ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିର ସମାଧାନ ଦାବି
ଯାଜପୁର : ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଭୀମ ଆର୍ମି ଭାରତ ଏକତା ମିଶନ, ଯାଜପୁର ଓଡିଶା ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କର୍ମକର୍ତା କିଆନାଳୀ ଠାରୁ ଏକ ଶୋଭାଯାତ୍ରାରେ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ । ଗତ ୪ ତାରିଖରେ ଉକ୍ରଳ ବିଶ୍ୱବିଦ୍ୟାଳୟର ପରିସରରେ ଚନ୍ଦ୍ରଶେଖର ଓ ଭୀମଆର୍ମିର୍ କର୍ମକର୍ତାଙ୍କ ଉପରକୁ ହୋଇଥିବା ଆକ୍ରମଣ ଏବଂ ଗାଡି ଭଙ୍ଗାରୁଜା ଘଟଣାରେ ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ଅଧୀନ ବଲାଙ୍ଗିଆ ଗ୍ରାମର ଚତୁଃପାଶ୍ୱର୍ରେ ବେଆଇନ ଭାବେ ଗଢିଉଠିଥିବା କ୍ରସର ଗୁଡିକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିଆସୁଛନ୍ତି । ଉକ୍ତ ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଓ ଘରଡିହ ପଟ୍ଟା ପ୍ରଦାନ କରିବାକୁ ଦାବି ହୋଇଛି । ଶ୍ରମ ଆଇନର ଉଲଙ୍ଘନ ହୋଇ ଥିବାରୁ ବିଭିନ୍ନ ଲୋକଙ୍କୁ ନ୍ୟାୟ, ମାଲପଡା ଗ୍ରାମର ଅନୀତା ଜେନା ଓ ଦର୍ପଣ ପଂଚାୟତ ଗୁଲଜାର ନଗର ପାଟଣା ଗ୍ରାମର ବଳରାମ ମଲିକଙ୍କୁ ନ୍ୟାୟ ପ୍ରଦାନ କରିବା, ଚାରିନଙ୍ଗଳ ପଂଚାୟତର ଗହରନଗର ଗ୍ରାମକୁ ରାସ୍ତା ନିର୍ମାଣ କରିବା ଆଦି ଦାବି ସାମିଲ ଅଛି । ବିଶେଷ କରି ଅନୁସୂଚିତ ଜାତି/ଅନୁୁସୂଚିତ ଜନଜାତି (ନିର୍ଯାତନା ନିବାରଣ) ଆଇନକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରିବା ଓ ବିଭିନ୍ନ ବିଭାଗରେ ପଡି ରହିଥିବା ଶହ ଶହ ଅଭିଯୋଗକୁ ତୁରନ୍ତ ସମାଧାନ କରିବାକୂ ଦାବି ହୋଇଥିଲା । ଏକ ପ୍ରତିନିଧି ଦଳ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ଭେଟି ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଭୀମ ଆର୍ମି ଯାଜପୁର ଜିଲା ସଭାପତି ତରଣୀ ମଲିକ, ସଚିବ ବିନୋଦ ଜେନା, ପ୍ରଭାରୀ ମାଧବ ଜେନା, ଉପସଭାପତି ଜଗବନ୍ଧୁ ମଲିକ, ସମ୍ପାଦକ ହରିହର ମଲିକ, ମହେଶ୍ୱର ମୁଣ୍ଡା, ସୁରେଶ ମଲିକ, ଯୁଗ୍ମ ସଚିବ କିଶାନ ପୂର୍ତୀ, ସୁକିନ୍ଦା ବ୍ଲକ ସଭାପତି ମିଟୁ ମୁନ୍ଦୁୟା, ତପନ ସେଠୀ, ସିନି ସାମାଡ, ଘନଶ୍ୟାମ ଜେନା ଓ ବଲାଙ୍ଗିଆ, ଗହରନଗର ଗ୍ରାମବାସୀଙ୍କ ସହ ଶତାଧିକ ଭୀମ ଆର୍ମି କର୍ମକର୍ତା ଯୋଗ ଦେଇଥିଲେ ।