ମାଛ ଚାଷ ପାଇଁ ଗାଁ ପୋଖରୀ ଦୂଷିତ
ନୀଳଗିରି : ଏକ ଗାଁର ବସ୍ତି ପୋଖରୀକୁ ସ୍ଥାନୀୟ ବାସିନ୍ଦା ବ୍ୟବହାର କରୁଥିବାବେଳେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଉକ୍ତ ପୋଖରୀରେ ମାଛ ଚାଷ କରୁଛନ୍ତି । ଯାହାଫଳରେ ପୋଖରୀରେ ମାଛ ଦାନା ଠାରୁ ଆରମ୍ଭ କରି କୁକୁଡ଼ା ପୁଣ୍ଟି, ଛେଳି ପୁଣ୍ଟି, ନାଡ଼, ୟୁରିଆ ସାର ସହ ମାଛ ବଢ଼ିବା ପାଇଁ ବିଭିନ୍ନ ପ୍ରକାରର ଉନ୍ନତମାନର ରାସାୟନିକ ପଦାର୍ଥ ପ୍ରୟୋଗ କରିବା ଫଳରେ ପାଣିଟି ବିଷାକ୍ତ ହୋଇଛି । ଯାହାକୁ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବସ୍ତିବାସିନ୍ଦା । ଏଭଳି ଏକ ଘଟଣା ନୀଳଗିରି ଏନ୍ଏସି ଅନ୍ତର୍ଗତ କାହାଳିଆ ମୌଜାର ପଡାଗ୍ରାମ ପୋଖରୀସାହିରେ ଦେଖିବାକୁ ମିଳିଛି ।
ଉକ୍ତ ସାହିରେ ଥିବା ପୋଖରୀରେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନେ ମାଛ ଚାଷ କରିବା ଫଳରେ ପାଣି ବିଷାକ୍ତ ହୋଇ ବ୍ୟବହାର ଅନୁପଯୋଗୀ ହୋଇଯାଇଛି । ବିଶେଷ କରି ପୋଖରୀ ସାହିରେ ୭୫୦ରୁ ଊଦ୍ଧ୍ୱର୍ ଲୋକ ବସବାସ କରୁଛନ୍ତି । ଭକ୍ତ ପୋଖରୀ ଉପରେ ଲେଙ୍କାସାହି ଓ ସିମୁଳିଆ ମୌଜାର ଲୋକମାନେ ନିର୍ଭରଶୀଳ କରନ୍ତି । ପାଞ୍ଚ ବର୍ଷ ହେବ ଉକ୍ତ ପୋଖରୀକୁ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନେ ମାଛ ଚାଷ କରିବା ଫଳରେ ସାଧାରଣ ଲୋକ ପାଣି ବ୍ୟବହାର କରିପାରୁ ନାହାନ୍ତି । ଏଭଳି ରାସାୟନିକ ସାର ଓ କୁକୁଡ଼ା ଖାଦ୍ୟ ପାଇଁ ବିଷାକ୍ତ ହେବା ଦ୍ୱାରା ଉକ୍ତ ପୋଖରୀ ପାଣିଙ୍କୁ ଗୋରୁଗାଈ ପିଇବା ଯୋଗୁଁ ମୃତୁ୍ୟ ମୁଖରେ ପଡ଼ୁଛନ୍ତି । ଏ ନେଇ ଗ୍ରାମର ପ୍ରିୟଙ୍କା ଦାସ, ଦେବସ୍ମିତା ମହାନ୍ତି, ସାରସ୍ୱତୀ ମହାନ୍ତି, ସୁମତି ମହାନ୍ତି, ଚୁନିଲତା ବେହେରା, ନିରୁପମା ବେହେରା, ସେବତୀ ରାଣୀ ବେହେରା, ଶକୁନ୍ତଳା ବେହେରା, ସସ୍ମିତା ବେହେରା ପ୍ରମୁଖ ବାସିନ୍ଦା ନୀଳଗିରି ଉପଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇ ଏକ ଲିଖିତ ଅଭିଯୋଗ ଦେଇଥିବାବେଳେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ନ ହେଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।