ମରାମତିରେ ମହା ଦୁର୍ନୀତି , ଅଢେଇଟା ଦିନ ଗଲାନି ୨୨ଲକ୍ଷର ରାସ୍ତା
ବ୍ୟାସନଗର: ବ୍ୟାସନଗର ପୈାରାଞ୍ଚଳର ଅନେକ ପ୍ରମୁଖ ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ରହିଛି । ଯାହା ଚାଲିବା ଅନୁପଯୁକ୍ତ ହୋଇପଡ଼ିଛି । ବ୍ୟାସନଗରର ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଗାଡ଼ି ମୋଟର ହାଉଯାଉ ହେଉଛି । ଅନୁପଯୁକ୍ତ ରାସ୍ତାକୁ ଉପଯୁକ୍ତ କରିବାକୁ ବ୍ୟାସନଗରବାସୀ ବାରମ୍ବାର ଦାବି କରିଆସୁଥିବା ବେଳେ ଦୀପାବଳୀ ପୂର୍ବରୁ ପୂର୍ତ୍ତ ବିଭାଗ ଅଧିନ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ନିକଟରୁ ମୁଣ୍ଡମାଳ ଭାୟା ଝାଟିଆସାହି ରାସ୍ତା ମରାମତି ପାଇଁ ୨ଟି ଫେଜରେ ଅନୁଦାନ ଅନୁମୋଦିତ ହୋଇଥିଲା । ପ୍ରଥମ ଫେଜର କାର୍ଯ୍ୟ ୨୨ଲକ୍ଷ ଏବଂ ଦ୍ୱିତୀୟ ଫେଜ ପାଇଁ ୨୮ଲକ୍ଷ ଟଙ୍କା କରି ମୋଟ ୪୮ଲକ୍ଷ ଅନୁଦାନ ମିଳିଥିଲା । ଉକ୍ତ ରାସ୍ତା କାର୍ଯ୍ୟର କାର୍ଯ୍ୟାଦେଶ ବାହାର ନିର୍ବାଚନ ମଣ୍ଡଳୀର ଜନୈକ ଠିକାଦାର ହାତେଇଥିଲେ । ଦିପାବଳୀ ଆରମ୍ଭରେ ପ୍ରଥମ ଫେଜର କାର୍ଯ୍ୟ ମହିଳା ମହାବିଦ୍ୟାଳୟରୁ ଗୋଶାଳା ଛକ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ ମରାମତି ରାସ୍ତା ଅଢେଇଟା ଦିନ ଗଲାନି । ଗୋଟେ ପଟେ ରାସ୍ତା ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଅନ୍ୟପଟେ ତାହା ନଷ୍ଟ ହେବାରେ ଲାଗିଥିଲା ।
ମରାମତି କାର୍ଯ୍ୟ ଚାଲୁଥିବା ବେଳେ ନିମ୍ନମାନର କାର୍ଯ୍ୟକୁ ବିରୋଧ କରି ଝାଟିଆସାହି ଏବଂ ନଟପଡ଼ା ଲୋକେ ରାସ୍ତାକୁ ଆସି ବିରୋଧ କରିଥିଲେ । ବିଭାଗୀୟ ଯନ୍ତ୍ରୀ ଘଟଣାସ୍ଥଳରେ ପହଁଚି ପୁନଃ ମରାମତି କରାଯିବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଠିକାଦାର ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ରଖିବା ବଦଳରେ ରାତି ଅଧିଆ ବିଭିନ୍ନ ପ୍ରକାରର ଯନ୍ତ୍ରାଂଶ ନେଇ ଚମ୍ପଟ ମାରିଥିଲେ । ଏହା ଜାଣିବା ପରେ ଗ୍ରାମବାସୀ ଠିକାଦାର ଚମ୍ପଟ ପଛରେ ଯନ୍ତ୍ରୀଙ୍କ ହାତଥିବା ଅଭିଯୋଗ ଆଣିଥିବା ବେଳେ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଯନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା । ମରାମତି କାର୍ଯ୍ୟ କରୁଥିବା ଅନଭିଜ୍ଞ ଠିକାଦାରଙ୍କୁ ନିମ୍ନାମାନର କାର୍ଯ୍ୟ କରିବାକୁ ଯନ୍ତ୍ରୀ ସହଯୋଗ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ମତେ ମରାମତିର ଅଢେଇଟା ଦିନରେ ରାସ୍ତା ଖରାପ ହୋଇଯାଇଥିଲା । ମହିଳା ମହାବିଦ୍ୟାଳୟରୁ ନଟପଡ଼ା ଭିତରେ ହୋଇଥିବା ମରାମତି ନାଁକୁ ମାତ୍ର କରାଯାଇଛି । ରାସ୍ତାକୁ ମରାମତି କରିବା ପରେ ଗୋଟିଏ ଇଞ୍ଚର ପିଚୁ ପକାଇବାକୁ ଥିବା ବେଳେ ଏହା କରାଯାଇନି । ସେହିପରି ନଟପଡ଼ାରୁ ଝାଟିଆ ସାହି ଶନିମନ୍ଦିର ଭିତର ରାସ୍ତା ମରାମତି ପରେ କରାଯାଇଥିବା ପିଚୁ ଏତେ ନିମ୍ନମାନର ଥିଲା ଯେ ଦିନକରେ ଉଠିଯାଇଥିଲା । ଯାହାଫଳରେ ଉଠିଯାଇଥିବା ପିଚୁକୁ ପାଖ ଲୋକେ ଗୋଟେଇ ନେଇଥିଲେ । ସେହିପରି ଶନିମନ୍ଦିର ଠାରୁ ଗୋଶାଳା ଛକ ପର୍ଯ୍ୟନ୍ତ ହୋଇଥିବା ମରାମତି କାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରାଯାଇଛି । ଦିନ କେଇଟାରେ ସଂପୃକ୍ତ ରାସ୍ତାରୁ ପିଚୁ ଉଠିଯାଇଥିବା ବେଳେ କୋଉଠି ପିଚୁ ଫାଟି ଯାଇଛି ତ କୋଉଠି ଦବିଯାଇଛି । ମରାମତି ନାଁରେ ମହାଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଯନ୍ତ୍ରୀ ତାପସ ପୃଷ୍ଠିଙ୍କୁ ପଚାରିବାରେ ଯୋଉଠି ରାସ୍ତା ଖରାପ ହୋଇଛି, ତାହାକୁ ମରାମତି କରିବା ପାଇଁ ଠିକାଦାରଙ୍କୁ କୁହାଯାଇଥିବା ପ୍ରକାଶ କରିଥିଲେ । ତେବେ ମରାମତି ଉପରେ ମରାମତି କରିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲେ ହେଁ ଠିକାଦାର ରାତାରାତି ମେସିନ ପାର କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୂର୍ତ୍ତ ବିଭାଗ ଦୁର୍ନୀତିକୁ ପ୍ରୋସôାହିତ କରିବାକୁ ଆଗେଇ ଆସିଥିବାରୁ ୨୨ଲକ୍ଷର କାର୍ଯ୍ୟ ଅଢେଇଟା ଦିନ ଗଲାନି ବୋଲି ଲୋକେ ଅଭିଯୋଗ ଆଣିଛନ୍ତି । ଯାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।