ରାସ୍ତାଘାଟରେ ନାଣ୍ଡୁ; ମିଶିବା ପୂର୍ବରୁ ମହା ମିଶ୍ରଣର ସଙ୍କେତ: ବଡ଼ଚଣାବାସୀଙ୍କୁ କଂଗ୍ରେସ ଫେରିବାର ଦେଲେ ବାର୍ତ୍ତା
ଯାଜପୁର: ନାଣ୍ଡୁ ଓରଫ ଅନନ୍ତ ନାରାୟଣ ଧଳ । ଯାତ୍ରା କଳାକାର ହୁଅନ୍ତୁ ବା ଯାତ୍ରା ପ୍ରେମି ଅନନ୍ତଙ୍କୁ ଭଲ ଭାବେ ଚିହ୍ନନ୍ତି । କାରଣ ଅନନ୍ତ ହେଉନ୍ତି ତୁଳସୀ ଗଣନାଟ୍ୟର ସତ୍ୱାଧିକାରୀ ବା ମାଲିକ । ଜଣେଯାତ୍ରା ପାର୍ଟିର ମାଲିକ ଭାବେ ରାଜ୍ୟର କୋଣ ଅନୁକୋଣରେ ପରିଚୟ ରହିଛି କିନ୍ତୁ ଜଣେ ରାଜନେତା ଭାବେ ନୁହେଁ । ଜଣେ ଆଗଧାଡ଼ିର ରାଜନେତା ଭାବେ ରାଜ୍ୟରେ ପରିଚିତ ନଥିଲେ ବି ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ତାଙ୍କର ନାଁ ରହିଛି । ପ୍ରାକ୍ତନ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଖାସ ଲୋକ ତାଲିକା ଭିତରେ ଥିଲା ତାଙ୍କ ନାଁ । ଅମରଙ୍କ ବିଜୟ ବାନା ଉଡାଇବାରେ ତାଙ୍କର ଭୂମିକା ମଧ୍ୟ ରହୁଥିଲା । ବଡ଼ଚଣା ନିର୍ବାଚନ ମଣ୍ଡଳୀର ଏକାଧିକ ପଂଚାୟତ ଦାୟିତ୍ୱ ଅନନ୍ତ ବା ନାଣ୍ଡୁ ହିଁ ବୁଝୁଥିଲେ । ନାଣ୍ଡୁ ଭାବେ ସମସ୍ତଙ୍କ ପାଖରେ ପରିଚିତ ଥିବା ଅନନ୍ତଙ୍କୁ ଏବେ ବଡ଼ଚଣାର ବାଟେ ଘାଟେ ଦେଖିବାକୁ ମିଳୁଛି । ଯୁଆଡ଼େ ଅନାଇବ ନାଣ୍ଡୁଙ୍କ ଫଟୋ ଝୁଲୁଛି । ବଡ଼ଚଣାବାସୀଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇବା ପୂର୍ବକ ନାଣ୍ଡୁ ସେ କଂଗ୍ରେସରେ ମିଶିବାକୁ ଯାଉଥିବାର ବାର୍ତା ଦେଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏକଦା ସେ କଂଗ୍ରେସରେ ମିଶି ନଥିଲେ ବି ନିଜକୁ କଂଗ୍ରେସ ବୋଲି ପ୍ରତିପାଦିତ କରିସାରିଛନ୍ତି । ଶୁଭେଚ୍ଛା ବାର୍ତା ମାଧ୍ୟମରେ ବଡ଼ଚଣାବାସୀଙ୍କୁ ନାଣ୍ଡୁ ଜଣାଇ ଦେବାକୁ ଯାଇ ଅକ୍ଟୋବର ୧୫ତାରିଖରେ ସେ କଂଗ୍ରେସ ଭବନ ଭୁବନେଶ୍ୱରରେ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଉକ୍ତ ଦିନ ମହାମିଶ୍ରଣ ପର୍ବ ହେବ ବୋଲି ଶୁଭେଚ୍ଛା ବାର୍ତା ମାଧ୍ୟମରେ ଅବଗତ କରିଛନ୍ତି ।
