ଅବଧି ପରେ ବି ଅଧୁରା ବ୍ରହ୍ମବରଦା-କାକୁଡିକୁଦ ବ୍ରିଜ  ଡଙ୍ଗା ଯୋଗେ ଭରା ନଈରେ ବିପଦପୂର୍ଣ୍ଣ ଯାତ୍ରା

 ଅବଧି ପରେ ବି ଅଧୁରା ବ୍ରହ୍ମବରଦା-କାକୁଡିକୁଦ ବ୍ରିଜ  ଡଙ୍ଗା ଯୋଗେ ଭରା ନଈରେ ବିପଦପୂର୍ଣ୍ଣ ଯାତ୍ରା

ବ୍ରହ୍ମବରଦା : ଦୈନିକ ବାଜିରେ ଲାଗୁଛି ସହ ସହ ନିରୀହ ଲୋକଙ୍କ ଜୀବନ । ଜୀବନକୁ ପାଣି ଛଡ଼ାଇ ଲୋକେ ଭରା ନଈରେ ଡଙ୍ଗା ସାହାଯ୍ୟରେ କରୁଛନ୍ତି ବିପଦପୂର୍ଣ୍ଣ ଯାତ୍ରା । ନଦୀପାର ଯୋଗୁ ପ୍ରତି ମୁହୂର୍ତରେ ଯାତ୍ରୀଙ୍କ ଜୀବନ ପ୍ରତି ରହିଛି ବିପଦର ଆଶଙ୍କା । ଏଠାରେ ଦେଖଣାହାରୀ ରାଜନେତା ଏବଂ ପ୍ରଶାସନ ଚୁପ । କିନ୍ତୁ ବିପଦ ଉପୁଜିଲେ ଦାୟୀ କିଏ ରହିବ? ଯାହାର ଉତର କାହାପାଖରେ ନାହିଁ । ବର୍ଷା ଦିନ ଆସିଲେ ଅଞ୍ଚଳ ବାସୀଙ୍କ ମନରେ ଭାଳେଣି ପଡ଼ିବା ସହ ଏମିତି ବିପଦପୂର୍ଣ୍ଣ ଯାତ୍ରା ଯାହା ଦୀର୍ଘ ବର୍ଷ ଧରି ଚାଲୁ ରହିଛି । ଏମିତି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ଶିଳ୍ପ ସମୃଦ୍ଧ ଯାଜପୁର ଜିଲା ସେହି ବ୍ଲକ ଅଧିନ ଝାଲପଡା ପଞ୍ଚାୟତର କାକୁଡିକୁଦ-ବ୍ରହ୍ମବରଦା ବ୍ରାହ୍ମଣୀ ନଦୀଘାଟ କ୍ଷେତ୍ରରେ । ବ୍ରହ୍ମବରଦା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ଜଣାଶୁଣା ସହ ଏଠାରେ ବହୁ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମାନ ରହିଛି । ବର୍ଷା ଦିନେ ଏହି ନଦୀ ଘାଟରେ ଦୈନିକ ସହ ସହ ବ୍ୟବସାୟୀ, ସ୍କୁଲ,କଲେଜ ଛାତ୍ରଛାତ୍ରୀ ନିଜ ଜୀବନକୁ ପାଣି ଛଡ଼ାଇ ଡଙ୍ଗା ଯୋଗେ ନଈ ପାର ହୋଇ ବ୍ରହ୍ମବରଦା ଅଞ୍ଚଳକୁ ଆସିଥାନ୍ତି । କିନ୍ତୁ ସେମାନଙ୍କ ସୁରକ୍ଷା ପ୍ରତି କେହି ସଚେତନ ନୁହଁନ୍ତି । ଭରା ନଈରେ ଯାତ୍ରା ସମୟରେ ସାମ୍ଭାବ୍ୟ ଦୁର୍ଘଟଣାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । କିନ୍ତୁ ଏବେ ଦୈନିକ ଏପରି ବିପଦପୂର୍ଣ୍ଣ ଯାତ୍ରା ଚାଲୁରହିଛି । ସୂଚନା ଅନୁଯାୟୀ ବ୍ରହ୍ମବରଦା-କାକୁଡିକୁଦ ମୁଖ୍ୟ ରାସ୍ତାକୁ ସଂଯୋଗୀକରଣ କରିବା ନିମନ୍ତେ ବ୍ରାହ୍ମଣୀନଦୀ ଉପରେ ନିର୍ମାଣଧିନ ଅବସ୍ତାରେ ବିଜୁ ସେତୁଟି ଯାଜପୁର, ବରୀ, ରସୁଲପୁର ଓ ଧର୍ମଶାଳା ଆଦି ଚାରୋଟି ବ୍ଲକର ଝାଲପଡା, ବ୍ରହ୍ମବରଦା, ବନ୍ଧଢିଅ, ମଙ୍ଗଳପୁର, କାକୁଡିକୁଦ, ବାଘସାହି, ସିଠାଲୋଇ, ରୁଦ୍ରପୁର୍ ଆଦି ଅଞ୍ଚଳର ଲକ୍ଷାଧିକ ଲୋକମାନଙ୍କ ପାଇଁ ଏବେ ସ୍ୱପ୍ନ ପାଲଟି ଯାଇଛି । ରାତି ପାହିଲେ ଉକ୍ତ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ବ୍ୟବସାୟୀ, ଛାତ୍ରଛାତ୍ରୀ ବ୍ରହ୍ମବରଦାରେ ଥିବା ସ୍କୁଲ୍, କଲେଜ, ବ୍ୟାଙ୍କ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ହାଟ, ଥାନା ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିଚଳିଥାନ୍ତି । ଖରାଦିନେ ବାଉଁଶପୋଲ ଓ ବର୍ଷା ଦିନେ ହୁଲି ଡଙ୍ଗା ସାହାଯ୍ୟରେ ଜୀବନକୁ ବାଜି ଲଗାଇ ନଦୀପାର ହୋଇଯିବା ଆସିବା କରିଥାନ୍ତି । ଏହି ବ୍ରିଜଟି ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୨୪ଡିସେମ୍ବର ୨୦୧୬ରେ ଏହାର ଭିତି ପ୍ରସ୍ତର ସ୍ଥାପନ କରାଯାଇ ୨୦୧୯ଏପ୍ରିଲ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟକୁ ସମାପ୍ତ କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ନିଦେ୍ର୍ଦଶ ରହିଥିଲା । କିନ୍ତୁ ଦୁଃଖର କଥା ବ୍ରିଜ କାର୍ଯ୍ୟ ଆରମ୍ଭର ପାଖାପାଖି ୯ବର୍ଷ ଓ ଅବଧି ପୁରିବାର ଦୀର୍ଘ ୫ ବର୍ଷରୁ ଊଦ୍ଧ୍ୱର୍ ବର୍ଷ ବିତିଯାଇଥିଲେ ମଧ୍ୟ ବ୍ରିଜର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହେଲା ନାହିଁ । ଅଧାଗଢ଼ା ହୋଇ ପଡିରହିଛି ଏହି ବ୍ରିଜଟି । ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ୱ ନଦେଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଫଳରେ ଆଖାପାଖ ୧୦ଗୋଟି ପଞ୍ଚାୟତର ହଜାରହଜାର ଲୋକ ଏମିତି ବିପଦପୂର୍ଣ୍ଣ ନଦୀ ପାର ହୋଇ ଯିବା ଆସିବା କରୁଛନ୍ତି । ତେଣୁ ତୁରନ୍ତ ଉକ୍ତବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଉଭୟ ପଞ୍ଚାୟତର ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।