ମାଷ୍ଟର ଡ୍ରେନ୍‌ ନିର୍ମାଣ ପାଇଁ ସର୍ଭେ 

ମାଷ୍ଟର ଡ୍ରେନ୍‌ ନିର୍ମାଣ ପାଇଁ ସର୍ଭେ 

କେନ୍ଦୁଝର : କେନ୍ଦୁଝର ସହରରେ ଡ୍ରେନ ବ୍ୟବସ୍ଥା ନଥିବାରୁ ବର୍ଷା ଦିନେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ପାରମ୍ପରିକ ଜଳସ୍ରୋତକୁ ଅବରୋଧ କରିବା ସହ ଡ୍ରେନେଜ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଅନେକ ୱାର୍ଡରେ ବର୍ଷା ଦିନେ ଲୋକ ଜଳବନ୍ଦୀ ହୋଇ ରହୁଛନ୍ତି । ବର୍ଷା ଜଳ ନିଷ୍କାସନ ହୋଇ ନପାରି ରାସ୍ତାଘାଟରେ ଯାଉଥିବାବେଳେ ସାହି ବସ୍ତିରେ ଲୋକଙ୍କ ଘରେ ପାଣି ପଶୁଛି । ସହରରେ ଡ୍ରେନେଜ୍‌ ବ୍ୟବସ୍ଥା ଠିକ୍‌ ନଥିବାରୁ ସାମାନ୍ୟ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶୁଛି । ଏହି ସମସ୍ୟାର ସମାଧାନ ପାଇଁ ସହରବାସୀ ସହରର ଏକ ମୁଖ୍ୟ ଡ୍ରେନ୍‌ ନିର୍ମାଣ ପାଇଁ ଦାବି କରି ଆସୁଥିଲେ । କେନ୍ଦୁଝର ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଓ ଅତି ଆବଶ୍ୟକୀୟ ମାଷ୍ଟର ଡ୍ରେନ ଅଭାବରୁ ଜଳ ନିଷ୍କାସନ ପାଇଁ ବିଳମ୍ବରେ ହେଲେ ମଧ୍ୟ କେନ୍ଦୁଝରଗଡ ପୌରପାଳିକା ମୁଖ୍ୟ ଡ୍ରେନ୍‌ ନିର୍ମାଣ ପାଇଁ ଡିଜିପିଏସ୍‌ ସର୍ଭେ ଆରମ୍ଭ ହୋଇଛି । ଡ୍ରେନ ମାଧ୍ୟମରେ ଏହି ସର୍ଭେ କରାଯାଉଛି । ୧୫ଦିନ ମଧ୍ୟରେ ସର୍ଭେ କାର୍ଯ୍ୟ ସରିବ ବୋଲି କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଲଲିତ କୁମାର ନାୟକ ପ୍ରକାଶ କରିଛନ୍ତି ।

         କେନ୍ଦୁଝର ସହରରେ କିପରି ମୁଖ୍ୟ ଡ୍ରେନ୍‌ ସଫଳ ଭାବେ ହେବ ସେ ନେଇ ଯୋଜନା ପ୍ରସ୍ତୁତ କରାଯିବ । ଏହି ଯୋଜନା ସଫଳ ହେଲେ କେନ୍ଦୁଝର ସହର ସମସ୍ତ ଡ୍ରେନ୍‌ ମୁଖ୍ୟ ଡ୍ରେନ୍‌ ସହ ଯୋଡି ହେବେ । ବର୍ଷା ପାଣି ଓ ଘରୁ ବାହାରୁ ଥିବା ମଇଳା ପାଣି ସହଜରେ ନିଷ୍କାସିତ ହେବ । ମାଷ୍ଟରପ୍ଲାନ ଅନୁଯାୟୀ ମୁଖ୍ୟ ଡ୍ରେନ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ମାଷ୍ଟରପ୍ଲାନ ମୁତାବକ ପ୍ରାଥମିକ ପର୍ଯ୍ୟାୟରେ ୨୧ଟି ୱାର୍ଡ ଏବଂ ଏହାର ସନ୍ନିକଟ ଅଞ୍ଚଳ ରେ ପ୍ରାୟ ୨୬ ବର୍ଗ କିଲୋମିଟର ରେ ଡ୍ରେନ ସର୍ଭେ କାମ ଆରମ୍ଭ ହୋଇଛି । ଏହାପରେ ଡିଜାଇନ ପ୍ରସ୍ତୁତ ହୋଇ ଡିପିଆର ଏବଂ ଏଷ୍ଟିମେଟ ପ୍ରସ୍ତୁତ ହେବ । ବହୁ ପ୍ରତିକ୍ଷିତ ମାଷ୍ଟର ଡ୍ରେନ ହେଲେ କେନ୍ଦୁଝର ସହରର ଜଳ ନିଷ୍କାସନ ସମସ୍ୟା ଦୂର ହେବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।