ନାଣ୍ଡୁଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ରାଜନୈତିକ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଛି । ନାଣ୍ଡୁ ଏଯାବଦ କଂଗ୍ରେସ’ରେ ମିଶି ନଥିବା ବେଳେ, କଂଗ୍ରେସର କେନ୍ଦ୍ରୀୟ-ରାଜ୍ୟ ନେତା ଏବଂ ହାତ ଚିହ୍ନକୁ ଆପଣାଇ ମୁଁ କଂଗ୍ରେସ ବୋଲି ଜଣାଇ ଦେବାକୁ ଚାହିଁଛନ୍ତି । ଶୁଭେଚ୍ଛା ବାର୍ତାରେ ଉଲ୍ଲେଖିତ ‘ମହାମିଶ୍ରଣ ପର୍ବ ବଡ଼ଚଣାର ରାଜନୈତିକ ଖଟିରେ ଆଲୋଚନାର ବିଷୟ ହୋଇଛି । ନାଣ୍ଡୁ ଏକାକି କଂଗ୍ରେସରେ ସାମିଲ ହେବାକୁ ଥିଲେ କେବେ ହେଲେ ଏଭଳି ବାର୍ତା ଲେଖିବାକୁ ସାହସ ଜୁଟାଇ ପାରିନଥାନ୍ତେ । ଯେହେତୁ ମହାମିଶ୍ରଣ ପର୍ବ ଲେଖିଛନ୍ତି ତେଣୁ ନାଣ୍ଡୁ ସେଭଳି ଯୋଜନାରେ ଥିବା ବାରି ହେଇପଡ଼ୁଛି । ତେବେ ମିଶିବା ପୂର୍ବରୁ ମହାମିଶ୍ରଣର ଧମାକାର ସ’ତ କଣ ସ୍ପଷ୍ଟହେବାକୁ ଏହି ପ୍ରତିନିଧି ତାଙ୍କ ସହ ଯୋଗା ଯୋଗ କରିଥିଲେ । ହେଲେ ସେ ଫୋନ ଉଠାଇ ନଥିଲେ । କିନ୍ତୁ ବରବର୍ତିର୍ ସମୟରେ ତାଙ୍କର ଜଣେ ନିକଟତରଙ୍କ ସହ ଯୋଗାଯୋଗ ସମ୍ଭବ ହୋଇଥିଲା । ନିକଟତରଙ୍କ ଠାରୁ ଯାହା ଜାଣିଲି, ନାଣ୍ଡୁ ଅକ୍ଟେବାର ୧୫ତାରିଖରେ ହଜାର ହଜାର ସମର୍ଥକଙ୍କୁ ନେଇ କଂଗ୍ରେସରେ ସାମିଲ ହେବେ । ତାଙ୍କନିଜ ବିକ୍ରମକିରଣପୁର, ଭରତପୁର, ବରଦା, ପଲେଇ ସହ ନିର୍ବାଚନ ମଣ୍ଡଳୀରୁ ନିଜର ସମର୍ଥକଙ୍କୁ ସାଙ୍ଗରେ ଧରି ପିସିସି ଭବନରେ କଂଗ୍ରେସରେ ଯୋଗ ଦେବେ । ମିଶ୍ରଣ ପର୍ବ ମହାମିଶ୍ରଣ ପର୍ବ ହେଉଛି କି ନାହିଁ ତାହାତ ସମୟ କହିବ, କିନ୍ତୁ ଶାରଦୀୟ ଶୁଭେଚ୍ଛା ବାର୍ତା ବାଟରୁ ଘାଟ, ଛକରୁ ବଜାର ପର୍ଯ୍ୟନ୍ତ ଯେଭଳି ଭାବେ ଛାଇ ଯାଇଛି, ତାହାକୁ ଦେଖିଲେ କେହିବି ଏହାକୁ ବିଶ୍ୱାସ କରିବ ।
ନାଣ୍ଡୁ ଏକଦା କଂଗ୍ରେସର ଜଣେ ସମର୍ଥକ ରହିଥିଲେ । ତାଙ୍କ ବାପା କଂଗ୍ରେସର ଜଣେ ଆଗଧାଡ଼ିର ନେତାଥିଲେ । ପଂଚାୟତ ପ୍ରତିନିଧି ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ । ପ୍ରାକ୍ତନମନ୍ତ୍ରୀ ତଥା କଂଗ୍ରେସର ବରଷ୍ଠ ନେତା ସୀତକାନ୍ତ ମହାପାତ୍ରଙ୍କ ନେତୃତ୍ୱ ସମର୍ଥନରେ ରହି ଦଳପାଇଁ କାର୍ଯ୍ୟ କରୁଥିଲେ । ନାଣ୍ଡୁ ସୀପାହି ଭାବେ କାର୍ଯ୍ୟ କରି ଅବସର ନେବା ପରେ ବାପାଙ୍କ ପଦାଙ୍କ ଅନୁସରଣ କରିଥିଲେ ହେଁ ପ୍ରତ୍ୟକ୍ଷ ରାଜନୀତି ବା ନିର୍ବାଚନରେ ଭଗ ନେଇନଥିଲେ । ହେଲେ କଂଗ୍ରେସରୁ ଦୂରେଇ ଯାଇ ନାଣ୍ଡୁ ପ୍ରାକ୍ତନ ବିଧାୟକ ଅମରଙ୍କ ଜଣେଦୃଢ ସମର୍ଥକ ବା ଆଗଧାଡ଼ିର ନେତା ଭାବେ ବିଦିତ ହୋଇଥିଲେ । ୪ବର୍ଷ ତଳେ ବାଲିଚନ୍ଦ୍ରପୁର ଥାନା ପଣସୁଆରେ ଦୁଇଗୋଷ୍ଠି ମଧ୍ୟରେ ସଂଗଠିତ ଗୋଷ୍ଠି ସଂଘର୍ଷ ଏବଂ ପୁଲିସ ଗାଡ଼ି ପୋଡ଼ି ଘଟଣାରେ ନାଣ୍ଡୁଙ୍କ ନାଁ ଯୋଡ଼ି ହୋଇଥିଲା । ଉକ୍ତ ଅଘଟଣ ପରେ ଖାଲି ବଡ଼ଚଣା କାହିଁକି ଯାଜପୁର ଜିଲାରେ ନାଣ୍ଡୁଙ୍କ ରାଜନୈତିକ ସଂପୃକ୍ତି ସାମ୍ନାକୁ ଆସିଥିଲା । ଅମରଙ୍କୁ ନିର୍ବାଚନୀ ବୈତରଣୀ ପାରକରିବାରେ ପ୍ର୍ରମୂଖ ଭୁମିକା ଲିଭାଉଥିବା ନାଣ୍ଡୁ କିନ୍ତୁ ଗଲା ନିର୍ବାଚନ ସମୟରେ ନିଷ୍କ୍ରିୟ ହୋଇପଡ଼ିଲେ । ଅମରଙ୍କ ସ୍ଥାନରେ ବିଜେଡ଼ି ସିନେ ଅଭିନେତ୍ରୀଙ୍କୁ ପ୍ରାର୍ଥୀ କରିବାରେ ନାଣ୍ଡୁ ଅସନ୍ତୁଷ୍ଟ ରହିଥିଲେ । ଦେଢବର୍ଷ ଧରି ରାଜନୀତିରୁ ଦୂରେଇ ରହିଥିବା ନାଣ୍ଡୁ ହାଠତ ସକ୍ରିୟ ହୋଇଉଠିବା ଏବଂ କଂଗ୍ରେସକୁ ଫେରିବାର ସଙ୍କେତ ଦେବା ବଡ଼ଚଣା ରାଜନୀତିରେ ହଟଚମଟ ସୃଷ୍ଟି କରିବ । ସରକାରରୁ ଯିବା ପରେ ଅନେକ ବିଜେଡି ଛାଡ଼ି ବିଜେପିକୁ ଲମ୍ପ ମାରିସାରିଥିବା ବେଳେ ନାଣ୍ଡୁଙ୍କ ନେତୃତ୍ୱରେ ଅନେକ ତୃଣମୂଳ କର୍ମୀ ହାତ ସହ ହାତ ମିଳାଇବାକୁ ଯିବା ବନେ୍ଦାବସ୍ତରେ ଲାଗିପଡ଼ିବା କଂଗ୍ରେସ ପାଇଁ ଆଗାମି ଦିନରେ ଶୁଭଙ୍କର ହେବ ନାଁ ବିବାଦର କାରଣ ହେବ, ତାଉପରେ ରାଜନୈତିକ ମହଲର ନଜର ରହିବ । କିନ୍ତୁ ଏହି ପ୍ରତିନିଧିଙ୍କୁ ଯାହା ଆଭାସ ମିଳିଛି ନାଣ୍ଡୁ କଂଗ୍ରେସରେ ଯୋଗ ଦେବା ପରେ ପୁରା ବଡ଼ଚଣାରେ ନିଜକୁ ସକ୍ରିୟ କରିବେ । ବଡ଼ଚଣାରୁ ଏକ ପ୍ରକାର ହଜିଯିବାକୁ ବସିଥିବା କଂଗ୍ରେସ ପାଇଁ ନାଣ୍ଡୁ କେତେ ଲାଭ ଦାୟକ ହେଉଛନ୍ତି ନାଁ କ୍ଷତିକାରକ ତାହା ହିଁ ଦେଖିବାର ଅଛି ।