୋହଲ୍ଲା

 ଧର୍ମଶାଳା : ସୋମବାର ନୀଳକଣ୍ଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦକୁ ନେଇ ଅବିଭାବକ ଓ ସ୍କୁଲ ଶିକ୍ଷକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଓ କମିଟି ସଭାପତିଙ୍କ ମଧ୍ୟରେ ଝାମେଲା ଯୋଗୁଁ ଗତ୧୦ତାରିଖରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି । ଏବିଷୟରେ ଛାତ୍ରଛାତ୍ରୀ ଜଣାଇବା ପରେ ଆଜି ପୂର୍ବାହ୍ନରେ ଅଭିଭାବକ ସ୍କୁଲରେ ପହଁଚି ପାଟିତୁଣ୍ଡ କରିଥିଲେ । ପରେ ଗ୍ରାମବାସୀ, ପ୍ରଧାନ ଶିକ୍ଷକ ଓ କମିଟି ସଭାପତିଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା ପରେ ମଙ୍ଗଳବାର ଦିନରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ପ୍ରଧାନ ଶିକ୍ଷକ ଚିନ୍ମୟ ଦାସ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରତ୍ରୀମାନେ ପାଠ ପଢୁଛନ୍ତି । ସେମାନଙ୍କ ପାଇଁ ସରକାରୀ ବ୍ୟବସ୍ଥାରେ ପ୍ରତେକ ଦିନ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରହିଥିଲେ ସୁଦ୍ଧା ସ୍କୁଲ ଶିକ୍ଷକମାନେ ସରକାରୀ ବ୍ୟବସ୍ଥାକୁ ଅବମାନନା କରିଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷକ ଓ କମିଟି ସଭାପତି ପ୍ରସନ୍ନ କୁମାର ସ୍ୱାଇଁଙ୍କ ମଧ୍ୟରେ ଭୁଲ ବୁଝାବଣା କାରଣରୁ ମଧ୍ୟାହ୍ନ ଭୋଜନ ବନ୍ଦ ଥିବା ପ୍ରଧାନ ଶିକ୍ଷକ ସ୍ୱୀକାର କରିଛନ୍ତି । ସରକାରୀ ନିୟମ ସେ ଜାଣିଛନ୍ତି କିନ୍ତୁ ସଭାପତି ଜାଣି ନଥିବା କାରଣରୁ ଏଭଳି ସ୍ଥିତି ଉପୁଜୁଥିବା ଏବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଆକାରରେ ମଧ୍ୟ ଜଣାଇଥିବା କହିଛନ୍ତି । ଗ୍ରାମବାସୀ, ଅଭିଭାବକ ଓ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଆପୋଷ ସମାଧାନ ହୋଇଥିବା ବେଳେ ମଙ୍ଗଳାବର ଠାରୁ ମଧ୍ୟାହ୍ନ ଭୋଜନ ଦିଆଯିବା ନେଇ ସ୍ଥିର କରାଯାଇଛି । ଅପରପକ୍ଷରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଘର ସେହି ଗ୍ରାମର ହୋଇଥିବା ବେଳେ କମିଟି ସଭାପତିଙ୍କ ଘର ମଧ୍ୟ ସମାନ ଗ୍ରାମରେ । ତେଣୁ ଉଭୟଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କାରଣରୁ ବିଦ୍ୟାଳୟର ୧୫୦ପିଲା ମଧ୍ୟାହ୍ନ ଭୋଜନରୁ ବଂଚିତ ଥିବା ଅଭିଯୋଗ ହୋଇଛି । ସେହିପରି ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ଦିଆଯିବା ସହ ମଧ୍ୟାହ୍ନ ଭୋଜନରେ ଘୋଟାଲା ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସଭାପତିଙ୍କ ମନମାନି କାରଣରୁ ମଧ୍ୟାହ୍ନ ଭୋଜନ ବନ୍ଦ ହେବା ନେଇ  ତଦନ୍ତ କରିବାକୁ ଦାବି ହୋଇଛି ।