ମହିଳା ଏବଂ ବାଳିକା ହିଂସା ବିରୋଧୀ ପକ୍ଷ ଉଦ୍ୟାପିତ
ଯାଜପୁର ଟାଉନ: ଗତମାସ ୨୫ତାରିଖରୁ ଆରମ୍ଭ ହୋଇଥିବା ମହିଳା-ବାଳିକା ହିଂସା ବିରୋଧି ପକ୍ଷ ମଙ୍ଗଳବାର ଉଦ୍ୟାପିତ ହୋଇଯାଇଛି । ଅତିଥି ଭାବେ ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ଜିଲା ସମାଜ ମଙ୍ଗଳ ଅଧିକାରୀ ସବିତା ଚ୍ୟାଉ ପଟ୍ଟନାୟକ ଯୋଗ ଦେଇ ଲିଙ୍ଗ ଭିତିକ ହିଂସା ଘରୋଇ ହିଂସା, କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନ ଓ ତାହାର ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ବାଲ୍ୟ ବିବାହ, ଶିଶୁ ଶ୍ରମିକ "୧୦୯୮" ଚାଇଲ୍ଡ ଲାଇନ ଉପରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଏବଂ ଆଇନଜୀବୀ ଅଖିଳ ମୋହନ ଦାସ ନାରୀ ସୁରକ୍ଷାର ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏଥିରେ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ କିଶୋର ବାଳକ ଏବଂ ବାଳିକା, ଶକ୍ତି ସଦନ କର୍ମଚାରୀ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ପ୍ରତିଯୋଗିତାର କୃତି ବାଳକ ବାଳିକାଙ୍କୁ ପୁରସ୍କୃତ କରାଯାଇଥିଲା । ଦଶରଥପୁର ବ୍ଲକ, ବିରଜାପୁର ପଞ୍ଚାୟତର ସରପଞ୍ଚ ନିରାକାର ସାହୁଙ୍କୁ ସମାଜ କଲ୍ୟାଣ ଓ ବାଲ୍ୟ ବିବାହ ନିଷେଧ ଓ ନିୟନ୍ତ୍ରଣ କ୍ଷେତ୍ରରେ ଅବଦାନ ନିମନ୍ତେ ତାଙ୍କୁ ଜିଲା ସମାଜ ମଙ୍ଗଳ ତରଫରୁ ସମ୍ମାନିତ କରାଯାଇଥିଲା । ଏଥିରେ ନିବେଦିତା ଶରଣ (କେନ୍ଦ୍ର ପରିଚାଳିକା, ସଖୀ), ଯାଜପୁର ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସଙ୍ଗେସଙ୍ଗେ କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ଉପରେ ଆଲୋକପାତ କରିଥିଲେ । ଜିଲା ସମାଜ ମଙ୍ଗଳ ବିଭାଗ କର୍ମଚାରୀ ଏବଂ ସଖୀ କର୍ମଚାରୀ ସହଯୋଗ କରିଥିଲେ । ଜିଲା ସଂଯୋଜିକା ଆକ୍ସନ ଏଡ଼ ରୋଜାଲିନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।