ମା’ ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା ସମାପନ

 ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କର ସୁପ୍ରସିଦ୍ଧ ଶୀତୁଳା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି  । ମା ହିଙ୍ଗୁଳା ଓ କୁଟେଇଶୁଣୀଙ୍କ ଚଳନ୍ତି ପ୍ରତିମା ଆଲମଦ୍ୱୟକୁ ଦିଅଁଘରୁ ବଡମଣ୍ଡପକୁ ଅଣାଯାଇଥିଲା  । ମୁଖ୍ୟପୂଜକ କିଶୋର ଦେହୁରୀ ଓ ଟଙ୍କଧର ଦେହୁରୀ ଷୋଡଶ ଉପଚାର ବିଧି ଅନୁଯାୟୀ ପୂଜାର୍ଚ୍ଚନା କରି ମା ହିଙ୍ଗୁଳାଙ୍କ ଆରଧନା କରିଥିଲେ  । ପୀଠ ପରିସରରେ ଥିବା ପାଞ୍ଚପୀଢ ଯଥା ମା’ ହିଙ୍ଗୁଳା, ମା’କରଡେଇ, ମା’କୁଟେଇଶୁଣୀ, ମା’ଖୁମ୍ବେଶ୍ୱରୀ ଓ କଳାପାଟଙ୍କର ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ କରାଯାଇଥିଲା  । ସନ୍ଧ୍ୟାରେ ମା ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଉଭାସ୍ଥଳୀକୁ ଏକ ଭବ୍ୟ ଶୋଭାଯାତ୍ରାରେ ନିଆଯାଇଥିଲା  । ପାରମ୍ପରିକ ରୀତିନୀତି ଅନୁଯାୟୀ ମା ଅଗ୍ନିରୂପାଙ୍କର ପଞ୍ଚପୋଚାର ପୂଜା କରିବା ସହ ଉଖୁଡା, ଗୁଡ, ଘିଅ, ମହୁ, ଛିଟ, ନୈବେଦ୍ୟ ଆଦି ଅର୍ପଣ କରାଯାଇଥିଲା  । ଏହାପରେ ଶୀତୁଳା ପୂଜା ଅନୁଷ୍ଠିତ ହୋଇଥିଲା  । ପୂଜାରେ ତାଳଚେର ରାଜା ସପରିବାର ଉପସ୍ଥିତ ରହି ମା ହିଙ୍ଗୁଳାଙ୍କ ପୂଜାର୍ଚ୍ଚନା କରିବା ସହ  ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ  । ଏହାପରେ ଉଭାସ୍ଥଳୀରେ ଥିବା ଚାନ୍ଦୁଆ ଲାଗି ହୋଇଥିଲା  । ଶେଷରେ ବଡମଣ୍ଡପକୁ ମା ହିଙ୍ଗୁଳାଙ୍କ ଆଲାମକୁ ବିଜେ କରା ଯାଇ ଅଧରପଣା ନୀତି ସମ୍ପନ୍ନ କରାଯାଇଥିଲା  । ପ୍ରଚଣ୍ଡ ଖରା ସତ୍ୱେ ମା ହିଙ୍ଗୁଳାଙ୍କ ଏହି ଅନନ୍ୟ ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା  । ଏହି ଅବସରରେ ମା’ଙ୍କ ପୀଠ ପରିସରରେ ଅନୁଷ୍ଠିତ ୨୧ତମ ଲୋକ ମହୋତ୍ସବର ଅଷ୍ଟମ ସନ୍ଧ୍ୟାରେ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତାଳଚେର ଉପଜିଲ୍ଲାପାଳ ସମୀର ଜେନା ଅଧ୍ୟକ୍ଷତା କରିଥିଲେ  । ମୁଖ୍ୟଅତିଥି ଭାବରେ ଏନ୍ଟିପିସି ଥର୍ମାଲର ଅତିରିକ୍ତ ମହାପ୍ରବନ୍ଧକ ଅଞ୍ଜନ ସାହୁ, ସମ୍ମାନୀତଅତିଥି ଭାବରେ ଏନଟିପିସି କଣିହାଁର ମହାପ୍ରବନ୍ଧକ ସତ୍ୟ ରାମ କୃଷ୍ଣ, ଅତିରିକ୍ତ ମହାପ୍ରବନ୍ଧକ ନବନୀତ କୁମାର ଓ ତାଳଚେର ସାର କାରଖାନାର ସିଇଓ ସତ୍ୟବ୍ରତ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ  । ଏହି ଅବସରରେ ଅତିଥିମାନେ ମାଆ ହିଙ୍ଗୁଳାଙ୍କ ମହିମା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଆମ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଯୋଡିବାରେ ଲୋକ ମହୋସôବ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ ସମେତ ଉପଖଣ୍ଡ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିଲେ  । ସେହିପରି ପୁରୀର ନବପ୍ରତିଭା ଅନୁଷ୍ଠାନର କଳାକାରମାନେ ସମ୍ବଲପୁରୀ ନୃତ୍ୟ ସହ ସାଉଥବଲଣ୍ଡାର ନୃତ୍ୟାଞ୍ଜଳୀ ଡ୍ୟାନ୍ସ ଏକାଡେମୀର କଳାକାରମାନେ ସାନ୍ତାଳୀ ନୃତ୍ୟ ପରିବେଷଣ କରି  ଦର୍ଶକମାନଙ୍କ ମନ ଜିଣି ନେଇଥିଲେ । ସେହିପରି ତାଳଚେରର ଭବାନୀ କଲଚୁ୍ୟରାଲ୍ ଡ୍ୟାନ୍ସ ଗ୍ରୁପର କଳାକାରମାନେ ଦଣ୍ଡ ନୃତ୍ୟ ସହ ଆଞ୍ଚଳିକ ଲୋକ ନୃତ୍ୟ ପରିବେଷଣ କରିଥିଲେ  । ମାତ୍ର ପ୍ରବଳ କାଳ ବୈଶାଖୀ ଯୋଗୁଁ  ଲୋକ ମହୋତ୍ସବକୁ ଅଧାରେ ବନ୍ଦ ରଖିବାକୁ ପଡିଥିଲା । କାର୍ଯ୍ୟକ୍ରମକୁ ସଞ୍ଜୀବ ପଟ୍ଟନାୟକ ଓ ସୁନନ୍ଦା ନାୟକ ପରିଚାଳନା କରିଥିବା ବେଳେ, ପ୍ରତାପ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କଳାକାରଙ୍କୁ ଅତିଥିମାନେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ  । କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ମାନସ ମୋହନ ସେଠ, ସହକାରୀ ଜିଲ୍ଲାପାଳ ନାରାୟଣ ସେଠୀ, ପୁଷ୍ପିତା ମଧୁମତୀ ଦେହୁରୀଙ୍କ ସମେତ ଟ୍ରଷ୍ଟବୋର୍ଡ  ସଦସ୍ୟ ରାଜେନ୍ଦ୍ର ସିଂହ, ମୂରଲୀଧର ସାହୁ, ସଞ୍ଜୟ ସାହୁ, ଗଗନ ବିହାରୀ ସାହୁ, ଅରୁଣ କୁମାର ପ୍ରଧାନ, ସନ୍ତୋଷ ପ୍ରଧାନ,ବରିଷ୍ଠ ରାଜସ୍ୱ ସହାୟକ ଧୂଳେଶ୍ୱର ବେହେରା ପ୍ରମୁଖ ସହଯୋଗ କରିଥିଲେ  ।