ସହିଦ ବାବୁରାମଙ୍କ ତିରୋଧାନ ଦିବସ
ବଡ଼ସାହି: ବଡ଼ସାହି ବ୍ଲକ ଅନ୍ତର୍ଗତ ଯୋଗିନୁଆଗାଁ ଗ୍ରାମର ବରପୁତ୍ର ଝୁମର ସହିଦ ବାବୁରାମ ମହାନ୍ତଙ୍କ ୪୪ ତମ ତିରୋଧାନ ଦିବସ ଜୟ ଗରାମ ଟିଭିର ପ୍ରତିଷ୍ଠାତା କବି ମନୋଜ କୁମାର ମହାନ୍ତଙ୍କ ଆବାହକତ୍ୱରେ ଏବଂ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସ୍ୱର୍ଗତ ବାବୁରାମ ମହାନ୍ତଙ୍କ ସହଧର୍ମିଣୀ ମକରୀ ମହାନ୍ତ, ବିଶିଷ୍ଟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦୀପକ କୁମାର ପାତ୍ର, ମୁଖ୍ୟବକ୍ତା ଭାବେ କୁଡୁମୀ ସଂସ୍କୃତିର ଉପାସକ ସୁପ୍ରସିଦ୍ଧ ଝୁମର ଗବେଷକ ଶଶଧର ମହାନ୍ତ, ଅନ୍ୟତମ ଅତିଥି ଭାବେ ଗୁରୁଦେବ ମହାନ୍ତ, ସାମ୍ବାଦିକ ଗତିକୃଷ୍ଣ ମହାନ୍ତ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବାବୁରାମ ମହାନ୍ତଙ୍କର ୪୪ତମ ତିରୋଧାନ ଦିବସରେ ଝୁମର ସଂସ୍କୃତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଅନେକ ତଥ୍ୟ ସମ୍ବଳିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମକାରୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଝୁମର ସଂସ୍କୃତିରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଝୁମର ଗବେଷକ କବି ଶଶଧର ମହାନ୍ତ, ଗାୟକ ଭାବେ ଅଜୟ କୁମାର ମହାନ୍ତ, ଝୁମର ଗୀତ ରଚନା ପାଇଁ ଗୁରୁଦେବ ମହାନ୍ତ, ବାଦ୍ୟ ପାଇଁ ସୁରେନ୍ଦ୍ର ମହାନ୍ତ ଏବଂ ସତ୍ୟ ସାଧନ ମହାନ୍ତଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଝୁମର ସହିଦ ବାବୁରାମ ମହାନ୍ତ ସ୍ମୃତି ପରିଷଦର ଆବାହକ କବି ମନୋଜ କୁମାର ମହାନ୍ତ ପରିଚାଳନା କରିଥିଲେ । ଶେଷରେ ଯୁବନେତା ତରଣୀକାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।