ମୋବାଇଲ୍ ଲୁଟେରା ଗିରଫ
ଜଟଣୀ: ହରିଭାଇନା ଛକ ନିକଟରେ ଚାଲୁଥିବା ଏକ କନଷ୍ଟ୍ରକ୍ସନ କାର୍ଯ୍ୟରେ ମୁତୟନ ଥିବା ଠିକା ଶ୍ରମିକଙ୍କ ମୋବାଇଲ୍ ଲୁଟିଥିବା ଜଣେ ଲୁଟେରାକୁ ଗିରଫ କରିଛି ଜଟଣୀ ପୁଲିସ୍ । ଗିରଫ ଲୁଟେରା ଜଣକ ଇନଫୋସିଟି ଥାନା ବଙ୍ଗାଳୀ କଲୋନୀରେ ରହୁଥିବା ଜଗନ୍ନାଥ ଆଚାର୍ଯ୍ୟ ଓରଫ ଆଚାରୀ ଓରଫ ଜଗା ବୋଲି ଜଣାପଡ଼ିଛି । ଶ୍ରମିକମାନେ ନିର୍ମାଣସ୍ଥଳ ନିକଟସ୍ଥ ଏକ ଅସ୍ଥାୟୀ ଘରେ ରହୁଥିବା ବେଳେ ଗତ ୨୨ ତାରିଖ ବିଳମ୍ବିତ ରାତିରେ ଜଗା ଘରର ଝରକା ଭାଙ୍ଗି ସେଠାରୁ ଶ୍ରମିକମାନଙ୍କର ୫ଟି ମୋବାଇଲ ଲୁଟି ନେଇଥିଲା । ଠିକାଦାର ପ୍ରଶାନ୍ତ ଶତପଥୀ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ଖୋଳତାଡ଼ କରିଥିଲା । ଏହି ସମୟରେ ଅଭିଯୁକ୍ତ ଜଗା ଖୋର୍ଦ୍ଧାରୋଡ ରେଲୱେ ଷ୍ଟେସନ୍ ନିକଟରେ ଛିଡା ହୋଇ କେତେଗୁଡିଏ ଚୋରା ମୋବାଇଲକୁ କମ ଦାମରେ ବିକ୍ରି କରୁଥିବା ସୂଚନା ପାଇ ପୁଲିସ୍ ସେଠାରେ ଚଢ଼ଉ କରିଥିଲା ଏବଂ ତାକୁ ଗିରଫ କରିଥିଲା । ତା’ ନିକଟରୁ ୫ ଟି ଚୋରା ମୋବାଇଲ ଫୋନ ଜବତ କରାଯାଇଛି । ଜଗା ନାଁରେ ଇନ୍ଫୋସିଟି ଥାନାରେ ୫ଟି ଓ ମୈତ୍ରୀବିହାର ଥାନାରେ ଗୋଟିଏ ମାମଲା ରହିଥିବାଜଣାପଡିଛି ।