ମାନବ-ଗଜରାଜ ଲଢେଇ : ସାଢେ ଚାରି ମାସରେ ୪୫ ମୃତ
ଭୁବନେଶ୍ୱର: ରାଜ୍ୟରେ ଥମୁନି ମାନବ-ଗଜରାଜ ଲଢେଇ । ଫଳରେ ସାଢେ ଚାରି ମାସରେ ଯାଇଛି ୪୫ଜଣଙ୍କ ଜୀବନ । ଏହି ସମୟରେ ଟଳିଛନ୍ତି ୯ ହାତୀ । ଆଜି ବିଧାନସଭାରେ ଏପରି ତଥ୍ୟ ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ଗତ ଏପ୍ରିଲ ମାସ ୧ ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ବିଦୁ୍ୟତାଘାତରେ ୭, ଟ୍ରେନ ଧକ୍କାରେ ଗୋଟିଏ ଓ ଶିକାରୀ ଦ୍ୱାରା ଗୋଟିଏ ହାତୀର ମୃତୁ୍ୟ ହୋଇଛି ବୋଲି ବିଧାୟକ କହ୍ନାଇଁ ଚରଣ ଡାଙ୍ଗଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ମନ୍ତ୍ରୀ । ବିଦୁ୍ୟତ୍ ଆଘାତ ଜନିତ ହାତୀ ମୃତୁ୍ୟ ରୋକିବା ପାଇଁ ବନ ବିଭାଗ ବିଦୁ୍ୟତ୍ ବିଭାଗ କର୍ମଚାରୀଙ୍କ ସହିତ ବିଭିନ୍ନ ସ୍ତରରେ ବୈଠକମାନ ସ୍ଥାପନ କରି ସମ୍ବେଦନଶୀଳ ସ୍ଥାନମାନଙ୍କରେ ମୁକୁଳା ବିଦୁ୍ୟତ୍ ତାରରେ ଆବରଣ ଦେବା, ବିଦୁ୍ୟତ୍ ଖୁଣ୍ଟରେ ଲୁହାକଣ୍ଟା ଖଞ୍ଜିବା, ଟ୍ରାନଫର୍ମର ଚାରିପାଖରେ ଘେରା ଦେବା, ଝୁଲିରହିଥିବା ତାରକୁ ସଠିକ୍ ଉଚ୍ଚରେ ରଖିôବା, ଗ୍ରାମ ମଧ୍ୟରେ ହାତୀ ପ୍ରବେଶ କଲେ ସାମୟିକ ଭାବେ ବିଦୁ୍ୟତ୍ କାଟ କରିାବ, ଶିକାର ପ୍ରବଣ ସ୍ଥାନମାନଙ୍କରେ ଉଭୟ ବିଭାଗଦ୍ୱାରା ପଇଁତରା ଦେବା ଓ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ପ୍ରମୁଖ ପଦକ୍ଷେପ ନିଆଯାଉଛି । ହାତୀ ଉପସ୍ଥିତ ଅଞ୍ଚଳରେ ହାତୀ ସୁରକ୍ଷାବଳ ଓ ଅନ୍ୟାନ୍ୟ ସୁରକ୍ଷା ଦଳ ଦ୍ୱାରା ନିୟମିତ ଭାବରେ ପଇଁତରା ଦିଆଯାଉଛି । ସମ୍ବେଦନଶୀଳ ଗ୍ରାମମାନଙ୍କରେ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ଗଜସାଥୀ ନିଯୁକ୍ତ କରାଯାଇଛି । ସେହିପରି ରାଜ୍ୟରେ ୨୦୨୪ ମସିହା ନଭେମ୍ବର ମାସ ସୁଦ୍ଧା ୨୧୦୩ଟି ହାତୀ ଥିବା ଗଣନା କରାଯାଇଥିଲା । ସେଥିମଧ୍ୟରୁ ୨୧ଟି ପୋଷା ହାତୀ ଅଛନ୍ତି । ବନ୍ୟପ୍ରାଣୀ (ସୁରକ୍ଷା) ଓଡ଼ିଶା (ନିୟମ, ୧୯୭୪ ଅନୁଯାୟୀ ବନ୍ୟପ୍ରାଣୀଙ୍କ ଦ୍ୱାରା ଫସଲ ଏବଂ ବାସଗୃହ ନଷ୍ଟ ପାଇଁ ଅନୁକମ୍ପା ରାଶି ପ୍ରଦାନର ବ୍ୟବସ୍ଥା ରହିଛି । ଯେଉଁଥିପାଇଁ ୨୫୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନକରାଯାଇଛି । ହାତୀ ଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଗଜସାଥୀ ନିୟୋଜିତ କରାଯାଇଥାଏ । ଆବଶ୍ୟକସ୍ଥଳେ ହାତୀ ଜନିତ କ୍ଷୟକ୍ଷତି ରୋକିବା ନିମିତ୍ତ ଆବଶ୍ୟକ ସଂଖ୍ୟକ ଗଜସାଥୀଙ୍କୁ ନିୟୋଜିତ କରାଯାଏ । ହାତୀମାନଙ୍କ ଦ୍ୱାରା ଫସଲ/ବାସଗୃହ ଆଦି ନଷ୍ଟ ପାଇଁ ସରକାରଙ୍କ ତରଫରୁ ଆଶିଂଙ୍କ ଗୃହ ନଷ୍ଟ ପାଇଁ ୧୦ ହଜାର ଟଙ୍କା । ରୋଷେଇ ଘର, ଖଳରେ ଧାନ, ଗାଈ ଗୁହାଳ, ଛେଳି ଗୁହାଳ ଆଦି ନଷ୍ଟ ପାଇଁ ୩ ହଜାର ଟଙ୍କା, ପ୍ରାଚୀର ନଷ୍ଟ ପାଇଁ ୫ ହଜାର ମିଟର ପିଛା କିନ୍ତୁ ସର୍ବାଧିକ ୨୫ ହଜାରର ସହାୟତା ରାଶିର ବ୍ୟବସ୍ଥା ରହିଛି । ସଂପୂର୍ଣ୍ଣ ଗୃହ ନଷ୍ଟ ପାଇଁ ଅନ୍ତୋଦୟ ଘର ଯୋଜନାରେ ଗୃହ କିମ୍ବା ଅନୁରୂପରାଶି ଦିଆଯାଇଥାଏ । ଧାନ ଓ ଶସ୍ୟ ଜାତୀୟ ଫସଲ ନଷ୍ଟ ପାଇଁ ଏକର ପିଛା ୨୦ ହଜାର ଟଙ୍କା, ଅର୍ଥକାରୀ ଫସଲ ନଷ୍ଟ ପାଇଁ ଏକର ପିଛା ୨୫ ହଜାର ଟଙ୍କା ଦିଆଯାଇଥାଏ ବୋଲି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ତଥ୍ୟ ରଖିଛନ୍ତି ମନ୍ତ୍ରୀ ।