ରାଜ୍ୟସ୍ତରୀୟ କୋବ୍ ବୁଲବୁଲ ଉତ୍ସବ, ବ୍ରିଗେଡ ସ୍କୁଲ ଛାତ୍ରଛାତ୍ରୀଙ୍କ କୃତିତ୍ୱ
ସାରସକଣା : ଓଡିଶା ଷ୍ଟେଟ ଭାରତ ସ୍କାଉଟ ଆଣ୍ଡ ଗାଇଡ୍ ଭୁବନେଶ୍ୱର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କୋବ ବୁଲବୁଲ ପଞ୍ଚ ଦିବସୀୟ ଉତ୍ସବ ଉଦ୍ୟାପିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ଓଡ଼ିଶାର ୧୭ ଗୋଟି ଜିଲ୍ଲାର ମନୋନୀତ ୪୭ଟି ବିଦ୍ୟାଳୟର ମୋଟ ୭୦୦ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କବ୍ ବୁଲବୁଲ ଶିବିରରେ ଯୋଗ ଦେଇଥିଲେ । ସେହିପରି ମୟୂରଭଞ୍ଜ ଜିଲ୍ଲାର ସାରାସକଣା ବ୍ଲକ ସ୍ଥିତ ଓଡିଶା ବ୍ରିଗେଡ ସ୍କୁଲ ଝାରପୋଖରୀଆରୁ ସାତ ଜଣ ଛାତ୍ରୀ ଓ ଛଅ ଜଣ ଛାତ୍ରଙ୍କୁ ମିଶାଇ ମୋଟ ୧୩ଜଣ ଏହି ରାଜ୍ୟ ଶିବିରରେ ଅଂଶଗ୍ରହଣ କରିଥିଲେ । ତେବେ ଏହି ପାଞ୍ଚ ଦିନର ଶିବିରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ସକାଳ ୬ଟା ପାଖରୁ ରାତି ୯ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶାରୀରିକ, ମାନସିକ ସହିତ ବୌଦ୍ଧିକ ଉନ୍ନତି ଦିଗରେ ପିଲାଙ୍କୁ ସକ୍ରିୟ କରାଇବା ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ଏଠାରେ ଛାତ୍ରଛାତ୍ରୀମାନେ ବ୍ୟକ୍ତିଗତ ଭାବେ ପ୍ରତିଯୋଗିତାରେ ଭାଗ ନେଉଥିବା ବେଳେ ସ୍କୁଲ ମଧ୍ୟରେ ଗ୍ରୁପ ପ୍ରତିଯୋଗିତା ହୋଉଥାଏ । ତେବେ ଏହି ରାଜ୍ୟ ଶିବିରରେ ଆୟୋଜିତ ପ୍ରତିଯୋଗିତାରେ ଓଡିଶା ବ୍ରିଗେଡ ସ୍କୁଲ ଝାରପୋଖରୀଆ କବ ବୁଲବୁଲ କର୍ଣରରେ ୩ୟ, ବୁଲବଲ୍ ଗ୍ରିଟିଂରେ ୩ୟ, ଫିଜିକାଲ୍ ଡିସ୍ପ୍ଲେରେ ୩ୟ, ରେଡ୍ ଫ୍ଲାଗ କଳରବରେ ୩ୟ ପୁରସ୍କାର ପାଇଥିବାବେଳେ ବ୍ୟକ୍ତିଗତ ପ୍ରତିଯୋଗିତାରେ ରାମ୍ପ ୱାକ୍ ନିବେଦିତା ସି ସ୍ୱର୍ଣ୍ଣ, କ୍ଲେ ମଡେଲ ମେକିଂରେ ଦେବୀନା ଗନ୍ତାୟତ ସ୍ୱର୍ଣ୍ଣ, ଆଇସା ସାହୁ ରାମ୍ପ ୱାକ ଓ ନୃତ୍ୟରେ ସ୍ୱର୍ଣ୍ଣ ସେହିପରି ଛାତ୍ରମାନଙ୍କ ଭିତରେ ଦର୍ଶଦୀପ ନାୟକ ପେପର କ୍ରାଫ୍ଟ ଡିଜାଇନ କରି ସ୍ୱର୍ଣ୍ଣ ମେଡାଲ ପାଇ ସ୍କୁଲ ସହିତ ଜିଲ୍ଲାକୁ ଗୌରବ ଆଣିଦେଇଛନ୍ତି । ସ୍କୁଲର ପରିଚାଳକ ହୃଷିକେଶ ଜେନା ଓ ସାଇକୃପା ଜେନାଙ୍କ ଦିଗଦର୍ଶନରେ ସ୍କୁଲରେ ସ୍କାଉଟ ଗାଇଡ଼ ପରି ଏକ ବିଭାଗ ଝାରପୋଖରୀଆ ପ୍ରାଇଭେଟ ସ୍କୁଲରେ ଖୋଲି କୋବ ବୁଲବୁଲ ମାଧ୍ୟମରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ପିଲାଙ୍କୁ ତାଲିମ ଦେଇ ସେମାନଙ୍କ ପ୍ରତିଯୋଗୀ ମନଭାବକୁ ଉନ୍ନତି କରାଇବା ଏବଂ ସେମାନଙ୍କୁ ଶୃଙ୍ଖଳିତ କରିବା ନିଶ୍ଚିତ ଜିଲ୍ଲାପାଇଁ ଏକ ଉଦାହରଣ ସାଜିଛି । ଯେଉଁଥିପାଇଁ ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ରାଜ୍ୟ ସ୍ତରରେ ମୟୂରଭଞ୍ଜ ଜିଲ୍ଲାର ପିଲାମାନେ କୃତିତ୍ୱ ହାସିଲ କରିବାରେ ସଫଳ ହୋଇଛନ୍ତି ।