ମୁଖ୍ୟ ଶାସନ ସଚିବଙ୍କ ନଗଡା ଗସ୍ତ; ବୁଝିଲେ ଜୁଆଙ୍ଗଙ୍କ ସମସ୍ୟା
ଯାଜପୁର-କାଳିଆପାଣି : ସୋମବାର ରାଜ୍ୟ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଯାଜପୁର ଜିଲାଗସ୍ତରେ ଆସି ବହୁ ଚର୍ଚିତ ନଗଡ଼ା ଗସ୍ତ କରି ଘରକୁ ଘର ବୁଲି ଜୁଆଙ୍ଗ ମାନଙ୍କ ସମସ୍ୟା ବୁଝିଥିଲେ । ଧୁଧୁ ଖରାରେ ମୁଖ୍ୟ ଶାସନ ସଚିବଙ୍କ ସହ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରୀଶ ଏସ୍ଏନ୍, ବିଭାଗୀୟ ନିଦେ୍ର୍ଦଶକ ବୀନିତ ଭରଦ୍ୱାଜ, ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ନଗଡା ଅଂଚଳ ବୁଲି ଦେଖିଥିଲେ । ଜୁଆଙ୍ଗ ଜନଜାତିର ସର୍ବାଙ୍ଗୀନ ଉନ୍ନତି ପ୍ରତି ବିଶେଷ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ ହୋଇପାରିବେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ସୁକିନ୍ଦା ଖଣି ଅଂଚଳରେ ଏକ ଉଚ୍ଚ କୋଟୀର ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଦିଗରେ ଜିଲାପାଳ ବିଶେଷ ଗୁରୁତ୍ୱଆରୋପ କରିଥିଲେ । ମୁଖ୍ୟ ଶାସନ ସଚିବ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାଧାରଣ ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ । ଉପର ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ପହଁଚି ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିଥିଲେ । ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଘର ବାବଦକୁ କିଛି ହିତାଧିକାରୀ ୬୦ ପ୍ରତିଶତ କାର୍ଯ୍ୟ ଦେଖି ମୁଖ୍ୟ ଶାସନ ସଚିବ ଉଦବେଗ ପ୍ରକାଶ କରିଥିଲେ । ଯଥାଶୀଘ୍ର ସଂପୂର୍ଣ୍ଣ ଘର ପାଇଁ ସେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲାପରିଷଦ ଅଶୋକ କୁମାର ବେହୁରିଆ ଓ ବିଡିଓ ପ୍ରଦୀପ୍ତ କୁମାର ସେଠୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ନଯାଇ ନିଜ ଘରେ ସନ୍ତାନ ପ୍ରସବ କରି ପ୍ରତିଷେଧକ ଟିକା ନେଇନଥିବା ଶିକର ପ୍ରଧାନଙ୍କ ପନôୀ ସୁବାଙ୍କୁ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ମମତା ଯୋଜନାରେ ବଂଚିତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଯୋଜନାରେ ସାମିଲ କରିବାକୁ ନିର୍ଦେଶ ଦେଇଥିଲେ । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ ବଳରାମ ମିଶ୍ର ଓ ମୁଖ୍ୟଯନ୍ତ୍ରୀ ଇଂ ରନôାକର ସାହୁଙ୍କ ଉପସ୍ଥିତିରେ ଯୋଗାଣ ପାନୀୟଜଳର ମାନ ଏବଂ ଏଥିରେ ଥିବା ଫ୍ଲୋରାଇଡର ମାତ୍ରା ସମ୍ପର୍କରେ ଅବଗତ ହୋଇଥିଲେ । କଟିକିଆ ପ୍ରଧାନଙ୍କ ଘରକୁ ଯାଇ ଶସ୍ୟ ସଂରକ୍ଷଣ ପଦ୍ଧତି ଓ ଜୁଆଙ୍ଗ ଚଳଣି ଦେଖିଥିଲେ । ଗ୍ରାମବାସୀଙ୍କ ସ୍ନାନଶେଚ ପାଇଁ ପୋଖରୀ ଖୋଳାଇବା ଦାବି ଆଧାରରେ ଗାଁ ଉପର ମୁଣ୍ଡ ଝର ଜାଗାରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବା ପାଇଁ ଜଳଛାୟା ପ୍ରକଳ୍ପ ନିଦେ୍ର୍ଦଶକ ରମାକାନ୍ତ ପରିଡ଼ାଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅଧିକାଂଶ ମହିଳା ସୁଭଦ୍ରା