ଯଖପୁରା ଗାଁ : ଦାଣ୍ଡରେ ପାଣି କିନ୍ତୁ ପିଇବାକୁ ନାହିଁ
ଯଖପୁରା : ଯଖପୁରା ଗ୍ରାମ କହିଲେ ଯଥେଷ୍ଟ । ଗୋଟେ ଚିହ୍ନା ପରିଚିତ ନାଁ ଟିଏ । ଯେଉଁ ଗାଁରୁ ହିଁ କଳିଙ୍ଗନଗର ଶିଳ୍ପାୟନର ଶୁଭ ପକାଇଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କଦମ୍ବ ଗଛ ରୋପଣ କରି । ଯଦିଓ କଦମ୍ବଗଛର ସ୍ଥାନ ପରିବର୍ତ୍ତନ ହୋଇଛି, କିନ୍ତୁ ଯିଏ ବି ମିଲଟାରୀ ଛକରୁ ପଙ୍କପାଳ ରାସ୍ତାରେ ଯିବ ଇସ୍ପାତ ଶିଳ୍ପର ଶୁଭାରମ୍ଭ ପଦଚିହ୍ନ ଦୃଷ୍ଠିରେ ପକାଇଯିବ । ସେଥିପାଇଁ ଯଖପୁରା ଗାଁ ନାଁର ସ୍ୱତନ୍ତ୍ରତା ରହିଛି । ଦାନଗଦୀ ବ୍ଲକ୍ର ଗୋଟେ ଉନ୍ନତ ଗ୍ରାମ କହିଲେ ଭୁଲ ହେବନି । ଗ୍ରାମରୁ ଅନେକ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ପାରିଦର୍ଷିତ ଲାଭ କରିଛନ୍ତି । ମାତ୍ର ଗ୍ରାମରେ ଏତେ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତା ରହିଥିବା ସତ୍ୱେ ଗାଁ ଦାଣ୍ଡକୁ ଦେଖିଲେ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ । ଗାଁ ପରିମଳ ଧୋବା ତୁଠରୁ ଜଣା ପଡ଼ିଲା ପରି ପରିସ୍ଥିତି ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଯଖପୁରା ଗ୍ରାମରେ ଦେଖିବାକୁ ମିଳେ । ଗୋଟିଏ ଗ୍ରାମ ଗୋଟିଏ ପଂଚାୟତ । ଗ୍ରାମରେ ପ୍ରାୟ ୩୦୦୦ ରୁ ୩୫୦୦ ଲୋକ ବସବାସ କରୁଛନ୍ତି । ଗ୍ରାମରେ ୧୩ ଟି ୱାର୍ଡ ରହିଛି । ମାତ୍ର ଗାଁ ଦାଣ୍ଡକୁ ଦେଖିଲେ ଏହା ଅନୁମେୟ ହୁଏ କି ଗ୍ରାମର ଲୋକମାନେ ରାସ୍ତା ପାଇଁ କେତେ ସମସ୍ୟାରେ ରହିଛନ୍ତି । ଗାଁ ର ଅର୍ଦ୍ଧାଧିକ ସାହିର ରାସ୍ତା ପାଣି ଘେରରେ ରହିଛି । ଗାଁ ରାସ୍ତା ସବୁ ଚିର ସ୍ରୋତା ଝରଣା ପାଲଟିଛି । ଗାଁ ଦାଣ୍ଡ ସବୁବେଳେ ପାଣି କାଦୁଅରେ ପଚର ପଚର । ରାସ୍ତା ଉପରେ ବର୍ଷର ସର୍ବାଧିକ ସମୟ ପାଣି ବହୁଥାଏ । ଫଳରେ ଗାଁ ର ପିଲାମାନେ ସ୍କୁଲ କଲେଜ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗାଁ ଦାଣ୍ଡରେ ଲୋକମାନେ ଯିବା ଆସିବାରେ ଅସୁବିଧା ଭୋଗନ୍ତି । ଗାଈ ଗୋରୁ ସବୁ ପ୍ରତ୍ୟେକ ଦିନ ଏହି ପାଣିରେ ପସି ଯିବା ଆସିବା କରୁଛନ୍ତି । ଏମିତିକି ସାଧାରଣତନ୍ତ୍ର ଦିବସ ହେଉ ଅଥବା
ଗଣତନ୍ତ୍ର ଦିବସରେ ଛାତ୍ରଛାତ୍ରୀ ମାନେ ଏହି ଗାଁ ଦାଣ୍ଡ ପାଣିରେ ପଶି ଗାଁ ପରିଭ୍ରମଣ କରୁଥିବାର ଦେଖିବାକୁ ମିଳେ । ଗାଁରେ ଯୁବ ପିଢ଼ି ସବୁ ବିଭିନ୍ନ ପର୍ବ ପର୍ବାଣୀରେ ଅନୁଷ୍ଠାନ କରିବା ପାଇଁ ଅନେକ ସମସ୍ୟା ଭୋଗ କରୁଛନ୍ତି । ଏମିତି କି ଅନ୍ୟ ପଡିଶା ଗାଁ ସବୁର ଲୋକମାନେ ଯଖପୁରା ଗ୍ରାମକୁ ଆସିବା ସମୟର ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ଏବେକାର ନୁହେଁ । କାହିଁ କେଉଁ ଦିନରୁ ଏହି ସମସ୍ୟା ଗ୍ରାମରେ ଲାଗି ରହିଛି । ମାତ୍ର ଏହାର ସମାଧାନ ଏପର୍ଯ୍ୟନ୍ତ ହୋଇପାରୁ ନାହିଁ । ପ୍ରକୃତରେ କଣ ଏହି ସମସ୍ୟାର ସମାଧାନ ? ଏଥିପାଇଁ ବ୍ୟବସ୍ଥା ଦାୟୀ ନା ଦଇବ ଦାୟୀ ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ଆଜିବି ପ୍ରଶ୍ନ । ଦେଖିବାକୁ ଗଲେ ଆଜିର ମାନବ ପୃଥିବୀ ପୃଷ୍ଠାରୁ ଯାଇ ଚନ୍ଦ୍ର ପୃଷ୍ଠରେ ପହଁଚିଲାଣି । ଆଜିର ବିଜ୍ଞାନ ଯୁଗରେ ମାନବ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରୁଛି । ମାତ୍ର ଗାଁ ଦାଣ୍ଡରେ ଅହରହ ଚାଲୁଥିବା ପାଣିକୁ ବନ୍ଦ କରାଯାଇପାରୁନି । ଆମ ଗାଁ ଦାଣ୍ଡ କଣ ଶୁଖିଲା ହେବ ନାହିଁ ବୋଲି ଛୋଟ ଛୋଟ ପିଲା କ୍ଷୋଭର ସହ କହୁଛନ୍ତି । ପୁଣି କହୁଛନ୍ତି ଆମେ କଣ ଆମ ଗାଆଁ ଦାଣ୍ଡର ଧୂଳି ରେ ଖେଳି ପାରିବୁ ନାହିଁ ।
ଏମିତି ଅନେକ ପ୍ରଶ୍ନ ଛୋଟ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ । ମାତ୍ର ଏହି ସମସ୍ୟାର ସମାଧାନ ପାଇଁ କାହାର ଆନ୍ତରିକତା ଦେଖିବାକୁ ମିଳୁନାହିଁ । ସମସ୍ତେ ପୂର୍ବ କାଳରୁ ଏପରି ହେଉଛି ବୋଲି କହି ଚୁପ୍ ବସିପଡୁଛନ୍ତି । ଆମର କହିବା କଥା ସମୟ କେତେ ଆଗକୁ ଗଲାଣି । ଅନେକ କ୍ଷେତ୍ରରେ ନୂଆ ନୂଆ କୌଶଳ ଆପଣା ଯାଇ ଅସମ୍ଭବକୁ ସମ୍ଭବ କରା ଯାଉଥିବାର ନଜିର ରହିଛି । ସମୁଦ୍ରର ଅତଳ ଗଭୀର ଜଳ ରାଶିରେ ରାସ୍ତା ହୋଇପାରୁଛି । ଏଇଠି ଏମିତି କଣ ହୋଇଛି ଯେ ରାସ୍ତା ଉପରେ ଅନବରତ ଚାଲୁଥିବା ପାଣିକୁ ବନ୍ଦ କରାଯାଇପାରିବ ନାହିଁ ବୋଲି ଗାଁର ଯୁବ ପିଢ଼ି ଯୁକ୍ତି ବାଢ଼ିଛନ୍ତି । ମାତ୍ର ଏହା କରିବା ପାଇଁ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ କାହାର ଆନ୍ତରିକତା ନାହିଁ ବା ଚେଷ୍ଟା ହୋଇନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି । ବଡ଼ ବିଚିତ୍ର କଥା ବର୍ଷା ଆଉ ଶୀତ ଦିନରେ ଯଖପୁରା ଗାଁ ଦାଣ୍ଡରେ ଅନବରତ ପାଣି ବହିଥାଏ ମାତ୍ର ଖରା ଦିନ ଏହି ଗ୍ରାମର ଅନେକ ସାହିରେ ପାନୀୟଜଳର ଘୋର ଅଭାବ ଦେଖାଦେଇଥାଏ । ଏମିତିକି ପାଣି ପାଇଁ ସାହିର ଲୋକ ବାର ଦୁଆର ସୁଣ୍ଢିପିଣ୍ଢା ହୋଇଥାନ୍ତି । ପାନୀୟ ଜଳ ପାଇଁ ଲୋକମାନେ ହନ୍ତସନ୍ତ ହୁଅନ୍ତି । କୂଅ ପୋଖରୀ ସବୁ ଶୁଖି ଯାଇଥାଏ । କାହିଁ କେଉଁ ଦିନରୁ ଏହି ସମସ୍ୟା ଗାଁରେ ଦେଖିବାକୁ ମିଳୁଛି । ବର୍ଷା ଦିନେ ଗାଁ ଦାଣ୍ଡରେ ପାଣି କିନ୍ତୁ ଖରା ଦିନ ପିଇବା ପାଇଁ ପାଣି ନାହିଁ । ଗାଁର ମା ଭଉଣୀ ମାନେ ଗରା ମାଠିଆ ଧରି ପାଣି ପାଇଁ ଏସ୍ଥାନରୁ ସେ ସ୍ଥାନକୁ ବୁଲୁଥିବାର ନଜିର ରହିଛି । ସରକାର ଗାଁ ଦାଣ୍ଡର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କହୁଛନ୍ତି । କେବଳ ଯେ ଉନ୍ନତି କରଣ କରୁଛନ୍ତି ତାହା ନୁହେଁ ଗାଁର ରାସ୍ତା କିପରି ସୋନ୍ଦର୍ଯ୍ୟ କରଣ ହୋଇପାରିବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ବୋଲି ଭାଷଣ ବାଜି ମାରୁଛନ୍ତି । କିନ୍ତୁ ଗ୍ରାଉଣ୍ଡ ଜିରୋରେ ତାହା ଦେଖିବାକୁ ମିଳୁ ନାହିଁ । ତେଣୁ ଯଖପୁରା ଗ୍ରାମର ଏହି ସମସ୍ୟାକୁ କିପରି ଦୂର କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ବୁଦ୍ଧିଜୀବୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।