‘ମୁଁ ସିଏମ୍‌ଓରେ ଅଛି...’, ଏମିତି କହି ଲୁଟୁଥିଲା ଦଲାଲ ଯନ୍ତ୍ରୀଙ୍କ ଠାରୁ ୨ଲକ୍ଷ ଚଳୁ,  ଠକ ଗିରଫ

ଭୁବନେଶ୍ୱର/ଅନୁଗୁଳ : ରାଜଧାନୀରେ ମାତିଛନ୍ତି ବିଭିନ୍ନ ପ୍ରକାରର ଦଲାଲ । ମୋହରା ପାଲଟିଛନ୍ତି ନୂଆ ସରକାର। କିଏ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ କହି ଠକୁଛି ତ କିଏ ମନ୍ତ୍ରୀଙ୍କ ଲୋକ କହି ବଦଳି ନାଁରେ ଲୁଟୁଛି ।  ସୂଚନାଯୋଗ୍ୟଯେ, ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଇ ଦେବାର ଧମକ ଦେଇ ୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ଜଣେ ଠକକୁ ଭୀମଟାଙ୍ଗୀ ଅଞ୍ଚଳରୁ ଗିରଫ କରିଛି  । ଗିରଫ ଠକର ନାମ ଜାନକୀ ବଲ୍ଲଭ ମହାପାତ୍ର ଓ ତାଙ୍କ ଘର କନ୍ଧନୟାଗଡ ଅଞ୍ଚଳରେ ବୋଲି ଜଣାପଡିଛି  । ଗିରଫ ଅଭିଯୁକ୍ତ ଜଣଙ୍କ ନିଜକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇ ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଫୋନ କରି ଅନ୍ୟତ୍ର ବଦଳି କରାଇ ଦେବାର ଧମକ ଦେଇଥିଲା । ଯାହାକୁ ନେଇ ଅଧିକ୍ଷଣ ଯନ୍ତ୍ରୀ ଜଣଙ୍କ ଭୟଭୀତ ହୋଇଯାଇଥିଲେ । ଏହାର ସୁଯୋଗ ନେଇ ଠକ ଜାନକୀ ପୁଣିଥରେ  ଅଭିଯୋଗକାରୀଙ୍କୁ ଫୋନ କରି ଭୁବନେଶ୍ୱର ଆସି ଦେଖା ହେବାକୁ କହିଥିଲେ । ଅଭିଯୋଗକାରୀ ଭୀମଟାଙ୍ଗୀ ଅଞ୍ଚଳରୁ ଆସି ତାଙ୍କର ଟ୍ରାନ୍ସଫର ନ କରିବାକୁ ଅଭିଯୁକ୍ତଙ୍କୁ ଅନୁରୋଧ କରି ୨ ଲକ୍ଷ ଟଙ୍କା ଦାବି ମୁତାବକ ଦେଇଯାଇଥିଲେ । ଏହାର କିଛିଦିନ ପରେ ଅଭିଯୁକ୍ତ ଠକ ପୁଣିଥରେ ଅଭିଯୋଗକାରୀଙ୍କୁ ଫୋନ କରି ଆଉ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ।ଏହାପରେ ଅଭିଯୋଗକାରୀ ଠକେଇର ଶିକାର ହୋଇଥିବା ଜାଣିବା ପରେ ଭୁବନେଶ୍ୱର ଆସି ଏୟାରଫିଲ୍ଡ ଥାନାଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ଠକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।