ମୃତକଙ୍କ ପରିବାରଙ୍କୁ ଭେଟିଲେ ବିଧାୟକ ଓ ପୂର୍ବତନ ବିଧାୟକ

ଧର୍ମଶାଳା : କ୍ରସର କର୍ମଚାରୀଙ୍କୁ ପିଟି ପିଟି ମାରିଦେବା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ସବୁ ମହଲରୁ ଦାବି ହୋଇଆସୁଛି । କିନ୍ତୁ ପୁଲିସ ଏଯାବଦ କାହାରିକୁ ଗିରଫ କରିନି । କେତେକଙ୍କୁ ପୁଲିସ ଉଠାଇ ଆଣି ପଚରା ଉଚରା କରିବା ନିମିତ ଅଟକ ରଖିଛି । କ୍ରସର କର୍ମଚାରୀ ହତ୍ୟା ଘଟଣା ଉପରୁ ପୁଲିସ ପର୍ଦ୍ଦା ଉଠାଇ ପାରିନଥିବା ବେଳେ ପରିବାରକୁ ସମବେଦନାର ଶୁଅ ଛୁଟୁଛି । ଗତକାଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୃତ ଅରଜିତ ଜେନାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ବିଧାୟକ ଶ୍ରୀ ସାହୁ ହତ୍ୟାକାଣ୍ଡକୁ ନିନ୍ଦା କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ବନ୍ଧା ହେବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଜି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ମୃତକ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦେବାଲାଗି ଦାବିକରିଛନ୍ତି । ସୂଚନା ମୁତାବକ କୁମାରୀ ପଂଚାୟତ ଜାମୁବଣିଆ ମୌଜାରେ ରହୁଥିବା ଅଜୟ ଜେନାଙ୍କ ଏକମାତ୍ର ପୁଅ ଅରଜିତ (୨୨) ରାହାଡପୁରର ଏକ କ୍ରସରରେ କାର୍ଯ୍ୟ କରୁଥିବା ବେଳେ ଅମାନୁସୀକ ଭାବେ ଲୁହା ରଡରେ ମାଡ ମାରିବା ସହିତ ଚେଙ୍କ ଦେଇ ଗୁରୁତର କରାଯାଇଥିଲା । ଗୁରୁତର ଅରଜିତଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକଲରେ ଭର୍ତି କରିଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା ।