ଯୁବତୀଙ୍କୁ ବିଚ୍ ରାସ୍ତାରୁ ଅପହରଣ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୧୮ ।୧୦ : ବିବାହ ପାଇଁ ରାଜି ନହେବାରୁ ଯୁବତୀଙ୍କୁ ବିଚ୍ ରାସ୍ତାରୁ ଯୋରଜବରଜସ୍ତ ଅପହରଣ ପରେ ମାଡ ମାରି ହତ୍ୟା ଧମକ । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ପୁଲିସ ଅଭିଯୁକ୍ତକୁ ଆଜି ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ଖାରବେଳନଗର ମସଜିଦ୍ କଲୋନୀର ଏସକେ ବୋନି ଅମିନ୍ ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ତଥା ପୀଡ଼ିତା ଏବଂ ନିମ୍ନୋକ୍ତ ଅଭିଯୁକ୍ତଙ୍କ ମଧ୍ୟରେ ଗତ ୪ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା । ଏହି ସମୟରେ ସମ୍ପୃକ୍ତ ଅଭିଯୁକ୍ତ ବିବାହ କରିବା ଲାଗି ପୀଡ଼ିତା ତାଙ୍କ ଘରେ ଜଣାଇଥିଲେ । ହେଲେ ଘର ଲୋକେ ଏଥିରେ ରାଜି ହୋଇନଥିଲେ । ଘର ଲୋକ ଏହି ବିବାହ ଲାଗି ରାଜି ନଥିବା ସମ୍ପର୍କରେ, ସେ ଅଭିଯୁକ୍ତଙ୍କୁ ଜଣାଇବା ସହିତ ତାଙ୍କ ସହିତ ସମ୍ପର୍କ ନରଖିବାକୁ କହିଥିଲେ । ଏଥିରେ ଅଭିଯୁକ୍ତ ଜଣକ ପ୍ରତିଶୋଧ ପରାୟଣ ହୋଇ ଗତ ୧୪ ତାରିଖ ରାତିରେ ପୀଡ଼ିତା ଜଣଙ୍କ ଶିୟା ଛକରେ ଥିବା ଏକ ଜଳଖିଆ ଦୋକାନରୁ ଘରକୁ ଫେରୁଥିବା ବେଳେ, ଅଭିଯୁକ୍ତ ତାଙ୍କୁ ବଳପୂର୍ବକ ତାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଅପହରଣ କରିନେଇଥିଲା । ପରେ ତାଙ୍କୁ ବିବାହ ଲାଗି ଘର ଲୋକଙ୍କୁ ମନାଇବାକୁ ଚାପ ପକାଇବା ସହ ଯୁବତୀଙ୍କୁ ମାଡ ମାରିଥିଲା । ପୀଡ଼ିତା ଏହାର ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା । ଏନେଇ ପୀଡ଼ିତା ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଯୁବତୀଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।