ବାଲି ଗାଡ଼ି ପାଇଁ ରାସ୍ତାରେ ଫସିରହିଲା ଆମ୍ବୁଲାନ୍ସ

 କବାଟବନ୍ଧ: ଧର୍ମଶାଳା ତହସିଲ ରାଇଛନ୍ଦା ଘାଟରୁ ବୋଝେଇ ହୋଇ ଆସୁଥିବା ବାଲି ଗାଡ଼ି ରାସ୍ତାରେ ଭିଡ଼ ଜମାଉଛନ୍ତି । ବାଲିଗାଡ଼ି ପାଇଁ ଅନେକ ସମୟରେ ଯାତ୍ରୀ ହିନସ୍ତା ଭୋଗିଥାନ୍ତି । ତେବେ ବାଲିଗାଡ଼ି ପାଇଁ ଜରୁରୀକାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସ ଫସି ରହୁଥିଲେ ହେଁ ଏଥିପ୍ରତି ପ୍ରଶାସନ କିନ୍ତୁ ନଜରଅନ୍ଦାଜ କରି ଚାଲିଛି । ଯାହା ଫଳରେ ରୋଗୀ ଶୀଘ୍ର ମେଡ଼ିକାଲରେ ପହଞ୍ଚôବା ବଦଳରେ ରାସ୍ତାରେ ଘଣ୍ଟାଘଣ୍ଟା ଅଟକି ରହୁଛି । ରବିବାର ଏଭଳି ଦୃଶ୍ୟ ଧର୍ମଶାଳା ବ୍ଲକ କବାଟବନ୍ଧ ବ୍ରାହ୍ମଣୀ ବ୍ରିଜ ବଜାରରେ ଦେଖିବାକୁ ମିଳିଥିଲା । ବାଲିଗାଡ଼ି ପାଇଁ ଭିଡ଼ରେ ଫସିରହିଲା ଆମ୍ବୁଲାନ୍ସ । ବେଆଇନ ବାଲି ପରିବହନ ପାଇଁ ବାରମ୍ବାର ଏଭଳି ସମସ୍ୟା ଉପୁଜୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଧର୍ମଶାଳା ତହସିଲ ଅନ୍ତର୍ଗତ ରାଇଛନ୍ଦା ବ୍ରାହ୍ମଣୀ ବ୍ରିଜ ବାଲି ଘାଟକୁ ସରକାରୀ ଅନୁମତି ମିଳିଛି । ଏହି ଘାଟ ଅନୁମତି ମିଳିଛି ସତ ହେଲେ ଲିଜଧାରୀ ମନଇଚ୍ଛା ବେଆଇନ ବାଲି ଉତୋଳନ କରି ଦିନରାତି ବେଧଡକ ଭାବରେ ପରିବହନ କରିଚାଲିଛନ୍ତି । ଶହଶହ ଟ୍ରିପ ବାଲି ପରିବହନ କରାଯାଉଥିବାରୁ ଟ୍ରାଫିକ ସମସ୍ୟା ହେଉଛି । ଦିନରାତି ଭାରୀଯାନ ବଜାର ରାସ୍ତା ଦେଇ ଯିବାଆସିବା କରିବାରୁ ମେଡିକାଲ, ସ୍କୁଲ ଭ୍ୟାନ, ଛାତ୍ରଛାତ୍ରୀ, ସାଧାରଣ ଜନତା ସମସ୍ୟା ଭୋଗୁଛନ୍ତି । ବାଲି ପରିବହନ ଏବଂ ଉତୋଳନ ପାଇଁ ନିର୍ଦ୍ଦିଷ୍ଟ ନିୟମ କରାଯାଇଛି । ହେଲେ ନିୟମକୁ ଅମାନ୍ୟ କରୁଥିବା ଲିଜଧାରୀଙ୍କ ବିରୁଦ୍ଧରେ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଜିଲା ପ୍ରଶାସନ ଏଭଳି ଏକ ସମ୍ଭେଦନଶୀଳ ଘଟଣାକୁ ଗୁରୁତର ସହ ନେବାକୁ ସାଧାରଣରେ ଦାବି କରାଯାଇଛି ।