ମୋବାଇଲ ଲୁଟ୍ ବେଳେ ୨ ଲୁଟେରାଙ୍କୁ ଧରିଲେ ଲୋକେ

ଭୁବନେଶ୍ୱର, ୧୯ା୬ : ଫାଷ୍ଟଫୁଡ୍ ଦୋକାନ ସାମ୍ନାରୁ ଜଣେ ବ୍ୟକ୍ତିଙ୍କ ମୋବାଇଲ ଫୋନ୍ ଝାମ୍ପିନେବା ବେଳେ ଦୁଇ ଲୁଟେରାଙ୍କୁ କାବୁ କଲେ ଲୋକେ । ପରେ ବହେ ଉତ୍ତମ ମଧ୍ୟମ କରି ପୁଲିସରେ ଦେଲେ । ଏନେଇ ତମାଣ୍ଡୋ ଥାନା ପୁଲିସ ଥାନା କେସ ନମ୍ବର ୨୩୫ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଦଫା ୩୯୨/୩୪ରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଦୁଇ ଅଭିଯୁକ୍ତ ହେଲେ, ଖଣ୍ଡଗିରି ଧର୍ମ ବିହାର ତାରିଣୀ ବସ୍ତିର ରବି ନାରାୟଣ ସାହୁ ଓ ଇନଫୋଭ୍ୟାଲି ଥାନା ଅଧିନ ହରିଜନ ସାହିର, ସନ୍ତୋଷ ନାୟକ । ଏମାନଙ୍କ ନାମରେ ପୂର୍ବରୁ ଇନଫୋସିଟି ଥାନାରେ ଏକାଧିକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି । ଏମାନେ ପୁଣି ଗତ ରାତିରେ ୩ଟି ଗ୍ୟାସ ସିଲିଣ୍ଡର ଚୋରି କରିଥିବା ପୁଲିସ ଆଗରେ ମାନିଥିଲେ ।
ସୂଚନାଯୋଗ୍ୟଯେ, ମଙ୍ଗଳବାର ଦିନ ଅଭିଯୋଗକାରୀ ବିକାଶ ପ୍ରଧାନ ନାମକ ବ୍ୟକ୍ତି ତମାଣ୍ଡୋ ବିପରିତ ଦିଗରେ ଥିବା ନିଜ ଫାଷ୍ଟଫୁଡ୍ ଦୋକାନ ନିକଟରେ ମୋବାଇଲରେ କିଛି ହିସାବକିତାବ କରୁଥିଲେ । ଏହି ସମୟରେ ଦୁଇ ଜଣ ଅଭିଯୁକ୍ତ ଏକ ପଲସର ବାଇକରେ ହଠାତ ଆସି ତାଙ୍କ ନିକଟରୁ ମୋବାଇଲ ଫୋନ ଛଡ଼ାଇ ଫେରାର ହୋଇଯାଉଥିଲେ । ଏତିକି ବେଳେ ନିକଟସ୍ଥ କିଛି ଲୋକେ ଘଟଣା ଦେଖି ୨ ଲୁଟେରାଙ୍କୁ ଗୋଡାଇ କାବୁ କରିନେଇଥିଲେ । ପରେ ବହେ ଛେଚି ଦୁହିଙ୍କୁ ତମାଣ୍ଡୋ ଥାନାରେ ଜିମ୍ବା ଦେଇଥିଲେ । ଏନେଇ ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିର୍ତ୍ତି କରି ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇ ଦୁହିଙ୍କୁ କୋର୍ଟ ଚାଲାଣ କରିଛି ।