ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

 ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧିନ ସରଦେଇପୁର-ନିମାପଡା ରାସ୍ତା ପଞ୍ଚାୟତ ରାସ୍ତା ନିକଟରେ ଜଣେ ଯୁବକଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ଆକ୍ରମଣରେ ଆହତ ଯୁବକ ହେଲେ ସ୍ଥାନୀୟ ପୂରଣପ୍ରଧାନ ଗ୍ରାମର ନାରାୟଣ ବେହେରା । ଖବରନେବାରେ ଜଣାପଡିଛି ଏହି ରାସ୍ତା ନିକଟରେ ଥିବା ଏକ ଗ୍ରାମ୍ୟଜଙ୍ଗଲରେ କିଛି ଯୁବକ ବଣଭୋଜି କରିଥିଲେ । ଭୋଜି କରୁଥିବା ସମୟରେ କୌଣସି କାରଣକୁ ନେଇ ଅପରାହ୍ନ ପ୍ରାୟ ୫ ଟାରେ ନାରାୟଣଙ୍କ ସହ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ବଚସା ଉଗ୍ରରୂପ ଧାରଣ କରିବା ସହ ହାତାହାତି ପର୍ଯ୍ୟନ୍ତ କଥାଯାଇଥିଲା । ପରେ ଯୁବକଙ୍କ ମଧ୍ୟରେ ବୁଝାସୁଝା ହେବାରୁ ପରିସ୍ଥିତି ଶାନ୍ତ ହୋଇଥିଲା । ମାତ୍ର ଏହି ବଚସା ଭିତରେ କୁହୁଳି କୁହୁଳି ଅପରାହ୍ନ ପ୍ରାୟ ସାଢେ ୬ ଟାରେ ଏଥିମଧ୍ୟରୁ ୨ ଜଣ ଯୁବକ ଷ୍ଟିଲ ରଡ ଓ ଛୁରୀରେ ନାରାୟଣଙ୍କ ମୁଣ୍ଡରେ ଓ କାନକୁ ଆକ୍ରମଣ କରିଥିଲେ । ଫଳରେ ନାରାୟଣଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏନେଇ ନାରାୟଣଙ୍କ ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ତଦନ୍ତ ଚଳାଇଛି ।