ମା’ ମଙ୍ଗଳାଙ୍କ ମହାଲକ୍ଷୀ ବେଶ
କାକଟପୁର : କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଚୈତ୍ରମାସ ଦ୍ୱିତୀୟ ପାଳି ଯାତ୍ରା ଶେଷ ହୋଇଛି । ରାତ୍ର ଚାରି ଘଟିକାରୁ ମନ୍ଦିର ଖୋଲାଯାଇ ମା’ଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ମାତୃଭକ୍ତ ମାନେ ଧାଡିରେ ଯାଇ ମାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଦିବା ୧ ଘଟିକା ସମୟରେ ଝଙ୍କଡ଼ରୁ ଆସିଥିବା ଘଣ୍ଟ ପାଟୁଆ ମାନେ ଘଣ୍ଟ ବଜାଇ ପ୍ରାଚୀନଦୀରୁ ଜଳ ଆଣି ମା’ଙ୍କ ବେଢାରେ ଓ ବେଢା ବାହାରେ ମୁଣ୍ଡରେ ଘଟ ରଖି ପାଟୁଆ ନୃତ୍ୟ କରିଥିଲେ । ଦିବା ୩ ଘଟିକା ସମୟରେ ଦ୍ୱିପହର ଧୂପ କରାଯାଇ ପହୁଡ଼ ପଡିଥିଲା । ଅପରାହ୍ନ ୫ ଘଟିକା ସମୟରେ ସର୍ବସାଧାରଣଙ୍କ ନିମନ୍ତେ ପହୁଡ଼ ଖୋଲାଯାଇଥିଲା । ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଓ ରାତ୍ର ୯ ଘଟିକା ସମୟରେ ରାତ୍ର ଧୂପ ଓ ବଡ଼ସିଂହାର ଅନୁଷ୍ଠିତ କାରାଯାଇ ପହୁଡ଼ ପଡିଥିଲା । କାକଟପୁର ଆଇଆଇସି ଉମେଶ ଚନ୍ଦ୍ର ସାହୁ, ଏସଆଇ ପ୍ରିୟଦର୍ଶିନୀ ବରାଳ, ଏଏସଆଇ ପ୍ରମୋଦ କୁମାର ସେଠୀ, ମନୋରଞ୍ଜନ ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମନ୍ଦିର ବେଢାରେ ଓ ବାହାରେ ପୁଲିସ ମୁତୟନ କରାଯାଇ ଭକ୍ତ ମାନଙ୍କୁ ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ କରାଯାଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳା ବ୍ୟବସ୍ଥାକୁ ତଦାରଖ କରିଥିଲେ । ଆଜିର ପାଳିଆ ସେବକ ଓ ପୂଜାପଣ୍ଡା ସେବକ ଭାବେ ପ୍ରକାଶ ଚନ୍ଦ୍ର ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ ।