ଲକ୍ଷ୍ମୀ ନାରାୟଣଙ୍କ ପ୍ରାଣ ପ୍ରତିଷ୍ଠା

ଭଣ୍ଡାରିପୋଖରୀ: ବନ୍ଦାଳୋ- ମଢିଆଳି ପଞ୍ଚାୟତ ଖପୁରିଆପଦା ଠାରେ ଲକ୍ଷ୍ମୀ ନାରାୟଣଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସହିତ ନୂତନ ମନ୍ଦିରର ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ତ୍ରିଦିବସୀୟ ବ୍ୟାପୀ ଆୟୋଜନ ହୋଇଥିବା ଉତ୍ସବରେ ପ୍ରଥମେ ଅଙ୍କୁରା ରୋପଣ ଓ ଅଧିବାସ ଅନୁଷ୍ଠିତ ହୋଇଥିଲା । ଉତ୍ସବର ଦ୍ୱିତୀୟ ଦିବସରେ ସ୍ଥାନୀୟ ବୈତରଣୀ ନଦୀରୁ ଗ୍ରାମର ମହିଳା ଓ ପୁରୁଷ ଶ୍ରଦ୍ଧାଳୁମାନେ ଘଟ ଉତ୍ତୋଳନ କରି କଳସ ଯାତ୍ରାରେ ସାମିଲ ହୋଇଥିଲେ । ଏହାପରେ ପୀଠରେ ସୂର୍ଯ୍ୟ ପୂଜା, ମନ୍ଦିର ସ୍ନାନ, ଦେବ ସ୍ନାନ ଓ ହୋମ ଯଜ୍ଞ ଆରମ୍ଭ ହୋଇଥିଲା । ତୃତୀୟ ଦିବସରେ ନାରାୟଣଙ୍କ ଉପଚାର ପୂଜା ସହିତ ୧୮ ଅଧ୍ୟାୟ ଗୀତା ଆବୃତ୍ତି, ଦେବାଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଓ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ବ୍ରଜମୋହନ ମିଶ୍ରଙ୍କ ତତ୍ତ୍ୱବଧାନରେ ପୂଜକ ସୁଧାକର ପଣ୍ଡା, ପ୍ରଫୁଲ୍ଲ ପଣ୍ଡା, ଧ୍ରୁବ ଚରଣ ପତି, ଲଳିତ କୁମାର ନନ୍ଦ, ସୁମନ୍ତ ପଣ୍ଡା ପ୍ରମୁଖ ବୈଦିକ ମନ୍ତ୍ର ଆବାହନରେ ପୂଜାଆଦି କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏଥିରେ ସଂକଳ୍ପ କର୍ତ୍ତା ଭାବେ ସୁରେଶ ସାହୁ, ସଂଯୁକ୍ତା ସାହୁ, ଭାଗିରଥି ସାହୁ, ଉର୍ମିଳା ସାହୁ ଦାୟିତ୍ୱ ତୁଲାଇଥିଲେ ।