ଟଙ୍କାରେ ଛେଳି ଓ କୁକୁଡ଼ା ପାଳନ କରୁଥିବା ଜାଣି ଖୁସିବ୍ୟକ୍ତ କରିଥିଲେ । ଜଙ୍ଗଲ ଜମି ଅଧିକାର ଆଇନ ଆଧାରରେ ଚାଷଜମି ପଟ୍ଟା ପ୍ରଦାନ ପାଇଁ ଜିଲାପାଳ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଡିଏଫ୍ଓ ଅନିଲ ରାୟ ଓ ଏସିଏଫ୍ ସନ୍ତୋଷ କୁମାର ପତିଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଡିଇଓ ନିତ୍ୟାନନ୍ଦ ବାରିକ ଓ ବିଇଓ ନାରାୟଣ ଦାସଙ୍କୁ ନେଇ ନଗଡ଼ା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ପରିଦର୍ଶନରେ ସ୍କୁଲ ପରିଚାଳନା ସମିତି ସଭାପତି କୃପା ପ୍ରଧାନ ଓ ଚୁକୁଲି ପ୍ରଧାନ ଜୁଆଙ୍ଗ ଭାଷାରେ ପାଠପଢ଼ା, ସ୍କୁଲ ପାଚେରି ଓ ଝରଣା ପାଣି ସଂରକ୍ଷଣ ଦାବି କରିଥିଲେ । କେତେକ ପିଲା ସ୍କୁଲରେ ନିୟମିତ ଅନୁପସ୍ଥିତ ରହୁଥିବା ଜାଣି ଏଥିରେ ସୁଧାର ଆଣିବାକୁ ପରାମର୍ଶ ଦେଇଥିଲେ । ଦେଓଗାଁରେ ଅବ୍ୟବହୃତ ଥିବା ୨ଶହ ଶଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲ ବୁଲି ତୁରନ୍ତ କାର୍ଯ୍ୟକ୍ଷମ ଦିଗରେ ଡିଡବ୍ଲ୍ୟୁଓ ଶରତ ଚନ୍ଦ୍ର ବେହେରା, ସ୍ୱତନ୍ତ୍ର ଅଧିକାରୀ ସୁନାରାମ ସିଂହ ଓ ପୂର୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ କମଳ କୁମାର ସ୍ୱାଇଁଙ୍କୁ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ କାଳିଆପାଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଏହାର ଉନ୍ନତୀକରଣ ପାଇଁ ସିଡିଏମ୍ଓ ଡା. ପ୍ରକାଶ ଚନ୍ଦ୍ର ବଳ, ଅଧୀକ୍ଷକ ଡା. ଜୟଦେବ ନନ୍ଦ ଓ ଡିପିଏମ୍ ବିଶ୍ୱରଞ୍ଜନ ରଥଙ୍କୁ ପରାମର୍ଶ ଦେଇଥିଲେ । କାଳିଆପାଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସାଧରଣ ଜନତାଙ୍କ ପାଇଁ ୨୪ ଘଂଟିଆ ସେବା ଯୋଗାଇବା ଓ ତକôାଳ ସେବା (ଆଇସିୟୁ)ର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଥିଲେ । ଖଣି ଅଂଚଳର ଜୀବନ ରେଖା କୁହାଯାଉଥିବା ଟମକା-ମଙ୍ଗଳପୁର ରାସ୍ତା ୪ ଥାକିଆ କରିବା ପାଇଁ ଜିଲା ଖଣିଜନ୍ୟାସ ପାଣ୍ଠିରୁ ବ୍ୟୟବରାଦ କରି ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଖଣି ଅଂଚଳରେ ଏକ କଲେଜ ଓ ଆଇଟିଆଇ ପ୍ରତିଷ୍ଠାନ ସ୍ଥାପନା କରିବାକୁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କାଳିଆପାଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ପୁନର୍ଜୀବିତ କରିବା ପାଇଁ ସୁକିନ୍ଦା ଖଣି ଅଂଚଳର ପାଂଚ ଗୋଟି ପଂଚାୟତର ଲୋକମାନେ ଶ୍ରମିକ ନେତା ଅମଳେନ୍ଦୁ ବେହୁରା ଏକ ଦାବିପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରଥିଲେ । ଡିଏସ୍ଡବ୍ଲୁଓ ପାର୍ବତୀ ସାହୁ, ଡିଏସ୍ଏସ୍ଓ ରବୀନ୍ଦ୍ରନାଥ ବେହେରା, ସହକାରୀ ନିଦେ୍ର୍ଦଶକ(ଉଦ୍ୟାନ) ରାଧେଶ୍ୟାମ ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଅବିନାଶ ବାରିକ ଓ ଡିଏମ୍ଏଫ୍ ଟିମ୍ ଲିଡର ଡ.ସତ୍ୟ ସ୍ୱରୂପ ପଣ୍ଡା ଓ ଆଶୀର୍ବାଦ ନାୟକ, ଓମ୍ବାଡସି ଶିକ୍ଷା ଅଧିକାରୀ ଦୀପକ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।