ମିଶନଶକ୍ତି କାର୍ଯ୍ୟାଳୟ ଚୋରି ନେଇ ଦ୍ୱନ୍ଦ୍ୱ: ଏମବିକେ ସ୍ୱାମୀଙ୍କ ସଂପୃକ୍ତି ନେଇ ଅଭିଯୋଗ 

ନୀଳଗିରି: ନୀଳଗିରି ବ୍ଲକ୍ ନରଣପୁର ପଞ୍ଚାୟତ ମିଶନଶକ୍ତି କାର୍ଯ୍ୟାଳୟରେ ଗତ ଗୁରୁବାର ରାତିରେ ଚୋରି ହୋଇଥିବା ନେଇ ଖବରପ୍ରକାଶ ପାଇଥିଲା  । ସୂଚନା ଅନୁସାରେ, ଉକ୍ତ ରାତିରେ ନରଣପୁର ଦେହୁରିସାହି ଗ୍ରାମର ଦନେଇ ମଳିକ ନାମକ ଜଣେ ବ୍ୟକ୍ତି ହାଇସ୍କୁଲ ପଡିଆ ନିକଟରେ ଅବସ୍ଥିତ ମିଶନଶକ୍ତି ଘରେ ପଶି ଚୋରି କରୁଥିବା ସ୍ଥାନୀୟ ଲୋକେ ଦେଖି ବାହାରପଟୁ ସଟର ବନ୍ଦକରି ଏମବିକେ ସହିତ ଅନ୍ୟ ସଦସ୍ୟଙ୍କୁ ଜଣାଇବା ସହିତ ବରହମପୁର ପୋଲିସକୁ ଖବର ଦେଇଥିଲେ  । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ଦନେଇକୁ ଅଟକ ରଖି ପଚରାଉଚରା କରିଥିଲେ  । ଶୁକ୍ରବାର ଅଭିଯୁକ୍ତ କୁହାଯାଉଥିବା ଦନେଇ ବରହମପୁର ଥାନାରେ ପହଞ୍ଚି ନରଣପୁର ମିଶନଶକ୍ତିର ଏମବିକେଙ୍କ ସ୍ୱାମୀ କ୍ଷିତିଶ ମହାନ୍ତି ତାଙ୍କୁ ଘରସଫା କରିବା ପାଇଁ ଡାକି ସଟରଖୋଲି ଉକ୍ତ ଘରେ ଥିବା କାଗଜପତ୍ର ସବୁ ବାହାରକୁ ଫିଙ୍ଗିବାକୁ କହିଥିଲେ । ହଠାତ୍ ବାହାରଲୋକ ଆସୁଥିବା ଜାଣି ମୁଁ ଭିତରେ ଥିବା ଅବସ୍ଥାରେ ସଟର ବନ୍ଦ କରିଦେଇଥିଲେ ।ପରେ ମୋତେ ଚୋର ସଜାଇ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ସଟରଖୋଲି ମାରଧର କରିଥିଲେ ବୋଲି ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୁର୍ବରୁ ଉକ୍ତ ମିଶନଶକ୍ତିରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତର ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ନିକଟରେ ଦାବିପରେ ଘଟଣାକୁ ଦିଗହରା କରିବା ପାଇଁ ଏଭଳି ଚୋରିର ଷଡ଼ଯନ୍ତ୍ର ରଚାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଚାବି ନଭାଙ୍ଗି ତାଲା ଖୋଲିଲା କିଏ । ତାକୁ ଚାବି ଦେଲା କିଏ? ଯଦି ଜଣେ ଚୋର ଚୋରୀ କରିବାକୁ ଆସିଥାଏ ତାହେଲେ କାର୍ଯ୍ୟଳୟରେ ଥିବା କମ୍ପୁ୍ୟଟର, ଫ୍ୟାନ ଓ ଅନ୍ୟାନ୍ୟ ଆସବାବପତ୍ର ଚୋରି କରିଥାଆନ୍ତା । ତାହା ନକରି କେବଳ ଦରକାରୀ କାଗଜପତ୍ର, ମହିଳାଙ୍କ ଆଧାରକାର୍ଡ, ଫାଇଲ ଇତ୍ୟାଦି ବାହାରକୁ ବାହାରକରି ଫିଙ୍ଗିବାର ମାନେ କଣ? ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଦୁର୍ନୀତିକୁ ବାଟବଣା କରିବା ପାଇଁ ଯୋଜନାବଦ୍ଧ ଭାବେ ଅଡିଟ ରିପୋର୍ଟ ଯିବା ପୂର୍ବରୁ ଚୋରିର ରୂପଦେଇ ଏମବିକେ, ସିଆରପି ସମେତ ଏଥିରେ ସଂପୃକ୍ତିଥିବା ଅନ୍ୟ ସଦସ୍ୟ ଖସି ଯିବାକୁ ଚେଷ୍ଟା କରାଯାଇଥିଲା । ଏନେଇ ବରହମପୁର ପୋଲିସ ରବିବାର ପୁର୍ବାହ୍ନରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ବାହାରେ ଫିଙ୍ଗା ଯାଇଥିବା କାଗଜପତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ସେପଟେ ମିଶନଶକ୍ତିର ଏମବିକେ ଶ୍ରୀମତୀ ମହାନ୍ତି ଥାନାରେ ପାଲଟା ଅଭିଯୋଗ କରିଛନ୍ତି ।