ମନୁ ନଦୀରେ ସ୍ଥାୟୀବନ୍ଧ ବାନ୍ଧୁଛି ବାଂଲାଦେଶ
ଗୌହାଟୀ: ଭାରତ-ବାଂଲାଦେଶର ସୀମାନ୍ତ ରାଜ୍ୟ ତ୍ରିପୁରା ପାଇଁ ସତର୍କ ଘଣ୍ଟି । ଆଗାମୀ ଦିନରେ ତ୍ରିପୁରା ପାଇଁ ବିପଦ ଆଣିପାରେ ବାଂଲାଦେଶ । ତ୍ରିପୁରା ଓ ବାଂଲା ସୀମା ଦେଇ ପ୍ରବାହିତ ମନୁ ନଦୀରେ ଉଚ୍ଚତମ ସ୍ଥାୟୀ ବନ୍ଧ ବାନ୍ଧୁଛି ବାଂଲାଦେଶ । ବାଂଲାଦେଶର ମୌଲବୀବଜାର ଜିଲ୍ଲା ଏବଂ ତ୍ରିପୁରାର ଉନାକୋଟି ଜିଲ୍ଲା ମଧ୍ୟ ଦେଇ ଯାଇଥିବା ମନୁ ନଦୀରେ ଏହି ବେଆଇନ ବନ୍ଧ ବାନ୍ଧୁଛି ବାଂଲାଦେଶ । ବାଂଲାଦେଶ ଏଭଳି ବେଆଇନ କାର୍ଯ୍ୟ କରିବା ପୂର୍ବରୁ ତ୍ରିପୁରା ପ୍ରଶାସନକୁ ଅବଗତ କରିନାହିଁ ବୋଲି ଅଭିଯୋଗ ହୋଇଛି । ଇଣ୍ଡୋ-ବାଂଲା ଚୁକ୍ତି ଅନୁସାରେ ଯଦି ଦୁଇ ଦେଶ ସ୍ଥାୟୀ ଭାବେ କୌଣସି କନ୍ଷ୍ଟ୍ରକ୍ସନ କାମ ଆରମ୍ଭ କରନ୍ତି, ତେବେ ସମୀଠାରୁ (ଜିରୋ ପଏଣ୍ଟ) ୧୫୦ ୟାର୍ଡ ପରେ କାମ କରିପାରିବେ ।
ଏହି ଅଭିଯୋଗ ପରେ ଉନାକୋଟି ଡିଏମ୍ (ଜିଲ୍ଲାପାଳ) ଦିଲ୍ଲୀପ କୁମାର ଚକମା ଏହି ବେଆଇନ ନିର୍ମାଣ ସ୍ଥଳ ବୁଲି ଦେଖିଛନ୍ତି । ସେ କହିଛନ୍ତି ଯେ, ବୋଧହୁଏ ମନୁ ନଦୀରେ ଆସୁଥିବା ବନ୍ୟାକୁ ପ୍ରତିହତ କରିବା ପାଇଁ ପୂର୍ବରୁ ଥିବା ପୁରୁଣା ବନ୍ଧକୁ ସେମାନେ ଅଧିକ ଉଚ୍ଚ କରୁଛନ୍ତି । ଏଣୁ ଏହାକୁ ଭିତ୍ତି କରି ଜିରୋ ପଏଣ୍ଟ ଠାରୁ ୩୫୦ ୟାର୍ଡ ଦୂରତାରେ ଭାରତ ପକ୍ଷରୁ ନିର୍ମିତ ବନ୍ଧକୁ ବନ୍ଧ ଅଧିକ ଉଚ୍ଚ ଏବଂ ମଜଭୁତ କରାଯିବା ଆବଶ୍ୟକ । ନଚେତ ବନ୍ୟାପାଣି ଦ୍ୱାରା ତ୍ରିପୁରା ପ୍ରଭାବିତ ହେବ । ତେବେ ବାଂଲାଦେଶ ନିର୍ମିତ କରୁଥିବା ବନ୍ଧର ଦୈର୍ଘ୍ୟ କେତେ ହେବ ତାହା ସଠିକ ଭାବେ ଜଣାପଡ଼ୁଛି । ପାଖାପାଖି ୧ କିମିରୁ ଊଦ୍ଧ୍ୱର୍ ହୋଇପାରେ ବୋଲି ଡିଏମ୍ କହିଛନ୍ତି । ଏଣୁ ବାଂଲାଦେଶର ଏଭଳି କାରନାମାକୁ ଆଖି ଆଗରେ ରଖି ଭାରତ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ ବୋଲି ସେ କହିଛନ୍ତି । ଏ ସମ୍ବନ୍ଧରେ ରାଜ୍ୟ ସରକାର ନିହାତି ଭାବେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବା ଜରୁରୀ ।
