ମାତୃଶକ୍ତିର ଜ୍ୱଳନ୍ତ ପ୍ରତୀକ ମା’ ରମାଦେବୀ

ମାତୃଶକ୍ତିର ଜ୍ୱଳନ୍ତ ପ୍ରତୀକ ମା’ ରମାଦେବୀ

ମୀରା ବେଉରା : ପବିତ୍ର ଭୂମି ଉତ୍କଳର ଶିଳାଭୂମି ତଳେ ଲୁଚି ରହିଛି ଅନେକ ମହିୟସୀ ନାରୀଶକ୍ତି ମାନଙ୍କର ତ୍ୟାଗ, ତିତିକ୍ଷା, ସାଧନା, ସଂଗ୍ରାମ ଏବଂ ବିପ୍ଳବଭରା କାହାଣୀ । ତତ୍‌କାଳୀନ ରକ୍ଷଣଶୀଳ ସମାଜରେ ଜନ୍ମଲାଭ କରି ଅନେକ ବାଧା, ବିପତ୍ତି, ପ୍ରତିବାଦ, ବିରୋଧ ତଥା ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ଯେଉଁ ମହିୟସୀ ନାରୀମାନେ ନିଜର ଜୀବନବ୍ୟାପୀ ସାଧନା, ସଂଗ୍ରାମ ଜାରିରଖି ସମଗ୍ର ମାତୃଜାତି ପାଇଁ ଚିରନମସ୍ୟା ପାଲଟି ଥିଲେ ସେମାନଙ୍କ ମଧ୍ୟରେ ମା’ ରମାଦେବୀ ଥିଲେ ମାତୃଜାତିର ପ୍ରକୃତ ନିଦର୍ଶନ । କେବଳ ହିଂସା କି ରକ୍ତପାତରେ ସ୍ୱାଧୀନତା ସଂଗ୍ରାମ ସମ୍ଭବ ନୁହେଁ, ଶାନ୍ତି, ଅହିଂସା ମାଧ୍ୟମରେ ତତ୍‌କାଳୀନ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମକରି ଏକ ନୂତନ ଓଡ଼ିଶା ନିର୍ମାଣର କେବଳ ସ୍ୱପ୍ନ ଦେଖିନଥିଲେ ମା’ ରମାଦେବୀ ଗାନ୍ଧିଜୀଙ୍କ ମହାନ୍‌ ଆଦର୍ଶରେ ଅନୁପ୍ରାଣିତ ହୋଇ ନାରୀଶକ୍ତିର ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ପୂର୍ବକ ମାତୃଜାତି ପାଇଁ ଆଦର୍ଶ ମା’ଟିଏ ପାଲଟି ଯାଇଥିଲେ । ପ୍ରକୃତରେ ସେ ଥିଲେ ପ୍ରଚଣ୍ଡ ଦେଶପ୍ରେମୀ, ତ୍ୟାଗ, ତିତିକ୍ଷାର ଏକ ଜ୍ୱଳନ୍ତ ନିଦର୍ଶନ ।


    ନାରୀକୁ ବ୍ୟକ୍ତି ଭାବେ ପ୍ରତିଷ୍ଠା କରିବାପାଇଁ ଏବଂ ନାରୀଜାତିର ସଂପୂର୍ଣ୍ଣ କଲ୍ୟାଣ ପାଇଁ କୁସଂସ୍କାର, ଅଶିକ୍ଷା, ଅନ୍ଧବିଶ୍ୱାସ, ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଏକ ସୁସ୍ଥ ସମାଜ ଗଠନ କରିବାପାଇଁ ଯିଏ ଆଜୀବନ ସାଧନାରେ ବ୍ରତୀ ଥିଲେ ସେ ଥିଲେ ମା’ ରମାଦେବୀ । ପିତା ଭୀମା ଭୂୟାଁ ଉପନ୍ୟାସର ଲେଖକ ଗୋପାଳବଲ୍ଲଭ ଦାସ ଓ ମା ବସନ୍ତ କୁମାରୀ ଦେବୀଙ୍କ କୋଳମଣ୍ଡନ କରି ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକରୁ ମାତ୍ର ୨୦ କି.ମି ଦୂର ସତ୍ୟଭାମାପୁର ଠାରେ ମା’ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ଗୋଟିଏ ପଟେ ଉତ୍କଳଗୌରବ ମଧୁସୂଦନ ଦାସଙ୍କର ପରିବାରର ଅଲିଅଳ କନ୍ୟା ଥିଲାବେଳେ ଆଉ ଗୋଟିଏ ପଟେ ସମ୍ଭ୍ରାନ୍ତ ଆଭିଜାତ୍ୟ ଥିବା ଧନିକ ପରିବାରର ବଧୂ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଡେପୁଟି କଲେକ୍ଟର ଗୋପବନ୍ଧୁ ଚୌଧୁରୀଙ୍କର ପତ୍ନୀ ଥିଲେ ମା’ ରମାଦେବୀ । କହିବାର ତାତ୍ପର୍ଯ୍ୟ ହେଉଛି ଏତେ ବଡ଼ ଆଭିଜାତ୍ୟ ସମ୍ପନ୍ନ ଘରର କନ୍ୟା ଏବଂ ଉଚ୍ଛପଦସ୍ଥ ଘରର ବୋହୂ ହୋଇ ମଧ୍ୟ ମନରେ ତାଙ୍କର ଟିକିଏ ବି ଗର୍ବ କି ଅହଂକାର ନଥିଲା, ବରଂ ତାଙ୍କର ସମଗ୍ର ଜୀବନକୁ ସେ ଦୁଃଖୀ, ଦରିଦ୍ର, ପୀଡ଼ିତ, ଅସହାୟ, ପଛୁଆବର୍ଗ, ହରିଜନ, ଆଦିବାସୀପାଇଁ ନିର୍ଦ୍ୱନ୍ଦ୍ୱରେ ଉତ୍ସର୍ଗ କରିଥିଲେ ।

