ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା : ଆଜିଠୁ ନବରଙ୍ଗପୁରରେ ୪ ଦିନିଆ ଚିକିତ୍ସା ଶିବିର
ଭୁବନେଶ୍ୱର: ଲୋକଙ୍କ ସରକାରରେ ସ୍ୱାସ୍ଥ୍ୟ ସେବାକୁ ମିଳୁଛି ଗୁରୁତ୍ୱ । ବିନା ମୂଲ୍ୟରେ ଚିକିତ୍ସା ସେବା ପ୍ରଦାନ କରି ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ସୁବିଧାକୁ ଆହୁରି ଉନ୍ନତ କରାଯାଉଛି । ମେଡିକାଲ କଲେଜମାନଙ୍କରୁ ବିଶେଷଜ୍ଞମାନଙ୍କୁ ନିୟୋଜିତ କରି ଉଚ୍ଚମାନର ଚିକିତ୍ସା ଯୋଗାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଅଧୀନରେ ନବରଙ୍ଗପୁରଠାରେ ୪ଦିନିଆ ଚିକିତ୍ସା ଶିବିର ଆୟୋଜନ ହେବ । ଆସନ୍ତା ୭ରୁ ୧୦ ପର୍ଯ୍ୟନ୍ତ ଏହି ସେବା ଚାଲିବାକୁ ଥିବା ବେଳେ ଏଥିରେ ଏସସିବି ମେଡିକାଲ୍ କଲେଜର ବିଶେଷଜ୍ଞମାନେ ଅସ୍ତ୍ରୋପଚାର, ପରାମର୍ଶ (କାର୍ଡିଓଲୋଜି, ନୁ୍ୟରୋଲୋଜି ଇତ୍ୟାଦି) ଏବଂ ଉନ୍ନତ ନିଦାନ ସହିତ ସୁପର ସ୍ପେଶାଲିଟି ସେବା ପ୍ରଦାନ କରିବେ । ପ୍ରାୟ ୯୩୮ ଜଣ ପ୍ରି-ସ୍କ୍ରିନିଂ ରୋଗୀ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତାରେ ଶିବିର ସ୍ଥାନକୁ ଆସି ମାଗଣା ଚିକିତ୍ସା ଓ ଔଷଧ ପାଇବେ ।
ଶିବିରର ପ୍ରଥମ ଦିନରେ ବିଭିନ୍ନ ସୁପରସ୍ପେଶାଲିଟିରେ ୫ଜଣ ବରିଷ୍ଠ ବିଶେଷଜ୍ଞ ଉପସ୍ଥିତ ରହି ବିଭିନ୍ନ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି କାର୍ଯ୍ୟ କରିବେ । ଏହାସହ ଇକୋ କାର୍ଡିଓଗ୍ରାଫ, ଅପର୍ ଜି-ଆଇ ଏଣ୍ଡୋସ୍କୋପି ଭଳି ବିଭିନ୍ନ କଠିନ ଅସ୍ତ୍ରୋପଚାର ପ୍ରସ୍ତୁତି ପ୍ରକି୍ରୟା ମଧ୍ୟ କରିବେ । ସେମାନେ ହେଲେ ଡକ୍ଟର ବିଶ୍ୱଜିତ ସାହୁ (ୟୁରୋଲୋଜି, ଏସସିବି), ଡକ୍ଟର ସୁମିତ ସାହୁ (କାର୍ଡିଓଲୋଜି, ଏସସିବି), ଡକ୍ଟର ଲିପିକା ପାଣିଗ୍ରାହୀ (ନେଫ୍ରୋଲୋଜି, ଏସସିବି), ଡକ୍ଟର ରଶ୍ମି ରଞ୍ଜନ ପାତ୍ର (ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏସସିବି) ଏବଂ ଡକ୍ଟର ରାକେଶ ମହାନ୍ତି (ନୁ୍ୟରୋଲୋଜି ଏସସିବି) । ଦ୍ୱିତୀୟ ଦିନରେ ୬ଜଣ ଏକ୍ସପର୍ଟସ୍ ଶିବିର ଗସ୍ତ କରି ସେଠାରେ ବିଭିନ୍ନ ଅସ୍ତ୍ରୋପଚାର ସମ୍ପର୍କିତ ମାମଲା ଦେଖିବେ ଏବଂ ଆବଶ୍ୟକ ଔଷଧ ଦେବେ । ଏହି ୬ଜଣ ହେଉଛନ୍ତି ଡକ୍ଟର୍ ସବ୍ୟସାଚୀ ପଣ୍ଡା (ୟୁରୋଲୋଜି, ଏସ୍ସିବି), ଡ. ଯଶୋବନ୍ତ ବେହେରା (କାର୍ଡିଓଲୋଜି, ଏସ୍ସିବି), ଡ. ଅରୁଣ ଆଚାର୍ଯ୍ୟ (ନେଫ୍ରୋଲୋଜି, ଏସ୍ସିବି), ଡ. ସମୀର କୁମାର ହୋତା (ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ଏସ୍ସିବି), ଡ. ନିହାର ରଞ୍ଜନ ବିଶ୍ୱାଳ (ନୁ୍ୟରୋଲୋଜ. ଏସ୍ସିବି), ଡ. ଦେବର୍ଚ୍ଚନା ଜେନା (ଏଣ୍ଡୋକ୍ରାଇନୋଲୋଜି, ଏସ୍ସିବି) । ସ୍ୱାସ୍ଥ୍ୟ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ସୁନିଶ୍ଚିତ ହେଉଛି । ଏହି କ୍ରମରେ ପରବର୍ତ୍ତୀ ସମୟରେ ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏଭଳି ଶିବିର ଆୟୋଜନ କରିବାର ଲକ୍ଷ୍ୟ ରଖିଛନ୍ତି ଲୋକଙ୍କ ସରକାର ।