ଯୁବକଙ୍କୁ ଆକ୍ରମଣ କରି ଲୁଟ୍

 ବୈଶିଙ୍ଗା : ବୈଶିଙ୍ଗା ଥାନା ଅର୍ନ୍ତଗତ ପଣସିଆ ବଜାର ଉପକଣ୍ଠ ବାଳିଆପିଟା-ପଣସିଆ ରାସ୍ତାରେ ଗତ ବିଳମ୍ବିତ ରାତ୍ରିରେ ଜନୈକ ଯୁବକଙ୍କୁ ଭୁଜାଲିରେ ହାଣି ତାଙ୍କ ବାଇକ୍ ସହିତ ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ପଣସିଆ ଗ୍ରାମର ଆକାଶ ପଣ୍ଡିତ(୩୫) ପ୍ରତ୍ୟେକ ଦିନ ସକାଳେ ଘରୁ ବାହାରି ବାଲେଶ୍ୱର ସହରରେ ନିଜ କର୍ମସ୍ଥଳକୁ ଯାଇ ରାତିରେ ଫେରିଥାନ୍ତି । ତେବେ କାଲି ରାତିରେ ଘରକୁ ଫେରିବା ବେଳକୁ ଘର ପହଞ୍ଚିବାକୁ ଆଉ ମାତ୍ର ଅଧା କିଲୋମିଟର ଥିବାବେଳେ ରାତି ଏଗାରଟା ସମୟରେ ମୁଖାପିନ୍ଧା ଦୁଇଜଣ ଦୁର୍ବୃତ୍ତ ହଠାତ୍ ଆକାଶଙ୍କୁ ଏକ ନିଛାଟିଆ ସ୍ଥାନରେ ଅଟକାଇ ତାଙ୍କ ଦୁଇ ହାତକୁ ଭୁଜାଲିରେ ହାଣି ସେ ତଳେ ପଡିଯିବାରୁ ତାଙ୍କ ଠାରୁ ଟଙ୍କା, ମୋବାଇଲ ଓ ହିରୋ ସିଡ଼ି ଡିଲକ୍ସ ନଂ ଓଡି୧୧ୟୁ୦୦୫୧ ନମ୍ବର ଗାଡ଼ିକୁ ନେଇ ବାଲେଶ୍ୱର ଦିଗରେ ପଳାଇ ଯାଇଥିଲେ । ତେବେ ପ୍ରଥମେ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେ ଥାନାରେ ଏସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ହେଁ ସନ୍ଧ୍ୟା ସୁଦ୍ଧା ମାମଲା ରୁଜୁ କରାଯାଇ ନଥିବା ପୋଲିସ ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ ଯେ ବୈଶିଙ୍ଗା ଥାନାଧିକାରୀ ଛୁଟିରେ ଥିବାବେଳେ ଏ ବାବଦରେ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ମିନତୀ ବିଶ୍ୱାଳଙ୍କୁ ପଚାରିବାରୁ ସେ ମଧ୍ୟ ଏଭଳି ଘଟଣା ଘଟିଥିବା ନେଇ ଏଯାଏଁ କୌଣସି ସୂଚନା ପାଇନାହାନ୍ତି । ତେବେ ଖୁବ୍ ଶୀଘ୍ର ସେ ଘଟଣା ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିବେ କହିଥିଲେ ।