     ଗୋଟିଏ ପଟେ ଫୁଲପରି କୋମଳ ହୋଇ ମା’ର ଭୂମିକା ନିର୍ବାହ କରି ଓଡ଼ିଶାର ଅବହେଳିତ ଶିଶୁ, ମହିଳା, ପୀଡ଼ିତା ମାନଙ୍କ ବିକାଶ ପାଇଁ ସର୍ବଦା ଯତ୍ନଶୀଳା ଥିଲାବେଳେ ଆଉ ଗୋଟିଏ ପଟେ ଦେଶର ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀ ସାଜି ନାରୀ ସଶକ୍ତିକରଣର ପ୍ରତୀକ ସାଜି ମହିଳା ଅଧିକାର, କର୍ତ୍ତବ୍ୟ ପାଇଁ ଆଜୀବନ ସଂଗ୍ରାମରେ ବ୍ରତୀ ଥିଲେ ମା’ ରମାଦେବୀ । ଅଳଙ୍କାର କଥା ଛାଡ଼ନ୍ତୁ ପାଦରେ ଚପଲଟିଏ ମଧ୍ୟ ନଥିଲା ତାଙ୍କର । ନିଜେ ଅରଟରେ ସୂତା କଟାହୋଇ ବୁଣା ଯାଇଥିବା ଖଦଡ଼ ଶାଢ଼ି ପିନ୍ଧୁଥିଲେ ମା’ ରମାଦେବୀ । ଏହାହିଁ ସୂଚାଇଦିଏ ତାଙ୍କର ଜୀବନଚର୍ଯ୍ୟା କିପରି ସଂପୂର୍ଣ୍ଣ ନିରାଡ଼ମ୍ବର, ସାଧାରଣ ଏବଂ ସରଳ ଥିଲା । ମା’ ରମାଦେବୀ ୧୯୨୧ ମସିହାରେ ହୋଇଥିବା ଅସହଯୋଗ ଆନ୍ଦୋଳନରେ ଯୋଗଦେଇ କାଠଯୋଡ଼ି ନଦୀକୂଳରେ  ଆୟୋଜିତ ହୋଇଥିବା ମହାତ୍ମାଗାନ୍ଧିଙ୍କ ଭାଷଣରେ ଉଦ୍‌ବୁଦ୍ଧ ହୋଇ ଭରିଏ ନୁହେଁ କି ଦୁଇଭରି ନୁହେଁ ନିଜର ଶହେଭରି ସୁନା ଏବଂ ନିଜ ହାତରେ ଅରଟରେ କାଟିଥିବା ବିରାଟ ସୂତା ପୁଡ଼ିଆକୁ ମହାତ୍ମାଗାନ୍ଧି ହାତଙ୍କୁ ବଢ଼ାଇଦେଇ କି ଆନନ୍ଦ ପାଇନଥିଲେ ସେ । କେବଳ ସେତିକି ନୁହେଁ ୧୯୩୦ ମସିହାରେ ଗାନ୍ଧିଙ୍କ ସହ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ୧୯୩୪ ମସିହାରେ ଗାନ୍ଧିଙ୍କ ସହ ହରିଜନ ପଦଯାତ୍ରାରେ ମଧ୍ୟ ଯୋଇ ଦେଇଥିଲେ ମା’ ରମାଦେବୀ । ୧୯୪୨ ମସିହା ଅଗଷ୍ଟ ୮ ତାରିଖରେ ଗାନ୍ଧିଙ୍କ ନେତୃତ୍ୱରେ ଯେଉଁ ଭାରତଛାଡ଼ ଆନ୍ଦୋଳନ ହୋଇଥିଲା ସେଥିରେ ‘କର ବା ମର’ ପ୍ରତିଧ୍ୱନିରେ ପ୍ରଭାବିତ ହୋଇ ଓଡ଼ିଶାର ବରି ଅଞ୍ଚଳରେ ଯେଉଁ ବିପ୍ଳବ ହୋଇଥିଲା ସେଥିରେ ମା’ ରମାଦେବୀ ପ୍ରମୁଖ ଭୂମିକା ନେଇ ଜେଲ ମଧ୍ୟ ଯାଇଥିଲେ ।

