ମାଟି ତଳୁ ମୃତ ଦେହ ଉଦ୍ଧାର ଘଟଣା; ୫ ଗିରଫ

 ସୁକିନ୍ଦା :  ସ୍ତ୍ରୀ ସ୍ୱାମୀକୁ ଜୀବନରୁ ମାରି ପୋତିଦେଇଥିବା ଘଟଣାରେ ସୁକିନ୍ଦା ପୁଲିସ ଗୋଟିଏ ପରିବାର ୫ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରୀ ରଖିଛି । ଘଟଣା ଘଟିଛି ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ପଂଚାୟତ ଅଧୀନସ୍ଥ ଡୁବିଖାଲ ଗ୍ରାମରେ । ପାରିବାରିକ କଳହକୁ କେନ୍ଦ୍ର କରି ଡୁବିଖାଲ ଗ୍ରାମ ମୋରା ଦେଓଗମଙ୍କ ଝିଅ ଗୁମାରୀ ମୁଣ୍ଡା ତାଙ୍କ ସ୍ୱାମୀ ବାବୁଲିଙ୍କୁ ଜୀବନରୁ ମାରି ଘର ପଛପଟ ବାଡ଼ିରେ ପୋତି ଦେଇଥିଲା । ରବିବାର ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିବା ସହ ନିଜେ ସ୍ୱାମୀକୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା । ଏନେଇ ସ୍ଥାନୀୟ ସରପଂଚ ରବିବାର ରାତିରେ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ୪୮/୨୦୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସୋମବାର ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସାଇଂଟିଫିକ ଟିମ୍, ଉପସ୍ଥିତିରେ ମାଟିତଳେ ପୋତା ହୋଇଥିବା ମୃତଦେହ ଉଦ୍ଧାର କରି ଆବଶ୍ୟକୀୟ ପ୍ରମାଣ ସଂଗ୍ରହ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାକୁ ପୁଲିସ ଗୁରୁତର ସହ ନେବାସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁପ୍ରସନ୍ନ ମଲ୍ଲିକ ନିଜେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଏହା ଏକ ସଂଘବଦ୍ଧ ଆକ୍ରମଣ ବୋଲି ଜଣାପଡିଥିଲା । ଘଟଣାରେ ପୁଲିସ ମୃତ ବାବୁଲିର ସ୍ତ୍ରୀ ଗୁମାରି, ଶ୍ୱଶୁର ମୋରା ଦେଓଗାମ, ଶାଶୁ ସିନି ଦେଓଗାମ ଶଳା ରାଜେନ୍ଦ୍ର କାଇକା ଓ ରାମସିଂ ବଦରାକୁ ଗିରଫ କରି ଘଟଣାର ତଦନ୍ତ ଜାରୀ ରଖିଛି ।