ମା'ଭଗବତୀଙ୍କ ପୀଠରେ ବସନ୍ତ ଉତ୍ସବ

ବାଣପୁର : ପବିତ୍ର ବସନ୍ତ ପଞ୍ଚମୀରେ ମା'ସରସ୍ୱତୀଙ୍କ ସର୍ବତ୍ର ପୂଜା ଉତ୍ସବ, ବସନ୍ତ ଋତୁ ଆଗମନରେ ଦେବାଦେବୀଙ୍କ ଘୋଡ଼ଲାଗି ଶେଷ । ଦୋଳ ପର୍ବ ଓ ଚାଚିରୀ ଭୋଗ ଲାଗି ଗାଁରୁ ସହର ସର୍ବତ୍ର ଘଣ୍ଟ କାହାଳୀର ଶବ୍ଦରେ ଗାଁ ଦାଣ୍ଡ ଫାଟିପଡ଼ିବ । ଅବିର ଖେଳରେ ଏକତ୍ର ହେବେ ଦେବାଦେବୀ । ଭକ୍ତର ଦୁଆରେ ଭୋଗ ଖାଇବେ ମା' ଭଗବତୀ । ବାଣପୁରର ଆରାଧ୍ୟ ଠାକୁର ଶ୍ରୀରଙ୍କନାଥ ଦେବ ଆଜି ଦୋଳ ପର୍ବରେ ଯୋଗ ଦେବାକୁ ମା' ଭାଗବତୀଙ୍କୁ ନିମନ୍ତ୍ରଣ କରିଛନ୍ତି ଓ ବସନ୍ତ ପଞ୍ଚମୀର ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପ ପରେ ପ୍ରଭୁଶ୍ରୀ ରଙ୍କନାଥ ଦେବଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦୋଳବିମାନରେ ବସି ଘଣ୍ଟ କାହାଳୀ, ଛତ୍ର, ତରାଶ, ମଶାଲରେ ମା' ଭଗବତୀଙ୍କୁ ନିମନ୍ତ୍ରଣ କରିବାକୁ ଦିନ ଏକ ଘଟିକା ସମୟରେ ପିତ୍ରାଳୟ ଦକ୍ଷେଶ୍ୱର ମନ୍ଦିରଠାରେ ବିଜେ କରିଥିଲେ । ସେଠାରେ ମା' ଭଗବତୀ କାଠି ଠାକୁରାଣୀଙ୍କ ସହ ଏକତ୍ର ରହିଥିଲେ । ପୂଜକ ପ୍ରକାଶ ମହାପାତ୍ର ଉଭୟ ଦୁର୍ଗାମାଧବଙ୍କୁ ପଞ୍ଚପୋଚାରରେ ପୂଜାର୍ଚ୍ଚନା କରାଇ ଖଇ, ନଡ଼ିଆପାତି, ଗଜା, ମୁଆଁ, ଫଳମୂଳ ଇତ୍ୟାଦି ଧୂପ ପରେ ଆଳତି ବନ୍ଦାପନା ବଢ଼ାଇଥିଲେ । ପରେ ଦୁର୍ଗା ଓ ମାଧବଙ୍କ ମଧ୍ୟରେ ପରସ୍ପରଠାରେ ଅବିର ଲାଗି କରାଯାଇ ଦୋଳରେ ଚାଚେରୀ ଖିଆ ପାଇଁ ନିମନ୍ତ୍ରଣ କରିଥିଲେ । ବାଣପୁରର ଆରାଧ୍ୟାଦେବୀ ମା' ଭଗବତୀ ଚାଚେରୀ ଖିଆରେ ଗ୍ରାମ ପରିକ୍ରମାର ମଧ୍ୟ ପରମ୍ପରା ରହିଛି ।