   ୧୯୪୬ ମସିହାର କଥା । ଯେତେବେଳେ ନିର୍ବାଚନ ଆସିଲା ମା’ ରମାଦେବୀଙ୍କୁ ପ୍ରାର୍ଥୀ କରିବାପାଇଁ ରାଜେନ୍ଦ୍ର ପ୍ରସାଦଙ୍କୁ ଅନୁରୋଧ କରାଗଲା । ରମାଦେବୀ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି କହିଲେ- “ମୋର ଧାନ କୁଟା ଛାଡ଼ି ଚଷୁ କୁଟିବାକୁ ମନ ନାହିଁ” । ୧୯୬୨ ମସିହାରେ ଯେତେବେଳେ ଭାରତ ଏବଂ ଚୀନ ମଧ୍ୟରେ ଯୁଦ୍ଧ ଚାଲିଥିଲା ମା’ ନିଜେ ସେନାଛାଉଣୀରେ ଅବସ୍ଥାନ କରି ଆହତ ସୈନ୍ୟମାନଙ୍କର ସେବା କରିଥିଲେ । କେବଳ ସେତିକି ନୁହେଁ ୧୯୬୪ ମସିହାରେ ଦଣ୍ଡକାରଣ୍ୟଠାରେ ବଙ୍ଗଲାଦେଶୀ ଶରଣାର୍ଥୀଙ୍କ ସେବାରେ ଯିଏ ବ୍ରତୀ ହୋଇଥିଲେ ସେ ହେଉଛନ୍ତି ମା’ ରମାଦେବୀ । କଳାହାଣ୍ଡିର ଦୁର୍ଭିକ୍ଷ ହେଉ ବା ବାଲେଶ୍ୱରର ବନ୍ୟା ହେଉ ମା’ ସବୁଠି ତାଙ୍କର ସେବାକାର୍ଯ୍ୟ ଜାରିରଖି ଅପାର ଆନନ୍ଦ ପାଉଥିଲେ । ଅସ୍ପୃଶ୍ୟତା ନିବାରଣ, ନାରୀ ଜାଗରଣ, ନିଶା ନିବାରଣ, ମୌଳିକଶିକ୍ଷା, ଶିଶୁକଲ୍ୟାଣ ଓ ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟକ୍ରମଗୁଡ଼ିକ ହାତକୁ ନେଇ ଏହାକୁ ସୁନ୍ଦର ଭାବେ ପରିଚାଳନା କରୁଥିଲେ । ଏହିପରି ନିସ୍ୱାର୍ଥପର ଭାବେ କର୍ମକରି ସମଗ୍ର ମାନବଜାତିକୁ ଭଲପାଇବା ତାଙ୍କର ଜୀବନର ବ୍ରତ ଥିଲା । ପ୍ରଥମେ ଅଳକା ଆଶ୍ରମ ଏବଂ ପରେ ପରେ ବରୀ ଆଶ୍ରମ ଗଢ଼ି ଅନେକ ସେବାମୂଳକ କାର୍ଯ୍ୟ ଯେମିତିକି ମହୁଚାଷ, ଗୋସେବା, ପ୍ରୌଢ଼ଶିକ୍ଷା, ରୋଗୀସେବା, ଅସ୍ପୃଶ୍ୟତା ନିବାରଣ, ଗାଁ ସଫେଇ, ଲୁଗାବୁଣିବା ଇତ୍ୟାଦି କାର୍ଯ୍ୟ ମା’ ନିଜେ ଆଶ୍ରମରେ ରହି ତଦାରଖ କରୁଥିଲେ ।

