ମହିଳାଙ୍କୁ ଅସଦାଚରଣ ଘଟଣା: ଅଟୋ ଚାଳକ ଗିରଫ, ୨ ଫେରାର

 ଯାଜପୁର ଟାଉନ : ମହିଳାଙ୍କୁ ଅସଦାଚରଣ ଘଟଣାରେ ଯାଜପୁର ଟାଉନ ଥାନା ପୁଲିସ ଅଟୋ ଚାଳକକୁ ଗିରଫ କରିଛି । କିନ୍ତୁ ଅସଦାଚରଣ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି । ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତିକଣ୍ଠ କାନୁନଗୋ ସୂଚନା ଦେଇଛନ୍ତି । ଗିରଫ ଅଟୋ ଚାଳକ ଦଶରଥପୁର ଥାନା କୁଆଁରପୁର ଗ୍ରାମର ନିତ୍ୟାନନ୍ଦ ଦାଶଙ୍କ ପୁଅ ବଳରାମ ହୋଇଥିବା ବେଳେ ଅଟୋରେ ମହିଳାଙ୍କୁ ଜୋର ଜବରଦସ୍ତ ନେଇଥିବା ସ୍ୱୀକାର କରିଛି ବୋଲି ଖବରଦାତା ସମ୍ମିଳନୀରେ ପୁଲିସ ସୂଚନା ଦେଇଥିଲା । ଖବର ଥାଉକି ଗତ ୨୨ତାରିଖ ସନ୍ଧ୍ୟାରେ ଏକ ଘରୋଇ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଜନୈକା ମହିଳା ଘରକୁ ଯିବାପାଇଁ ଗାନ୍ଧି ଛକରେ ଅପେକ୍ଷା କରିଥିବା ବେଳେ ବଳରାମ ଅଟୋରେ ତାଙ୍କୁ ନିଜ ଗ୍ରାମ ବିରଜାପୁରକୁ ନେବା ସମୟରେ ମାର୍କେଟ ଛକରେ ଅନ୍ୟ ୨ଜଣ ମୁଖା ପିନ୍ଧା ଯୁବକକୁ ଉଠାଇଥିଲେ । ଅଟୋଟି ରାମବାଗ ଅଂଚଳକୁ ନେବା ପରିବର୍ତେ ଅନ୍ୟ ଏକ ସ୍ଥାନକୁ ନେଇଥିଲା । ଯାହାକୁ ନେଇ ସଂପୃକ୍ତ ମହିଳା ପ୍ରତିବାଦ କରିଥିଲା । ଏହି ସମୟରେ ମହିଳାଙ୍କୁ ଦୁଇ ଜଣ ଯୁବକ ଜୋର ଜବରଦସ୍ତ ତଳକୁ ଓହ୍ଲାଇ ଅସଦାଚରଣ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସଂପୃକ୍ତ ମହିଳା ପାଟି କରିବାରୁ ଯୁବକ ସେ ସ୍ଥାନରୁ ଚମ୍ପଟ ମାରିଥିଲେ । ଆହତ ଅବସ୍ଥାରେ ମହିଳାଙ୍କୁ ଆଣି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ଏନେଇ ମହିଳାଙ୍କ ସ୍ୱାମୀ ଗଣିଆ ଲୋହାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗକୁ ଭିତି କରି ଥାନା କେଶ ନଂ. ୧୯୪/୨୫,ଭାରତୀୟ ନ୍ୟାୟ ସଂହିତାରେ୧୨୭/୭୫/୧୧୫(୨)/୩୫୧(୨)/୨୯୬/୧୦୯/୧୧୮(୧)/୧୧୦(୩)/୩(୫) ଦଫାରେ ମାମଲା ରୁଜୁ କରିଥିଲା । ଏସ୍ଆଇ ସୁବାସ ଚନ୍ଦ୍ର ମୁଦୁଲି ତଦନ୍ତ ଆରମ୍ଭ କରି ଘଟଣାରେ ସଂପୃକ୍ତ ଅଟୋ ଚାଳକକୁ ଗିରଫ କରିଥିଲେ । ଖୁବଶୀଘ୍ର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବ ବୋଲି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କାନୁନଗୋ ସୂଚନା ଦେଇଥିଲେ । ଖବରଦାତା ସମ୍ମିଳନୀରେ ଏସ୍ଡିପିଓ ପ୍ରଶାନ୍ତ କୁମାର ମାଝୀ, ଯାଜପୁର ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ପି ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।