ଯାଜପୁର ରୋଡ଼-ଧାମରା ନୂତନ ରେଳପଥକୁ ଅର୍ଥ ବରାଦ କେବେ? 

ଯାଜପୁର ଟାଉନ : ବହୁ ପ୍ରତିକ୍ଷିତ ଯାଜପୁର ରୋଡ ଭାୟା-ଯାଜପୁର-ଆରଡି-ଧାମରା ରେଳପଥ ନିମନ୍ତେ ସମସ୍ତ କାର୍ଯ୍ୟ ସରିଯାଇଥିଲେ ମଧ୍ୟ ରେଳ ବୋର୍ଡ ଅଦ୍ୟାବଧି ଅର୍ଥ ମଞ୍ଜୁର କରିବାରେ ବିଳମ୍ବ କରୁଛି । ଗତ କିଛିଦିନ ତଳେ ପ୍ରକଳ୍ପ ବ୍ୟୟ ଅଟକଳ ପରିବର୍ତ୍ତିତ ହୋଇଥିବା ସହ ଆଦାନି ଗ୍ରୁପର ଧାମରା ପୋର୍ଟ ପକ୍ଷରୁ ତା୧୧ା୧୧ା୨୦୨୪ରିଖ ଚିଠି ନଂ. ଇସିଓଆର୍/୧୧/୨୦୨୪-୨୫/୧ଦକ୍ଷିଣ ପୂର୍ବ ରେଳପଥ ଅଧିକ୍ଷକଙ୍କ ପକ୍ଷରୁ କରାଯାଇଥିବା ପତ୍ରର ଉତ୍ତର ଦିଆଯାଇ ଏହି ପ୍ରକଳ୍ପ କରାଗଲେ ଜନସାଧାରଣ ଉପକୃତ ହେବା ସହ ଧାମରା ପୋର୍ଟର କୌଣସି ଆପତ୍ତି ନାହିଁ ବୋଲି ଲିଖିତ ଭାବେ ଦିଆଯାଇଛି । ସେହିପରି ପ୍ରକଳ୍ପ ସର୍ଭେକାର୍ଯ୍ୟ ଶେଷ ହେବାପରେ ନୂଆ ଦିଲ୍ଲୀର ରେଲ୍ବୋର୍ଡର ନାଲିଫିତା ତଳେ ପଡିରହିଛି । ଏହି ନୂତନ ରେଳପଥ ଯାଜପୁର ରୋଡ-କେନ୍ଦୁଝର ରୋଡ ଷ୍ଟେସନରୁ ବାହାରି ନୂତନଭାବେ ପ୍ରସ୍ତାବିତ ଛୋଟରାୟପୁର ଷ୍ଟେସନ, ରାମପୁରସଗଡି ଷ୍ଟେସନ, ବାହାବଳପୁର ହଲ୍ଟ, ଯାଜପୁର ଷ୍ଟେସନ, ଜଳେଶ୍ୱରପୁର ଷ୍ଟେସନ, ଶିରିପୁରା ଷ୍ଟେସନ, ମଙ୍ଗଳପୁର ଷ୍ଟେସନ, ଆରଡି ଷ୍ଟେସନ, ଚାନ୍ଦବାଲି ଷ୍ଟେସନ, ଭିତର କନିକା ଷ୍ଟେସନ ସହ୯୪କିଲୋମିଟର ରେଳପଥ ଧାମରା ପୋର୍ଟସହ ସଂଯୋଗ କରାଯିବ । ପୂର୍ବରୁ ଧାମରାରୁ ଭଦ୍ରକ ପର୍ଯ୍ୟନ୍ତ ରେଳ ସଂଯୋଗ କରାଯାଇଛି । ଏହାଦ୍ୱରା ଯାଜପୁର ଭଦ୍ରକ, କେନ୍ଦ୍ରାପଡା ତଥା କେନ୍ଦୁଝରର ଅଧିବାସୀ ଉପକୃତ ହେବାସହ ନାଭିଗୟା, ବୈତରଣୀ ତୀର୍ଥ, ପ୍ରଭୁବରାହ ବିରଜାଦର୍ଶନ, ପ୍ରସିଦ୍ଧ ଆରଡି ବାବାଙ୍କ କ୍ଷେତ୍ର, ଭିତର କନିକା ପର୍ଯ୍ୟଟନ କ୍ଷେତ୍ର ସହ ଧାମରା ପୋର୍ଟକୁ ଲକ୍ଷଲକ୍ଷ ଯାତ୍ରୀ ଆସିପାରିବେ । ହେଲେ ଅଦ୍ୟାବଧି ଅର୍ଥ ମଞ୍ଜୁର କରାଯାଇପାରିଲା ନାହିଁ । ଏସମ୍ପର୍କରେ ଆଗାମୀ ଦିନରେ ପ୍ରସ୍ତାବିତ ପ୍ରତ୍ୟେକ ଷ୍ଟେସନମାନଙ୍କରେ ବିଭିନ୍ନ ସଭାସମିତି କରାଯିବା ସହ ପୋଷ୍ଟକାର୍ଡ ପ୍ରେରଣ କାର୍ଯ୍ୟକୁ ତ୍ୱରାନିତ କରାଯିବ ବୋଲି ବିରଜା କ୍ଷେତ୍ର ବିକାଶ ପରିଷଦ ପକ୍ଷରୁ ସଭାପତି ତପନମହାରଣ୍ୟ ଶର୍ମା ପ୍ରକାଶ କରିଛନ୍ତି । ପ୍ରକଳ୍ପ ଯଥାଶୀଘ୍ର ପାରିତ କରି କେନ୍ଦ୍ର ସରକାର ଯାଜପୁର ବାସୀଙ୍କ ଦୀର୍ଘ ଦିନର ଆଶା ଓ ସ୍ୱପ୍ନକୁ ସାକାର କରିବା ପାଇଁ ଯାଜପୁର ବରିଷ୍ଠ ବୁଦ୍ଧିଜୀବୀ ପଞ୍ଚାନନ ପାଣି, ବିଜୟ ମହାରଣା, ଦିଲ୍ଲୀପ ଦାଶ, ଜ୍ୟୋତିଶଙ୍କର ରାୟ, ରଞ୍ଜିତା ପରିଡା ପ୍ରମୁଖ ଦାବି କରିଛନ୍ତି ।