       ପ୍ରକୃତରେ ମା’ ରମାଦେବୀ ଜଣେ ବଳିଷ୍ଠ ନାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଅସହଯୋଗ ଆନ୍ଦୋଳନ, ଆଇନ୍‌ ଅମାନ୍ୟ ଆନ୍ଦୋଳନ ହେଉ ବା ହରିଜନ ପଦଯାତ୍ରା ହେଉ ବା୧୯୪୨ର ଭାରତଛାଡ଼ ଆନ୍ଦୋଳନ ହେଉ, ୧୯୫୨ ମସିହାର ଭୂଦାନ ଆନ୍ଦୋଳନ ହେଉ ମା’ ପ୍ରତ୍ୟେକ ଆନ୍ଦୋଳନରେ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତବର୍ଷରେ ମହିଳାମାନଙ୍କ ପାଇଁ ଆଦର୍ଶ ଥିଲେ । ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଏକାଧାରରେ ଜଣେ ସୁଗୃହିଣୀ, ସମାଜସେବିକା, ଦକ୍ଷ ସଂଗଠିକା, ସୁଲେଖିକା ଓ ମୁକ୍ତି ସଂଗ୍ରାମୀ । ତାଙ୍କ ଦ୍ୱାରା ଲିଖିତ “ଜୀବନ ପଥେ“ ଥିଲା ତାଙ୍କ ସାହିତ୍ୟ ପ୍ରତିଭାର ଜ୍ୱଳନ୍ତ ଦୃଷ୍ଟାନ୍ତ । ତାଙ୍କର କନ୍ୟା ଅନ୍ନପୂର୍ଣ୍ଣା ମହାରଣା ଏବଂ ପୁତ୍ର ମନମୋହନ ମଧ୍ୟ ତାଙ୍କ ମା’ଙ୍କ ଆଦର୍ଶରେ ଖୁବ୍‌ ପ୍ରଭାବିତ ହୋଇଥିଲେ । ମା’ ରମାଦେବୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ଏବଂ ଯମୁନାଲାଲ୍‌ ବଜାଜ୍‌ ଫାଉଣ୍ଡେସନ୍‌ ତରଫରୁ ପୁରସ୍କାର ପାଇଥିଲେ । ଏହି ଫାଉଣ୍ଡେସନ୍‌ରୁ  ପାଇଥିବା ଏକଲକ୍ଷ ଅର୍ଥରାଶିକୁ ମା’ ଦଳିତ, ଅବହେଳିତ ଜନତାଙ୍କ ସେବାରେ ଖର୍ଚ୍ଚକରି ଗଭୀର ମାତୃହୃଦୟର ପରିଚୟ ଦେଇଥିଲେ । ତତ୍‌କାଳୀନ ରାଜ୍ୟପାଳ ମାନ୍ୟବର ଖୋସଲା ମା’ଙ୍କୁ ପଦ୍ମଶ୍ରୀ ଉପାଧି ଦେବାପାଇଁ କରିଥିବା ସୁପାରିସ୍‌ ମା’ ନିଜେ ପ୍ରତ୍ୟାଖ୍ୟାନ କରି ଆମପାଇଁ ବଳିଷ୍ଠ ଉଦାହରଣ ପାଲଟିଥିଲେ । ମା’ ୧୯୮୫ ମସହା ଜୁଲାଇ ୨୨ ତାରିଖରେ ଚିରନିଦ୍ରା ଗଲେ ସତ ମାତ୍ର କେବଳ ଓଡ଼ିଆ ମାଟିପାଇଁ ନୁହେଁ ସମଗ୍ର ଭାରତବର୍ଷର ମାତୃସମାଜ ପାଇଁ ଚିରସ୍ମରଣୀୟା ହୋଇ ରହିବେ । ପ୍ରକୃତରେ ସେ ଥିଲେ ଓଡ଼ିଆ ଜାତିର ଚିର ଅମ୍ଳାନ ପ୍ରତିଭା ଏବଂ ଆମ ସମସ୍ତଙ୍କର ପ୍ରେରଣାର ଉତ୍ସ । ମା’ଙ୍କର ଜୀବନାଦର୍ଶ ଯଦି ଆମଭଳି ଉତ୍ତରପିଢ଼ିକୁ କିଞ୍ôଚତ୍‌ ଅନୁପ୍ରାଣିତ କରିବ ଆମକୁ ପ୍ରେରଣା ଯୋଗାଇବ ଏବଂ ନିସ୍ୱାର୍ଥପର ଭାବେ ସମାଜ ମଙ୍ଗଳ ତଥା ରାଷ୍ଟ୍ରର ବିକାଶ ପାଇଁ ସମାଜ ସେବାରେ ଆମେ ନିଜକୁ ନିୟୋଜିତ କରିବା ତେବେ ତାହାହିଁ ହେବ ମା’ରମାଦେବୀଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ।


ମୋ-୯୮୫୩୩୫୦୩୮୪