ମଶା କାମୁଡ଼ାରେ କଲବଲ ସହରବାସୀ  : କାଗଜପତ୍ରରେ ଚାଲିଛି ମଶା ଦମନ ବ୍ୟବସ୍ଥା

 ଜଟଣୀ : ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଯେପରିକି ସ୍ୱଚ୍ଛ ଭାରତ ଅଭିଯାନ ଠାରୁ ଆରମ୍ଭ କରି ମ୍ୟାଲେରିଆ ନିୟନ୍ତ୍ରଣ ଭଳି ଅନେକ ଯୋଜନା ପ୍ରଣୟନ କରାଯାଉଥିଲେ ମଧ୍ୟ ଏହା ପ୍ରକୃତରେ ପୌରାଞ୍ଚଳବାସୀଙ୍କ ହିତରେ ଆସୁ ନଥିବା ସାଧାରଣରେ ଅଭିଯୋଗ ହେଉଛି । 
ମଶା କାମୁଡାରେ ଅସ୍ତବ୍ୟସ୍ତ ଜନତା ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗରେ ଆକ୍ରାନ୍ତ ହୋଇ ଲୋକମାନେ ବେସରକାରୀ ଡାକ୍ତରଖାନା, ନର୍ସିଂହୋମରେ ଚିକିତ୍ସା କରିବା ସହ ଅହୁରି ଅନେକ ଔଷଧ ଦୋକାନରୁ ଔଷଧ କିଣି ଖାଉଛନ୍ତି । ପୌରାଞ୍ଚଳରେ ଅଧିକାଂଶ ନାଳନର୍ଦ୍ଦମା ଗୁଡିକ ଜବର ଦଖଲରେ ରହିବା ଫଳରେ ବର୍ଷାଜଳ ହେଉ ବା ଘରମାନଙ୍କରୁ ବାହାରୁଥିବା ବ୍ୟବହୃତ ଜଳ ନିଷ୍କାସନ ସଠିକ୍ ଭାବେ ହୋଇ ନପାରି । ଉଦ୍ବୃତ୍ତ ନର୍ଦ୍ଦମା ଜଳର ପ୍ରବାହ ଏଠି ସେଠି ଜମି ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି । ବହୁ ଗଳିକନ୍ଦିରେ ଅଳିଆ ଆବର୍ଜନା ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ପରିବେଶକୁ ଆହୁରି ଜଟିଳ କରୁଛି । ପୂର୍ବରୁ ଯେଉଁଭଳି ଭାବେ ପ୍ରତ୍ୟେକ ୱାର୍ଡରେ ସ୍ୱଚ୍ଛତା ରହୁଥିଲା କି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଅଳିଆ ସାଙ୍ଗକୁ ନର୍ଦ୍ଦମା, ପାଇଖାନା ଜଳର ଧାରାକୁ ସିଧାସଳଖ ଡ୍ରେନ୍କୁ ନଛାଡିବା ପାଇଁ ସଚେତନ କରାଯାଉଥିଲା ତାହା ଏବେ ଏକ ପ୍ରକାର ସ୍ଥାଣୁ ପାଲଟିଛି । ମଶା କାମୁଡାରେ ସହରବାସୀ ଅସ୍ତବ୍ୟସ୍ତ ଓ ଅତିଷ୍ଠ ହୋଇପଡିଥିବା ପରିଲକ୍ଷିତ ହେଉଛି । ମଶା ବଂଶ ଦମନ ପାଇଁ ୧୯୯୩ ମସିହାରେ ୩ ଲକ୍ଷ ୨୨ ହଜାର ୫୬ ଟଙ୍କା ବ୍ୟୟରେ କିଣା ଯାଇଥିବା ଟିଫା ମେସିନ୍ ଟି ଆସିବା ଦିନଠାରୁ କାଁଭାଁ ଚାଲି କୋମାରେ ଥିବା ବେଳେ, ଆଉ କେଇଟା ମେସିନ୍ ମଧ୍ୟ ଲୋକ ଦେଖାଣିଆ ଭାବେ କେବେ କେମିତି ଚାଲୁଛି । ସେହିପରି ସବୁ ୱାର୍ଡ ଗୁଡିକରେ ମଶା ତେଲ ଓ ବ୍ଲିଚିଙ୍ଗ ପାଉଡର ପକାଯିବା ପାଇଁ ଉଦ୍ଧିଷ୍ଟ ଥିଲେ ମଧ୍ୟ ତାହା କ୍ୱଚିତ୍ କୋଉଠି ପଡୁଥିବା କାହାରିକି ଜଣା ନାହିଁ ହେଲେ ଏହି ବାବଦରେ ବହୁ ଟଙ୍କା ହେରଫେର ହେଉଥିବା ଜଣାପଡିଛି । ଅନ୍ୟପକ୍ଷରେ ଆଇନଜୀବୀ ତଥା କାଉନସିଲର ଶଶାଙ୍କ ଶେଖର ରାୟ ଏବଂ ବିଷ୍ଣୁ କୁମାର ସାହୁ କହିଛନ୍ତି ଦୀର୍ଘବର୍ଷ ତଳେ ମୁ୍ୟନିସିପାଲଟି ପକ୍ଷରୁ ପ୍ରତ୍ୟେକ ସପ୍ତାହରେ ଥରେ ଅଧେ ଟିଫା ମେସିନ୍ ଚାଲୁଥିଲା । ଧାରାବାହିକ ଭାବେ ମଶା ତେଲ ମଧ୍ୟ ନଳା ନର୍ଦ୍ଦମାରେ ସଫେଇ କର୍ମଚାରୀଙ୍କ ଦ୍ୱାରା ପକାଯାଉଥିଲା । ବର୍ତ୍ତମାନ ମଧ୍ୟ ସେହି ଅକଳନ ଦେଖିଲେ ପ୍ରତ୍ୟେକ ୱାର୍ଡ ପାଇଁ ମାସକୁ ୫୦-୬୦ ହଜାର ଟଙ୍କା ଖର୍ଚ୍ଚ ହୁଅନ୍ତା କିନ୍ତୁ ସେହି ବ୍ୟବସ୍ଥାକୁ ପରିଚାଳନା ନକରାଇ ଅସାଧୁ ଉପାୟରେ ମାସକୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ନୀତିକୁ ପ୍ରଶ୍ରୟ ହୋଇଛି । ସେହିପରି ପୂର୍ବତନ କାଉନସିଲର ସଂଗ୍ରାମ କେଶରୀ ରାଉତରାୟ କହିଛନ୍ତି ମୁ୍ୟନିସିପାଲିଟି ପକ୍ଷରୁ ମଶା ତେଲ ଓ ଧୂଆଁ ନଦିଆଯିବା ବ୍ୟବସ୍ଥା ନୈରାଶ୍ୟଜନକ ତେଣୁ ସହରବାସୀଙ୍କ ଠାରୁ ଆଦାୟ ଟ୍ୟାକ୍ସ ଟଙ୍କାରୁ ସ୍ୱଳ୍ପ ବ୍ୟୟରେ ମଶା ବଂଶ ଦମନ ବ୍ୟବସ୍ଥା କରାଗଲେ ଜନତା ଉପକୃତ ହୁଅନ୍ତେ । ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଜନସାଧାରଣଙ୍କ ହିତସାଧନ ପାଇଁ ମୁ୍ୟନିସିପାଲଟି ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉନାହିଁ । ବ୍ୟକ୍ତିଗତ ଲାଭ ହାସଲ ପାଇଁ ଯିଏ ଯାହା ବାଟରେ ହରିଲୁଟ କରିପାରିଲା, ଜନତାଙ୍କ ସ୍ୱାସ୍ଥ୍ୟ କଥା ପଚାରେ କିଏ କ୍ଷ ଡ୍ରେନ୍ ଉପରୁ ଜବର୍ ଦଖଲ ଉଚ୍ଛେଦ ନକରି ଲୋକଦେଖାଣିଆ ପଙ୍କ ଉଦ୍ଧାର କରିବା ଫଳରେ ନର୍ଦ୍ଦମା ଜଳର ପ୍ରବାହ ଜମି ରହି ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି କ୍ଷ କିଛି ନିର୍ବାର୍ଚିତ ପ୍ରତିନିଧି ମାନେ ୱାର୍ଡର ପ୍ରକୃତ ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା ନକରି ନିଜ ନିଜର ଅହଙ୍କାର ଓ ଚାଟୁକାରରେ ମସଗୁଲ ରହି ସହର ବାସିନ୍ଦାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସାରିଲେଣି । ବଜାରଠାରୁ ଆରମ୍ଭ କରି ଗଳିକନ୍ଦିରେ ସବୁଆଡେ ଆବର୍ଜନା, ମଶା ତେଲ କି ଧୂଆଁ ଦିଆଯାଉନାହିଁ । ମଶା କାମୁଡାରେ ସର୍ବାଙ୍ଗ ଶରୀର କୁଣ୍ଡିଆ ହୋଇ ଫୁଲି ଯାଉଛି । ଯାହାର ପ୍ରତିକାର ନିଜେ ନିଜେ କରିବାକୁ ପଡୁଛି ବୋଲି ବରିଷ୍ଠ ନାଗରିକ ମତ ପ୍ରକାଶ କରିଛନ୍ତି । ଅପରପକ୍ଷେ ପୌର କର୍ତ୍ତୁପକ୍ଷ ଉଚ୍ଚିତ ପଦକ୍ଷେପ ଗ୍ରହଣ କରି ସହରବାସୀଙ୍କୁ ମଶା କାମୁଡିବା ଦାଉରୁ ରକ୍ଷା କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।