ଅପରପକ୍ଷେ ଏ ଘଟଣା ସମ୍ପର୍କରେ ସ୍ଥାନୀୟ କଂଗ୍ରେସ ନେତା ବୀରଜିତ ସିହ୍ନା ପ୍ରଥମେ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ରାଜ୍ୟ ବିଧାନସଭାରେ ମଧ୍ୟ ଏ ପ୍ରସଙ୍ଗ ଉଠାଯାଇଥିଲା । ଆଉ ସେ ସମୟରେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ । କିନ୍ତୁ ରାଜ୍ୟ ସରକାର ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ସହ ସମ୍ପୂର୍ଣ୍ଣ ଅବଗତ ନ ହେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଶ୍ରୀ ସିହ୍ନା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବାଂଲାଦେଶ ବେଆଇନ ଭାବେ ଯେତିକି ଉଚ୍ଚ ଓ ଦୈର୍ଘ୍ୟର ବନ୍ଧ ବାନ୍ଧୁଛି; ଯଦି ବନ୍ୟା ଆସେ ସେଥିରେ ଉନାକୋଟି ଜିଲ୍ଲା ନିଶ୍ଚିତ ଭାବେ ପ୍ରଭାବିତ ହେବ । ବିଶେଷ କରି କୈଳାସର ସହର ସମ୍ପୂର୍ଣ୍ଣ ରୂପେ ବୁଡ଼ିଯିବ । ଏଣୁ ଯେହେତୁ ଏହି ନଦୀର ନିମ୍ନସ୍ତରରେ ଆମର ବନ୍ଧ ତିଆରି କରାଯାଇଛି; ବାଂଲାଦେଶକୁ ଦୃଷ୍ଟିରେ ରଖି ଆମ ନଦୀ ବନ୍ଧକୁ ଆହୁରି ଉଚ୍ଚ କରିବା ଜରୁରୀ ।
ସେହିପରି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପକ୍ଷରୁ କୁହାଯାଇଛି ଯେ, ବାଂଲାଦେଶ ଯେଉଁଠାରେ ବନ୍ଧ ବାନ୍ଧୁଛି ବର୍ଷାଦିନେ ସେହି ସ୍ଥାନ ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯାଉଛି । ଏଣୁ ବନ୍ଧକୁ ଉଚ୍ଚ କରି ନିକଟସ୍ଥ ଗ୍ରାମାଞ୍ଚଳକୁ ଯାତାୟାତ ସୁବିଧା କରୁଛି । ତେବେ ପୂର୍ବରୁ ମଧ୍ୟ ବାଂଲାଦେଶ ଅନ୍ତର୍ଜାତୀୟ ସୀମାଠାରୁ ୧୫୦ ୟାର୍ଡ ମଧ୍ୟରେ ଏହିଭଳି ବନ୍ଧ ବାନ୍ଧୁଥିଲା । ଗତ ନଭେମ୍ବର ୮ରେ ବିଏସ୍ଏଫ୍ ପକ୍ଷରୁ ଏହା ଉପରେ କଡ଼ା ପ୍ରତିବାଦ କରାଯାଇଥିବାରୁ ବାଂଲାଦେଶ ଏହି କାମକୁ ବନ୍ଦ କରିଥିଲା । ତେବେ ସେ ଯାହା ହେଉନା କାହିଁକି ଇଣ୍ଡୋ-ବାଂଲା ଚୁକ୍ତିକୁ ଅବମାନନା କରି କିପରି ଭାବେ ବାଂଲାଦେଶ ଏହି ବେଆଇନ ନିର୍ମାଣ କରୁଛି ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ତୁରନ୍ତ ଭାରତ ସରକାର ଏହି ପ୍ରସଙ୍ଗରେ ନିଜର କୁଟନୀତି ଆପଣାଇ ଏହାକୁ ପ୍ରତିହତ କରିବା ଜରୁରୀ ହୋଇଛି ।