ଯିଏ ସହେ, ସିଏ ହିଁ ରହେ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ’ 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା 'ଯିଏ ସହେ, ସିଏ ହିଁ ରହେ'ର ତାତ୍ପର୍ଯ୍ୟ ବାବଦରେ  । ସବୁଦିନ ଭଳି ଆଜିର ଅଳ୍ପ କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ, ବୁଝିବେ ବୋଲି ଆଶା  ।

ପ୍ରତିଟି ମଣିଷ ଚାହେଁ ସେ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛି ତା'ଠାରୁ ଅଧିକ ଟିକିଏ ଭଲ ସ୍ଥିତିରେ ପହଞ୍ଚିବାକୁ ବା ବଞ୍ଚିବାକୁ  । ସମସ୍ତଙ୍କ କ୍ଷେତ୍ରରେ ଏହା ହିଁ ଦେଖିବାକୁ ମିଳେ  । ହେଲେ ଯିଏ ଯେତେ ଭଲ ସ୍ଥିତିରେ ରହିଲେ ବି ତା'ର ହୃଦବୋଧ ହୋଇନଥାଏ, ଯେ ସେ ଅନ୍ୟମାନଙ୍କ ଠାରୁ ଖୁବ୍ ଭଲରେ ଅଛି ବୋଲି  । କିନ୍ତୁ ଏହା କାହିଁକି ସେତକ ଆମେ କେବେ ବି ବିଶ୍ଲେଷଣ କରିନାହୁଁ  । କାରଣ ଆମେ କେବେ ବି ନିଜ ଭିତରଟାକୁ ଝାଙ୍କି ଦେଖିବାକୁ ଚେଷ୍ଟା କରିନାହୁଁ  ।
ସୁଖ ଆଶାରେ ଆମେ ଜୀବନଦାଣ୍ଡରେ ନିଇତି ଦଉଡୁଛୁ  । ହେଲେ ବି ଶେଷରେ ସୁଖ ଟିକକ ବି ମିଳୁନାହିଁ  । କାରଣ ଆମ ପାଖରେ ଧୈର୍ଯ୍ୟ ରହୁନାହିଁ  । ସଙ୍ଗେ ସଙ୍ଗେ ପରିଣାମ ବା ଫଳାଫଳ ମିଳିବାର ଆଶା ଆମଠି ଅଧିକ ରହୁଛି  ।
ସବୁକିଛି ତ ସଙ୍ଗେ ସଙ୍ଗେ ହୋଇନଥାଏ  । ସେଥିପାଇଁ ଜୀବନରେ ତିନିଟି ଜିନିଷକୁ ଆମେ ଆୟତ୍ତ କରିବା ନିହାତି ଲୋଡା  । ଏହି ତିନିଟି ଜିନିଷ ହେଲା-ସହ୍ୟ ଶକ୍ତି, ଧୈର୍ଯ୍ୟ ଏବଂ ଜାଣିବାର ଇଚ୍ଛା  ।
ଯିଏ ସହେ, ସିଏ ହିଁ ରହେ  । ଆମର ବଞ୍ଚିରହିବା ପାଇଁ ଆମ ଭିତରେ ସହନଶୀଳତା ରହିବା ଅନିବାର୍ଯ୍ୟ  । ଏହା ସାଙ୍ଗକୁ ଧୈର୍ଯ୍ୟ ମଧ୍ୟ ଲୋଡା  । ସେତକ ନ ହେଲେ ବି ହବନି  । ଏଇ ଦୁଇଟି ଜିନିଷ ସେତେବେଳେ ଆମ ଠାରେ ଲାଭ ହୋଇଥାଏ, ଯେତେବେଳେ ଆମେ ନିଜକୁ ସଦାସର୍ବଦା କିଛି ନୂଆ ଜାଣିବାକୁ ଚେଷ୍ଟା କରିଥାଉ  । କିଛି ନୂଆ ଜାଣିବା ହେଉଛି ଏମିତି ଏକ ଅଭ୍ୟାସ ବା ସାଧନା ଯାହା ତମାମ୍ ଜୀବନ ପାଇଁ ଆବଶ୍ୟକ  । କିଛି ଜାଣିବାରେ ଓ ଶିଖିବାରେ କେବେ ଅନ୍ତ ନଥାଏ  ।

ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।