ଠେଲା ନ ଉଠେଇବାରୁ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ ; ୩ ଗିରଫ
ଭୁବନେଶ୍ୱର, ୨୬ା୪ : ପରିବା ଦୋକାନ ସାମ୍ନାରେ ଗୁପୁଚୁପ୍ ଠେଲା ବାହାର ନ କରିବାରୁ ସ୍ୱାମୀ ସ୍ତ୍ରୀଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୁଲିସ ୨୪୯ରେ ମାମଲା ରୁଜୁକରି ୩ ଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରାଯାଇଛି । ପରେ ଦଫା ୩୪୧, ୨୯୪, ୩୨୩, ୩୨୪, ୩୭୯,୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ, ବୋମିଖାଲ କେନାଲ ରୋଡର ସନ୍ତୋଷ କୁମାର ମଲ୍ଲୀକ, ବୋମିଖାଲ ତାରିଣୀ ବସ୍ତିର ଜି କ୍ରିଷ୍ଠା ଓ ଲକ୍ଷ୍ମୀସାଗର ଶ୍ୱସ୍ତିଧାମର ଽୁରବାହାନ ଦଳେଇ ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଟୁନୁଟୁନ୍ ଶର୍ମାଙ୍କ ଭିଣୋଇ ପଙ୍କଜ କୁମାର ରାମ ଅଭିଯୁକ୍ତ ସନ୍ତୋଷ କୁମାର ମଲ୍ଲୀକଙ୍କ ପରିବା ଦୋକାନ ନିକଟରେ ଠେଲା ଲଗାଇ ଗୁପୁଚୁପ୍ ବ୍ୟବସାୟ କରିଥିଲେ । ଏହି ସମୟରେ ଅଭିଯୁକ୍ତ ସନ୍ତୋଷ ଏବଂ ତାଙ୍କ ପତ୍ନୀ ସେଠାରେ ଗୁପୁଚୁପ୍ ଠେଲା ଲଗେଇବାକୁ ବାରଣ କରିଥିଲେ । ଏହି ଘଟଣା ପରେ ପଙ୍କଜ ଅନ୍ୟତ୍ର ଠେଲା ଲଗାଇ ନିଜର ଗୁପୁଚୁପ୍ ବ୍ୟବସାୟ କରିଥିଲେ । ଗତ ୨୫ ତାରିଖ ସନ୍ଧ୍ୟାରେ ପଙ୍କଜଙ୍କ ପତ୍ନୀ କର୍ମସ୍ଥଳରୁ ଘରକୁ ଫେରିବା ବେଳେ ଅଭିଯୁକ୍ତ ସନ୍ତୋଷ ଏବଂ ଅନ୍ୟ ଦୁଇ ସହଯୋଗୀ ମିଶି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମାରିବାକୁ ଉଦ୍ୟମ କରୁଥିବା ଦେଖି ସେ ଘଟଣା ସ୍ଥଳକୁ ଦୌଡ଼ି ଯାଇ ପତ୍ନୀଙ୍କୁ ବଞ୍ଚାଇବା ଲାଗି ପ୍ରୟାସ କରିଥିଲେ । ଏହି ସମୟରେ ଅଭିଯୁକ୍ତ ମାନେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ବାଉଁଶ ଲାଠି ଏବଂ ଲୁହା ରଡ ସାହାର୍ଯ୍ୟରେ ଆକ୍ରମଣ କରିବା ସହିତ ପକେଟରେ ଥିବା ଏକ ମୋବାଇଲ ଫୋନକୁ ଚୋରି କରି ନେଇଯାଇଥିଲେ । ଏହି ଆକ୍ରମଣରେ ପଙ୍କଜ ଓ ତାଙ୍କ ପତ୍ନୀଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ସୂଚନା ପାଇ ଅଭିଯୋଗକାରୀ ଘଟଣା ସ୍ଥଳରେ ପହଞ୍ଚିବା ସହ ଭଉଣୀ ଓ ଭିଣୋଇଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ପରେ ଲକ୍ଷ୍ମୀସାଗର ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।